ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି ଓ ଅସନ୍ତୋଷ ସେତିକିି ଉତ୍କଟ ନ ହେଲେ ତାଙ୍କୁ ‘ବାଜେଲୋକ’ କହି ସାଧାରଣତଃ ନାକ ଟେକାଯାଏନା। ତାଙ୍କ ମୁହଁ ଉପରେ ହେଉ ଅବା ପଛରେ, ଯାହାଙ୍କ ପାଇଁ କଥକର ତୂଣୀରର ନିକ୍ଷିପ୍ତ ଏହି ଶାଣିତ ଶବ୍ଦଶର ଉଦ୍ଦିଷ୍ଟ ସେ ଯେ ସବୁବେଳେ ଏହି ଶରାଘାତରେ ଆହତ ହୁଅନ୍ତି। ତାହା ନୁହେଁ, କିଛିି ଲୋକଙ୍କ ମୋଟା ଚମଡ଼ା ଭେଦ କରୁ କରୁ ଶରମୁନ ବଙ୍କା ହୋଇଯାଏ ସିନା, ସେମାନେ ସେମାନଙ୍କ ବାଜେ ପଣିଆକୁ ସାଙ୍ଗରେ ଧରି ଆଗେଇ ଚାଲିଥାନ୍ତି। ମାତ୍ର ଆଉ ଏକ ଜାତୀୟ ବାଜେଲୋକଙ୍କୁ ‘ବାଜେଲୋକ’ର ଏହି ଶବ୍ଦାଘାତ ଭୀଷଣ ଆହତ କରେ। ବାହାରକୁ ଅନାହତ, ଅବିଚଳିତ ଜଣାପଡୁଥିଲେ ବି ଭିତରେ ଏକ ଅବ୍ୟକ୍ତ ବେଦନାରେ ଦେହମନରେ କମ୍ପନ ସୃଷ୍ଟି ହୁଏ। ପ୍ରଶ୍ନ ଉଙ୍କିମାରେ- ମୁଁ କ’ଣ ସତରେ ବାଜେଲୋକଟାଏ! ମାତ୍ର ପରକ୍ଷଣରେ ସେ ସହଜ ହୋଇଯାଏ। ଆକ୍ଷେପର ଆକ୍ରମଣରେ ଆହତ ହୋଇଥିବା ତା’ ବ୍ୟକ୍ତିତ୍ୱ ଦେହରେ ସମର୍ଥନ ଓ ସମ୍ବେଦନର ଚନ୍ଦନ ବୋଳିଦେବାକୁ କେହି ଯେ ଆଗେଇ ଆସିବେ। ଏଥିପାଇଁ ସେ ଅପେକ୍ଷା କରେନାହିଁ। ନିଜ ତଥାକଥିତ ବାଜେପଣିଆକୁ ଅନ୍ତର ମଧ୍ୟରେ ଲାଳିତ କରି ଅପସ୍ବୀକୃତିର ଏହି ସନ୍ତକ ନାମାଟିକୁ ଗଳାରେ ଝୁଲାଇ ସେ ତା’ ନିଜ ରାସ୍ତାରେ ଆଗେଇ ଚାଲେ। ସାମ୍ପ୍ରତିକ ସମୟରେ ସାମାଜିକ ଜୀବନର ବିବର୍ତ୍ତନ ବିଘଟନ ମଧ୍ୟରେ ତଥାପି ନିଜ ବାଜେପଣିଆକୁ ଛାଡ଼ି ପାରୁ ନ ଥିବା କେଇଜଣ ବାଜେଲୋକଙ୍କ କଥା।
ନିକଟରେ ସରିଥିବା ଗଣେଶ ପୂଜା ଉପଲକ୍ଷେ ଚାନ୍ଦା ଆଦାୟ କରିବାକୁ କଲୋନୀସାରା ବୁଲୁଥାନ୍ତି କେଇଜଣ ଯୁବକ। ଆଜିକାଲି ଯେଉଁଠି ଚାନ୍ଦା ଦେଉଥିବା ଦାନକର୍ତ୍ତାଙ୍କ ଭକ୍ତି ଅପେକ୍ଷା ଚାନ୍ଦା ମାଗୁଥିବା ଆଦାୟକାରୀଙ୍କ ଶକ୍ତି ହିଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥାଏ। ସେଠି ଚାନ୍ଦା ଦେବାକୁ ପଛକରି ଉପଦେଶ ଦେଉଥିବା ଲୋକଙ୍କର ଯେ ଜଞ୍ଜାଳ ବଢ଼ିଯାଏ। ଏହି ସରଳ ସତ୍ୟଟିକୁ ଭୁଲି ଯାଇଥିଲେ କଲୋନୀର ସବୁଠୁ ବରିଷ୍ଠ ନାଗରିକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହୋଦୟ। ଯୁବକସଂଘର ନବଯୁବକଙ୍କୁ ସେ ନିଜର ଛାତ୍ର ଜ୍ଞାନ କରି ଗଣେଶଙ୍କ ଆରାଧନା ସକଳ ପବ୍ରିତତା ମଧ୍ୟରେ ଶୁଦ୍ଧ ଚେତନାର ସହ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ। ଏକଥା ବି କହିଥିଲେ ଯେ ପୂଜାମଣ୍ଡପରେ ଉଚ୍ଚଧ୍ୱନି ସୃଷ୍ଟିକାରୀ ଅଶ୍ଳୀଳ ସଙ୍ଗୀତ ବା ଭସାଣିରେ ଉଦଣ୍ଡ ନୃତ୍ୟ ନ କରିବାକୁ ବଚନବଦ୍ଧ ହେଲେ ସେ ସେମାନଙ୍କୁ ଚାନ୍ଦା ଦେବେ। ବାସ୍ ଏତିକି। ତାଙ୍କ ପରି ବାଜେଲୋକଙ୍କଠୁ ଚାନ୍ଦା ନେଇ ସେମାନେ ପୂଜା କରିବେନି ବୋଲି ସ୍ପଷ୍ଟ ଶୁଣାଇ ଦେଇ ଫେରିଯାଇଥିଲେ ଯୁବକମାନେ।
ଆଉ ଜଣେ ବାଜେଲୋକଙ୍କ କଥା। ସେ ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ। ଅନ୍ୟ ଅଫିସରଙ୍କ ପରି ତାଙ୍କ ଟେବୁଲ ଉପରେ ଗଦା ଗଦା ଫାଇଲ ଶ୍ରୀହସ୍ତର ସ୍ବକ୍ଷର ପାଇଁ ଅପେକ୍ଷା କରେ ନାହିଁ । ମାତ୍ର ଆଶ୍ଚର୍ଯ୍ୟର କଥା କିଛି ନ୍ୟସ୍ତସ୍ବାର୍ଥ ଲୋକଙ୍କ ପାଇଁ ତାଙ୍କର ପରିଚୟ ଥିଲା ‘ନିହାତି ତେଢ଼ା ବାଜେଲୋକଟାଏ’! ପ୍ରଶାସନରେ ଯାହା କିଛି ଲୋକକଲ୍ୟାଣ ପାଇଁ ସମର୍ପିତ ତଥା ଆଇନ ଅନୁମୋଦନ ତାହା କରିବାକୁ ତାଙ୍କୁ କହିବାକୁ ପଡ଼େ ନାହିଁ। ମାତ୍ର ଯାହା କିଛି ଅକରଣୀୟ, ବ୍ୟକ୍ତିସ୍ବାର୍ଥ ସମ୍ବଳିତ ବା ଆଇନର ପରିପନ୍ଥୀ, ତାହା କରିବାକୁ କହିବା ପାଇଁ କେହି କ୍ଷମତା, ପ୍ରଭାବ ବା ପ୍ରତିପତ୍ତିଶାଳୀ ନେତା ବା ଜନତା ସାହସ କରିପାରନ୍ତି ନାହିଁ। ଏଇ ଅଫିସର ଜଣଙ୍କ ପ୍ରତି ସାଧାରଣ ଲୋକଙ୍କ ଅଶେଷ ଶୁଭେଚ୍ଛା ଝରିପଡୁଥିଲା ସିନା ନିଜ ଚାକିରିକାଳ ମଧ୍ୟରେ ସବୁଠୁ ବେଶି ଯାହା ଅର୍ଜନ କରିଥିଲେ ତାହା ଥିଲା ବାଜେଲୋକର ଏକ ସର୍ଭିସ ସାର୍ଟିଫିକେଟ୍।
ଏ ବାଜେଲୋକ ଜଣକ ଜଣେ ଅଧ୍ୟାପକ। ଶ୍ରେଣୀଗୃହରେ ଅଧ୍ୟାପନା କାଳରେ ସେ ବିଦ୍ୟାର୍ଥୀଙ୍କ ପାଇଁ ସାକ୍ଷାତ୍ ବ୍ରହ୍ମା ପାଲଟି ଯାଇଥାନ୍ତି। ଏମିତି ବୋଧେ କେହି ଜଣେ ଛାତ୍ରୀ ବା ଛାତ୍ର ମିଳିବେ ନାହିଁ, ଯିଏ ତାଙ୍କ ଶିକ୍ଷାଦାନରେ ମୁଗ୍ଧ ହୋଇ ନ ଥିବେ। କେବଳ ପାଠପଢ଼ା ନୁହେଁ କଲେଜର ଯେ କୌଣସି ଗଠନମୂଳକ କାର୍ଯ୍ୟରେ ତାଙ୍କ ସକ୍ରିୟତା ପାଇଁ ସେ ତାଙ୍କ ସହକର୍ମୀଙ୍କ ଲାଗି ପାଲଟି ଯାଇଥାନ୍ତି ଈର୍ଷାର ଈଶ୍ୱର। ନିଜ ଛାତ୍ରୀଛାତ୍ରଙ୍କ ମନରେ ଶୁଦ୍ଧ ଚେତନାର ବିକାଶ ନିମନ୍ତେ ସଦାସର୍ବଦା ସମର୍ପିତ ଥାଏ ତାଙ୍କ ଉଚ୍ଚାରଣ ଓ ଆଚରଣ। ଏ ସକଳ ସ୍ବୀକୃତି ସତ୍ତ୍ୱେ ବେଶ୍ କିଛି ଛାତ୍ର ଓ ଅଧ୍ୟାପକଙ୍କ ପାଇଁ ତାଙ୍କର ପରିଚୟ ହେଉଛି- ‘ସେ ଜଣେ ବାଜେଲୋକ’! ତା’ର ଏକମାତ୍ର କାରଣ ହେଉଛି ପରୀକ୍ଷା ମାମଲାରେ ସେ ବେଶ୍ କଠୋର ଓ ସାଲିସବିହୀନ। କୌଣସି ପିଲାଙ୍କୁ କପି କରାଇ ଦିଅନ୍ତି ନାହିଁ କି ପରୀକ୍ଷକ ଭାବେ କୋଡ଼ିଏ ମାର୍କକୁ ତିରିଶ କରନ୍ତି ନାହିଁ।
ଆଉ ଜଣେ ବାଜେଲୋକଙ୍କ କଥା ପ୍ରସଙ୍ଗରେ କୌଣସି ଏକ ରେଳଯାତ୍ରା ସମୟର ଘଟଣା। ଦୁଇଜଣ ସାଙ୍ଗ ବିନା ଟିକେଟ୍ରେ ରେଳଯାତ୍ରା କରୁଥିବା ବେଳେ ଭିନ୍ନ ଭିନ୍ନ ବଗିରେ ଦୁଇଜଣ ଭିନ୍ନ ଭିନ୍ନ ଟିକେଟ ପରୀକ୍ଷକଙ୍କ ହାତରେ ଧରାପଡ଼ିଲେ। ରେଳଯାତ୍ରା ଶେଷରେ ଦୁହେଁ ଯେତେବେଳେ ମିଳିତ ହୋଇ ନିଜ ନିଜର ଦୁର୍ଭାଗ୍ୟ ସମ୍ପର୍କରେ ସ୍ମୃତିଚାରଣ କରୁଥିଲେ, ଜଣେ କହିଲା ପ୍ରଥମେ ଟିଟିଇ ଭଡ଼ା ଓ ଜରିମାନା ବାବଦକୁ ପାଞ୍ଚଶହ ଟଙ୍କା ମାଗୁଥିଲା। ମାତ୍ର ପକେଟ୍ରେ ଶହେ ଟଙ୍କା ଗୁଞ୍ଜି ଦେବାରୁ ଚୁପ୍ଚାପ ଚାଲିଗଲା। ପ୍ରଥମ ଯୁବକର ଅନୁଭୂତି ପୁଣି ଦ୍ୱିତୀୟ ସାଙ୍ଗ କପାଳରେ ହାତମାରି ନିଜ ଭାଗ୍ୟକୁ ନିନ୍ଦିଲା ଓ କହିଲା – ତୋ ଭାଗ୍ୟ ସଳଖ, ତୁ ଜଣେ ଭଲ ଟିଟିଇ ହାବୁଡ଼ରେ ପଡ଼ିଲୁ। ମୋର ଦୁର୍ଭାଗ୍ୟ, ନିହାତି ବାଜେଲୋକଟା ହାତରେ ପଡ଼ିଗଲି। ଶହେ ଟଙ୍କା କ’ଣ ଦୁଇଶହ, ପୁଣି ଦୁଇଶହରୁ ତିନିଶହ ଯାଚିଲା ପରେ ବି ସେ ରାଜି ହେଲାନି। ଓଲଟି ଧମକ ଦେଲା ପାଞ୍ଚଶହ ଟଙ୍କା ପଇଠ କରି ରସିଦ ନିଅ, ନ ହେଲେ ଲାଞ୍ଚ ଯାଚୁଥିବା ଅଭିଯୋଗରେ ପୋଲିସରେ ଦେଇଦେବି। ପ୍ରଥମେ ବିନା ଟିକେଟ୍ ଯାତ୍ରା ତ ତାହା ସାଙ୍ଗକୁ ଲାଞ୍ଚ ଯାଚିବାର ଅପରାଧ। ଜାଣିଛ ତ ପରିଣାମ କ’ଣ ହେବ। ଛିଃ ଏତେ ବାଜେଲୋକଟା।
ଲକ୍ଷ୍ୟ କରିବାର କଥା, ସହରର ଛକ ରାସ୍ତାରେ ଗାଡ଼ି ଚାଳକମାନଙ୍କୁ ଯାବତୀୟ ବେନିୟମ କାମ କରିବାକୁ ଛାଡି ଦେଇ ବଟି ଆଦାୟ କରି ନିଜ ପକେଟ୍ ଭରୁଥିବା ଟ୍ରାଫିକ୍ ପୋଲିସ ଅତି ଭଲଲୋକର ସାର୍ଟିଫିକେଟ ପାଉଥିବା ବେଳ ବିନା ହେଲ୍ମେଟ ବା ସିଟ୍ ବେଲ୍ଟରେ ଗାଡି ଚାଳନା କରୁଥିବା ଅମାନିଆ ଚାଳକଙ୍କୁ ଦଣ୍ଡିତ କରୁଥିବା କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ ବାଜେଲୋକର ସମ୍ମାନ ପାଏ। ଜଙ୍ଗଲରୁ ଚୋରାରେ କାଠ କାଟି ଆଣୁଥିବା କେହି ତସ୍କର କୌଣସି ସାଧୁ, କର୍ତ୍ତବ୍ୟପରାୟଣ ବନ ରକ୍ଷକଙ୍କ ପ୍ରତିରୋଧର ସମ୍ମୁଖୀନ ହେଲେ ନିଃଶବ୍ଦରେ ମନ ମଧ୍ୟରେ ଉଚ୍ଚାରିତ ହୁଏ- ନିହାତ ବାଜେ ଲୋକଟା। ଏହାଙ୍କ ପୂର୍ବ ବାବୁ କେତେ ଭଲ ନ ଥିଲେ ! ପାଉଣା ନେଇ ଆଖି ବୁଜି ଦେଉଥିଲେ। ପୁଣି ମାସକୁ କେଇ ହଜାର ଟଙ୍କା ବଟି ନେଇ ନଦୀଗର୍ଭରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଉଠାଇ ନେଉଥିବା ମାଫିଆଙ୍କୁ ନିର୍ବିଘ୍ନରେ ଛାଡି ଦେଉଥିବା ବିଭାଗୀୟ କର୍ମଚାରୀ ଭଲ ଲୋକର ମାନ୍ୟତା ଅର୍ଜନ କରୁଥିବା ବେଳେ ତାକୁ ଦଣ୍ଡିତ କରୁଥିବା କର୍ମଚାରୀଙ୍କୁ କୁହାଯାଏ- ‘ବାଜେଲୋକଟା’!
ସାନ୍ତ୍ୱନା ଏତିକି, ସଂଖ୍ୟାରେ ଯେତେ କମ୍ ହେଲେ ବି କପାଳରେ ‘ବାଜେଲୋକ’ର ତିଳକ ଆଙ୍କି ଏହି ତଥାକଥିତ ବାଜେଲାକମାନେ ସମାଜ ସଡ଼କରେ ଏକା ଏକା ବାଟ ଚାଲୁଥିଲେ ମଧ୍ୟ ସେମାନଙ୍କୁ ଆପଣାଇ ନେବା ପାଇଁ ଏଠାରେ ଏଯାଏ ବି କିଛି ଲୋକ ଅଛନ୍ତି। ଏମାନଙ୍କ ସଂଖ୍ୟା ସେଇ ବାଜେଲୋକଙ୍କ ସଂଖ୍ୟାଠାରୁ ଆହୁରି ନଗଣ୍ୟ ହୋଇପାରେ। ତଥାପି ଯେତେ ସୀମିତ ହେଲେ ମଧ୍ୟ ଏମାନେ ସେଇ ବାଜେ ଲୋକମାନଙ୍କୁ ଅନ୍ତର ଭିତରେ କୋଳେଇ ନିଅନ୍ତି ଓ ବଡ଼ ଆବେଗରେ ସେମାନଙ୍କ ଜୟଗାନ କରି କୁହନ୍ତି – ‘ତୁମର ଏହି ବାଜେ ପଣିଆକୁ ନିଜ ଭିତରେ ବଞ୍ଚାଇ ରଖ ବାବୁ। ତୁମ ପାଇଁ ନ ହେଲେ ବି ସମାଜର ମୂଲ୍ୟବୋଧ ପାଇଁ, ଜଗତର କଲ୍ୟାଣ ପାଇଁ, ଆସନ୍ତାକାଲିର ଉଜ୍ଜ୍ୱଳ ସୂର୍ଯ୍ୟୋଦୟ ପାଇଁ।
-ପ୍ରଜ୍ଞାନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ-୮୮୯୫୬୨୪୧୦୫