ଟୋକିଓ: ଜାପାନ ପୁଣି ଥରେ ନିଜର ଏକ ଅନନ୍ୟ ଆବିଷ୍କାର ସହ ସାରା ବିଶ୍ୱକୁ ଚକିତ କରିଛି। ସମ୍ପ୍ରତି ଏକ ଛୋଟ ପାର୍କ ପାଇଁ ଜାପାନ ଚର୍ଚ୍ଚାରେ ରହିଛି, ଯାହାକୁ ବିଶ୍ୱର ସବୁଠାରୁ ଛୋଟ ପାର୍କ ଭାବେ ଗିନିଜ୍ ୱାଲର୍ଡ ରେକର୍ଡ (ଜିଡବ୍ଲ୍ୟୁଆର୍)ରେ ସ୍ଥାନ ମିଳିଛି। ଏନେଇ ଜିଡବ୍ଲ୍ୟୁଆର୍ ପକ୍ଷରୁ ଏହାର ଅଫିସିଆଲ ୟୁଟୁବ୍ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରାଯାଇ କୁହାଯାଇଛି, ମାତ୍ର ୦.୨୪ ବର୍ଗ ମିଟର ବିଶିଷ୍ଟ ସବୁଠାରୁ ଛୋଟ ପାର୍କ ଜାପାନର ରାଜଧାନୀ ଟୋକିଓ ସହରରେ ଅବସ୍ଥିତ। ତେବେ ମାତ୍ର କିଛି ସେଣ୍ଟିମିଟର ଆକାରର ହୋଇଥିଲେ ମଧ୍ୟ ଏହି ପାର୍କ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଦୂର ଦୂରାନ୍ତରରୁ ଲୋକେ ଏହି ନିଆରା ଛୋଟ ପାର୍କକୁ ଦେଖିବା ପାଇଁ ଆସୁଛନ୍ତି। ଜିଡବ୍ଲ୍ୟୁଆର୍ ଟିମ୍ ଏହି ପାର୍କକୁ ନିରୀକ୍ଷଣ କରିବା ପରେ ଏହାକୁ ବିଶ୍ବର ସବୁଠାରୁ ଛୋଟ ପାର୍କ ଭାବେ ଘୋଷଣା କରାଯାଇଛି। ଏହି ପାର୍କର କ୍ଷେତ୍ରଫଳ ଏତେ ଛୋଟ ଯେ, ଏଥିରେ କେବଳ ଏକ ଛୋଟ ଚାରା ଗଛ ଏବଂ କିଛି ଘାସ ରହିପାରିବ ବୋଲି ଜିଡବ୍ଲ୍ୟୁଆର୍ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ବିଶ୍ବର ସବୁଠାରୁ ଛୋଟ ପାର୍କର ରେକର୍ଡ ଆମେରିକାର ଓରେଗନରେ ଥିବା ମିଲ୍ ଏଣ୍ଡ୍ସ ପାର୍କ ନାମରେ ରହିଥିଲା। ଏହାର କ୍ଷେତ୍ରଫଳ ମାତ୍ର ୦.୨୯୨ ବର୍ଗ ମିଟର ରହିଥିଲା ଉକ୍ତ ରେକର୍ଡ ଏବେ ଭଙ୍ଗ ହୋଇଛି।