Categories: ଅନୁଗୋଳ

୨ ଲକ୍ଷ ଟଙ୍କା ନେଇ ସୁରକ୍ଷା କର୍ମଚାରୀ ଫେରାର

ଅନୁଗୋଳ ଅଫିସ, ୯।୩: ଅନୁଗୋଳ ପଞ୍ଚମହଲାସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରୁ ଗତ ୬ ତାରିଖରେ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି ହୋଇଛି। ତେବେ ଏହି ଚୋରି ଅନ୍ୟ କେହି ନୁହେଁ, ଶୋ’ରୁମ୍‌ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କରିଥିବା ମ୍ୟାନେଜର ପ୍ରଶାନ୍ତ ଭଦ୍ର ଅନୁଗୋଳ ସଦର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି, ଶୋ’ରୁମ୍‌ର ସୁରକ୍ଷା ଦାୟିତ୍ୱ ଏକ ସୁରକ୍ଷା ସଂସ୍ଥାକୁ ଦିଆଯାଇଛି। ଉକ୍ତ ସଂସ୍ଥାର ପରିଚାଳକ ଦୈନିକ ସୁରକ୍ଷା କର୍ମଚାରୀଙ୍କୁ ପଠାଇଥାନ୍ତି। ଗତ ୫ ତାରିଖ ରାତିରେ ସୁରକ୍ଷା କର୍ମଚାରୀ ରଞ୍ଜନ ପାଳ ଡ୍ୟୁଟିରେ ଥିଲେ। ହେଲେ ବିଳମ୍ବିତ ରାତିରେ ରଞ୍ଜନ ଶୋ’ରୁମ୍‌ରେ ପ୍ରବେଶ କରି ଆସବାବପତ୍ର ଭଙ୍ଗାରୁଜା କରିବା ସହ ବିଭିନ୍ନ ଡ୍ରୟାରରେ ଥିବା ପ୍ରାୟ ୨ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ୬ ତାରିଖ ସକାଳେ କର୍ମଚାରୀମାନେ ଆସିବା ପରେ ଚୋରି ସମ୍ପର୍କରେ ଜଣାପଡ଼ିଥିଲା। ସୁରକ୍ଷା ସଂସ୍ଥାର ପରିଚାଳକ ସମସ୍ତ ସମସ୍ୟା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ପରେ ଧରାଛୁଅଁା ଦେଉ ନ ଥିବା ଶୋ’ରୁମ୍‌ ମ୍ୟାନେଜର ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।