ଫକ୍ସିପି ଜିନ୍ର ମ୍ୟୁଟେସନ୍ ଯୋଗୁ ହିଁ ରୋଗାକ୍ରାନ୍ତ ହୋଇପଡ଼ିଲେ ସ୍କର୍ଫି ମୂଷା। ଶିଶୁମାନଙ୍କୁ ହୋଇଥାଏ ‘ଆଇପେକ୍ସ’ ନାମକ ଏକ ଅଟୋଇମ୍ୟୁନ ରୋଗ। ଏହି ରୋଗ ହୋଇଥାଏ ଏକ୍ସ କ୍ରମୋଜୋମରେ ମ୍ୟୁଟେସନ ଯୋଗୁ। ବ୍ରଙ୍କୋ ଓ ରାମସଡେଲ ଶିଶୁ ରୋଗ ବିଶେଷଜ୍ଞଙ୍କ ସହାୟତାରେ ‘ଆଇପେକ୍ସ’ ରୋଗୀଙ୍କଠାରୁ ନମୁନା ସଂଗ୍ରହ କରି ରୋଗୀଙ୍କ ଏକ୍ସ କ୍ରମୋଜୋମ୍ରେ ଫକ୍ସିପି ବା ଅନୁରୂପ ଜିନ୍ରେ ମ୍ୟୁଟେସନ୍ ହୋଇଥିବାର ପ୍ରମାଣ ପାଇଲେ। ତେଣୁ ଉଭୟେ ସିଦ୍ଧାନ୍ତ ନେଲେ ଯେ ଫିକ୍ସିପି ଜିନ୍ରେ ମ୍ୟୁଟେସନ ମୂଷାଙ୍କଠାରେ କରାଇଥାଏ ସ୍କର୍ଫି ମୂଷାଙ୍କ ଅସୁସ୍ଥତା ଏବଂ ମଣିଷମାନଙ୍କଠାରେ ଆଇପେକ୍ସ ରୋଗ।
ବାସ୍, ଏତିକି ସୂତ୍ର ମିଳିଗଲା ସାକାଗୁଚିଙ୍କୁ। ବ୍ରଙ୍କୋ ଓ ରାମସଡେଲ ଯେଉଁ ଆବିଷ୍କାର କରିଥିଲେ ସେହି ଆବିଷ୍କାରକୁ ଭିତ୍ତିକରି ଦୁଇ ବର୍ଷର ଗବେଷଣା ପରେ ସାକାଗୁଚି ପ୍ରକାଶ କଲେ ଯେ, ଫକ୍ସିପି ଜିନ୍ ହିଁ ନିୟନ୍ତ୍ରଣ କରିଥାଏ ରେଗୁଲେଟାରୀ ଟି ସେଲର ଉତ୍ପାଦନକୁ ବା ବିକାଶକୁ ଯାହା ନିରାପତ୍ତାରକ୍ଷୀ ବା ଗାର୍ଡ ରୂପେ କାର୍ଯ୍ୟ କରି ଆମ ଶରୀରକୋଷଗୁଡିକୁ ପ୍ରତିରକ୍ଷାତନ୍ତ୍ରର ଆକ୍ରମଣରୁ ସୁରକ୍ଷିତ ରଖିଥାଏ। ସେଥିପାଇଁ ଆମ ପ୍ରତିରକ୍ଷାତନ୍ତ୍ରର କୋଷଗୁଡିକୁ ଭାଇରସ, ବ୍ୟାକ୍ଟେରିଆ ଓ ଅନ୍ୟାନ୍ୟ ଅଣୁଜୀବଗୁଡିକୁ ଆକ୍ରମଣ କରି ଅକାମୀ କରି ଦେଉଥିବା ବେଳେ ଫକ୍ସପି ଜିନ୍ଟି ରେଗୁଲେଟୋରୀ ଟି ସେଲର ସଂଶ୍ଳେଷଣକୁ ସୁଗର କରିଦେଇ ଶରୀର କୋଷଗୁଡିକୁ ‘ନିଜର’ ବା ଆପଣାର’ ବୋଲି ଚିହ୍ନଟ କରି ପ୍ରଦାନ କରିଥାଏ ନିରାପତ୍ତା।
ଫକ୍ସିପି-ରେଗୁଲେଟୋରୀ ଟି ସେଲ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚତ୍ତ ହେଲେ ପ୍ରତିରକ୍ଷାତନ୍ତ୍ର ଶରୀର କୋଷଗୁଡିକୁ ଆକ୍ରମଣ କରି ଜାତ କରେ ଏକାହକ ପ୍ରକାର ରୋଗ। ସେହିସବୁ ରୋଗକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଅଟୋଇମ୍ୟୁନ ଡିଜିଜ’ ବା ‘ନିଜର ପ୍ରତିରକ୍ଷାତନ୍ତ୍ର ଦ୍ୱାରା ସୃଷ୍ଟ ରୋଗ’।
ପ୍ରାୟୋଗିକ କ୍ଷେତ୍ର
ବ୍ରଙ୍କୋ, ରାମସଡେଲ ଓ ସାକାଗୁଚିଙ୍କ ଦ୍ୱାରା ଏହି ଯୁଗାନ୍ତକାରୀ ଆବିଷ୍କାରର ରହିଛି ସୁଦୂରପ୍ରସାରୀ ଅନୁକୂଳ ପ୍ରଭାବ। ଆମର ଅତି ପରିଚିତ ରିଭମାଟଏଡ ଆର୍ଥାଇଟିସ ନାମକ ଗଣ୍ଠିରୋଗ, ଟାଇପ-୧ଡାଇବେଟିସ୍, ମଲଟିଲ ସ୍କ୍ଲେଲୋରିସ୍, ସିଷ୍ଟେମିକ୍ ଲପସ, ଏରିଥୋମୋଟସ, ଥାଇରଏଡାଇଟିସ୍ ଇତ୍ୟାଦି ଅଟୋଇମ୍ୟୁନ ରୋଗ। ଅଙ୍ଗ ପ୍ରତିରୋପଣ ଏବଂ କେତେକ କ୍ୟାନ୍ସରର ମଧ୍ୟ ଏହାର ସମ୍ପର୍କ ରହିଛି। ତେବେ ରେଗୁଲେଟରୀ ଟି ସେଲ୍ଭିତ୍ତିକ ଚିକିତ୍ସା ସଂପ୍ରତି ରହିଛି ପରୀକ୍ଷାସ୍ତରରେ। ମାତ୍ର ଏହାର ଚିକିତ୍ସା ପଦ୍ଧତିର ଭବିଷ୍ୟତ ବେଶ୍ ଉଜ୍ଜ୍ୱଳ।
(ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭିପ୍ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ-୧୪
ମୋ : ୯୪୩୭୭୬୬୧୧୭