Traffic sign quoting shutdown
ଠାକୁରମୁଣ୍ଡା,୫ା୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ପଞ୍ଚାୟତରେ କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଦୁର୍ଗୀ ମାରାଣ୍ଡି। ମଙ୍ଗଳବାରଠାରୁ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଶଟ୍ଡାଉନ୍ କରାଯାଇଛି। ଏନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଞ୍ଚାୟତ ପକ୍ଷରୁ ପ୍ରଚାର କରାଯାଇ ଏହି ସମୟ ମଧ୍ୟରେ କେହି ଘରୁ ନ ବାହାରିବାକୁ କୁହାଯାଇଛି। ଏଥିସହିତ କେନ୍ଦୁଜିଆଣିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ କେନ୍ଦୁଜିଆଣି ସଙ୍ଗରୋଧ କେନ୍ଦ୍ରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଙ୍ଗଳବାର ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହି କେନ୍ଦ୍ରରୁ ଜଣେ କୋଭିଡ୍ ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏହି ୪ ଜଣକୁ ମିଶାଇ ସେଠାରୁ ମୋଟ୍ ୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।