ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ତାଲୁକ ଆଇନ ସେବା କମିଟି ଓ ଜେଏମ୍ଏଫ୍ସି (JMFC) ଅଦାଲତର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାରୀ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା। ସ୍ଥାନୀୟ ମାଜିଷ୍ଟ୍ରେଟ ଡ. ତାରିଣୀ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନାକ୍ଷୀ ସାମଲ, ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ଏମ୍ଏମ୍ପି୍ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ପରିଚାଳକ ଜୟ କୃଷ୍ଣ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ଆଧୁନିକ ସମାଜ ଗଠନରେ ନାରୀଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିବା ସହ ସେମାନଙ୍କ ସାମାଜିକ ଓ ଆଇନଗତ ଅଧିକାର ବିଷୟରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ଲକ୍ଷ୍ମୀ ମାଝୀ (ପ୍ରଥମ), ବିନୟା ନାଏକ (ଦ୍ୱିତୀୟ) ଏବଂ ସ୍ବାତୀ ନାଏକ (ତୃତୀୟ)ଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ତାଲୁକ ଆଇନ ସେବା କମିଟି ଓ ଅଦାଲତର କର୍ମଚାରୀ ପ୍ରହଲ୍ଲାଦ ସୁନାନୀ, ଜିମି ବେହେରା ଓ ପାର୍ଥ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।