‘ରାଷ୍ଟ୍ର ନିର୍ମାଣରେ ଶିକ୍ଷାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଚତୁର୍ଥତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ବେହେରାଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମକୁ ବ୍ରାହ୍ମଣୀଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃପାସିନ୍ଧୁ ସିଂ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିଲେ। ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମିତ କୁମାର ଦୀପଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥିଙ୍କ ସମେତ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଅଜୟ କୁମାର ରଣସିଂ, ଅନ୍ୟତମ ସ୍ବତନ୍ତ୍ର ଅତିଥି ଭାବେ ଦାରିଙ୍ଗବାଡ଼ି ସବ୍‌ରେଜିଷ୍ଟ୍ରାର ଅଧିକାରୀ ନିହାର ରଞ୍ଜନ ସେଠ, ଦାରିଙ୍ଗବାଡ଼ିର ବରିଷ୍ଠ ଶିକ୍ଷକ ନରେନ୍ଦ୍ର ବେହେରା, ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ଜେନା, ଝିଞ୍ଜିରୀଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ବିଷୋୟୀ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଯକ୍ଷ ବଡ଼ମାଝି ପ୍ରମୁଖ ମଞ୍ଚାସୀନ ଥିଲେ।

ସମସ୍ତ ଅତିଥିଙ୍କୁ ବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ବିବରଣୀରେ ୨ ଛାତ୍ରୀ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରି ସଫଳ ପାଇଛନ୍ତି। ସେହିପରି ୮ ଜଣ କ୍ରୀଡ଼ାରେ ଜିଲାସ୍ତରରେ ପୁରସ୍କୃତ ହୋଇଥିବା କୁହାଯାଇଥିଲା। ଦଶମ ଶ୍ରେଣୀରେ ଛାତ୍ରୀମାନେ ଭଲ ପରୀକ୍ଷାଫଳ ରଖୁଥିବା ବେଳେ ଗତ ୨୦୧୨ରୁ ଏହି ବିଦ୍ୟାଳୟ ଘୋଷଣା କରାଯାଇଥିବା ବେଳେ ୨୦୧୭ରୁ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବା ପ୍ରଧାନଶିକ୍ଷକ କହିଥିଲେ। ବିଦ୍ୟାଳୟରେ ରହିଥିବା ସମସ୍ୟା ତଥା ସଭାଗୃହର ଜରୁରୀ ରହିଥିବା ବେଳେ କୂପ ଖୋଳାଯାଇଥିଲେ ମଧ୍ୟ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଜଳ ସଙ୍କଟ ରହିଥିବା ସହ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଏଠାରୁ ଡେପୁଟେଶନ କରାଯାଇଥିଲେ ସୁଦ୍ଧା ସେମାନଙ୍କୁ ଫେରେଇ ଅଣାଯାଉନାହିଁ କି ସେମାନଙ୍କ ବଦଳରେ ଏଠାରେ କାହାକୁ ନିଯୁକ୍ତି ଦିଆଯାଉନାହିଁ। ଫଳରେ ଛାତ୍ରୀଙ୍କୁ ଶିକ୍ଷାଦାନରେ ସମସ୍ୟା ଦେଖାଯାଇଛି ବୋଲି କହିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ଶିକ୍ଷକମାନଙ୍କ ମଧ୍ୟ କଠିନ ପରିଶ୍ରମ ଓ ଏକାଗ୍ରତା ଜରୁରୀ ବୋଲି କୁହାଯିବା ସହ ରାଷ୍ଟ୍ର ନିର୍ମାଣରେ ଶିକ୍ଷାର୍ଥୀମାନଙ୍କ ଭୂମିକା ଓ ଅଭିଭାବକମାନଙ୍କ ଦାୟିତ୍ୱ ସମ୍ପର୍କରେ କୁହାଯାଇଥିଲା। ଘରେ ଛାତ୍ରୀମାନେ ରହିଥିବା ସମୟରେ ଅଭିଭାବକମାନଙ୍କ ସହ ରହୁଛନ୍ତି ସେମାନଙ୍କୁ ଅଭିଭାବକ ସଂସ୍କାର ଦେବା ଦରକାର ବିଦ୍ୟାଳୟକୁ ଆସିଲେ ଶିକ୍ଷୟିତ୍ରୀଶିକ୍ଷକଙ୍କ ଗୁରୁଦାୟିତ୍ୱ ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଉତ୍ସବକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା। ସେମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ା, ସଙ୍ଗୀତ, କୁଇଜ୍‌, ରଚନା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା। କୃତୀ ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Dharitri – Odisha’s No.1 Odia Daily