ବିକାଶର ଲକ୍ଷ୍ୟ ହାସଲ କରିବାରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବିଶ୍ୱବ୍ୟାପୀ ଅଣ-ସରକାରୀ ସଂଗଠନ (ଏନ୍‌ଜିଓ)ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନିତ କରିବା ଏବଂ ସ୍ବୀକୃତି ଦେବା ପାଇଁ ପ୍ରତିବର୍ଷ ଫେବୃଆରୀ ୨୭ରେ ବିଶ୍ୱ ଏନ୍‌ଜିଓ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଏନ୍‌ଜିଓଗୁଡ଼ିକରେ ଅଧିକ ସକ୍ରିୟ ଭାବରେ ସାମିଲ ହେବା ପାଇଁ ପ୍ରେରଣା ଦେବା। ଏହି ଦିନର ଗୁରୁତ୍ୱ ଆମ ସମସ୍ତଙ୍କ ପାଇଁ ବହୁତ ବଢ଼ିଯାଏ।

ବିଶ୍ୱ ଏନଜିଓ ଦିବସ ପ୍ରଥମେ ୨୦୧୦ରେ ବାଲ୍ଟିକ୍‌ ସି ଏନ୍‌ଜିଓ ଫୋରମ ଦ୍ୱାରା ପ୍ରସ୍ତାବିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ୨୦୧୨ରେ ଫୋରମ ଦ୍ୱାରା ଗୃହୀତ କରାଯାଇଥିଲା। ପ୍ରାରମ୍ଭରେ ଏହି ଦିବସକୁ କେବଳ ଫୋରମର ଅଂଶ ଥିବା ଦେଶଗୁଡ଼ିକ ଯେପରିକି ଡେନ୍‌ମାର୍କ, ଏଷ୍ଟୋନିଆ, ଫିନ୍‌ଲାଣ୍ଡ, ଜର୍ମାନୀ ଏବଂ ଅନ୍ୟାନ୍ୟ ଦେଶରେ ସ୍ବୀକୃତି ଦିଆଯାଇଥିଲା। ୨୦୧୪ରୁ ଯେତେବେଳେ ଜାତିସଂଘ ଏବଂ ୟୁରୋପୀୟ ସଂଘ ଭଳି ସଂଗଠନର ନେତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ସେତେବେଳେ ଏହି ଦିବସଟି ଅନ୍ୟ ଦେଶରେ ପାଳନ କରାଯିବା ଆରମ୍ଭ ହୋଇଥିଲା।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଶ୍ୱ ଏନ୍‌ଜିଓ ଦିବସ ପାଳନର ଏକ ଥିମ୍‌ ରହିଛି। ତାହା ହେଲା ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) ହାସଲ କରିବାରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ଥାୟୀ ଭବିଷ୍ୟତ ପାଇଁ ତୃଣମୂଳସ୍ତରର ଆନ୍ଦୋଳନଗୁଡ଼ିକୁ ସଶକ୍ତ କରିବା ଆବଶ୍ୟକ।