ଦେଶର ଅଭିବୃଦ୍ଧି ଓ ବିକାଶରେ ଇଞ୍ଜିନିୟରଙ୍କର ଭୂମିକା ଅନସ୍ବୀକାର୍ଯ୍ୟ। ରାସ୍ତା, କୋଠା, ବନ୍ଧଗୁଡ଼ିକଠାରୁ ଆରମ୍ଭକରି କଳକାରଖାନା, ଯାନବାହନ, ବିଦ୍ୟୁତ ଉତ୍ପାଦନ, ଜଳସେଚନ ଆଦି ଦ୍ୱାରା ଦେଶର ପ୍ରଗତି ହୋଇଥାଏ। ଦେଶ ନିର୍ମାଣରେ ଏମାନଙ୍କର ଗୁରୁତ୍ୱକୁ ସ୍ବୀକୃତି ଜଣାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୫ରେ‘ଜାତୀୟ ଇଞ୍ଜିନିୟର୍ସ ଦିବସ’ ପାଳନ କରାଯାଉଛି। ଏହି ଦିବସକୁ ଚୟନ କରିବାର ଉଦ୍ଦେଶ୍ୟ ଭାରତର ବିଶିଷ୍ଟ ଇଞ୍ଜିନିୟର ତଥା ଆଧୁନିକ ଭାରତର ଅନ୍ୟତମ ନିର୍ମାତା ସାର୍ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମ ଦିବସ। ଏଣୁ ଏହା ମଧ୍ୟ ହେଉଛି ତାଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି।
୧୮୬୧ ସେପ୍ଟେମ୍ବର ୧୫ରେ କର୍ନାଟକର ମୁଦେନହାଲିଠାରେ ଭୂମିଷ୍ଠ ହୋଇଥିଲେ। ପୁଣେର ବିଜ୍ଞାନ କଲେଜରୁ ସିଭିଲ ଇଞ୍ଜିନିୟରିଂ ସ୍ନାତକ ଡିିଗ୍ରୀ ହାସଲ ପରେ ସେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ସେ ଅନେକ ବନ୍ଦର ଡିଜାଇନ୍ ଓ ନିର୍ମାଣ କରିଥିଲେ। ତେବେ ନଦୀ ବନ୍ଧ ପାଇଁ ସ୍ବୟଂକ୍ରିୟ ଫାଟକ ଉଦ୍ଭାବନ ହେଉଛି ତାଙ୍କର ବଡ଼ କୃତି।
ସେ ୧୯୦୮ରେ ସରକାରଙ୍କଠାରୁ ସ୍ବେଚ୍ଛାକୃତ ଅବସର ନେଇ ହାଇଦ୍ରାବାଦରେ ମୁଖ୍ୟଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ସେଠାରେ ସେ ମୁସି ନଦୀ ବନ୍ୟାରୁ ସହରକୁ ରକ୍ଷାକରିବା ପାଇଁ ଉପାୟ ବାହାର କରିଥିଲେ। ଏହାପରେ ମହୀଶୂର ରାଜ୍ୟର ମୁଖ୍ୟଯନ୍ତ୍ରୀ ଭାବେ ଯୋଗଦେଲେ। ମହୀଶୂର କୃଷ୍ଣରାଜସାଗର ବନ୍ଧ ହେଉଛି ତାଙ୍କର କୀର୍ତ୍ତି।
ମହୀଶୂର ରାଜ୍ୟର ଦଓ୍ବୋନ ମଧ୍ୟ ଥିଲେ।
ଏହି ସମୟରେ ସେ ରାଜ୍ୟରେ ଅନେକ ସ୍କୁଲ ସ୍ଥାପନ କରିଥିଲେ। ଚନ୍ଦନ କାଠରୁ ସାବୁନ୍ ଓ ତେଲ ପ୍ରସ୍ତୁତ ପାଇଁ କାରଖାନା ସହ ଏକ ଲୁହା ଇସ୍ପାତ କାରଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ। ଏଥିସହ ବାଙ୍ଗାଲୋରଠାରେ ଗୋଟିଏ କଲେଜ ମଧ୍ୟ ସ୍ଥାପନ କରିଥିଲେ।
ସରକାର ତାଙ୍କୁ ୧୯୧୫ରେ ‘ନାଇଟ୍’ ଉପାଧି ପ୍ରଦାନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ଭାରତ ସରକାର ତାଙ୍କୁ ୧୯୫୫ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିଥିଲେ। ସେ ଜୀବନ ସାରା ସଚ୍ଚୋଟ, କର୍ମତତ୍ପର ଓ ନିଷ୍ଠାବାନ୍ ହୋଇ କାର୍ଯ୍ୟ କରିଥିଲେ। ଏହି ଭବ୍ୟପ୍ରତିଷ୍ଠ ଇଞ୍ଜିନିୟର ୧୯୬୨ ଏପ୍ରିଲ ୧୪ ରେ ଇହଲୀଳା ସମ୍ବରଣ କରିଥିଲେ। ଆଜିର ଦିବସରେ ଆମେ ତାଙ୍କର ସ୍ମୃତିକୁ ମନେ ପକାଇ ଦେଶକୁ ଇଞ୍ଜିନିୟରିଂ କ୍ଷେତ୍ରରେ ଆଗେଇ ନେବାକୁ ସଂକଳ୍ପ କରିବା। ତେବେ ଚଳିତ ବର୍ଷ ଇଞ୍ଜିନିୟର୍ସ ଦିବସର ଆଲୋଚ୍ୟ ବିଷୟ ହେଉଛି ‘ଗଭୀର ପ୍ରଯୁକ୍ତି ଏବଂ ଇଞ୍ଜିନିୟରିଂ ଉତ୍କର୍ଷ : ଭାରତର ପ୍ରଯୁକ୍ତିବିଦ୍ୟାକୁ ଆଗକୁ ନେବା“।
-ଇଂ. ମାୟାଧର ସ୍ବାଇଁ,
ମୋ : ୯୪୩୮୬୯୩୭୨୪