ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ ୩୯ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ସକାଳେ ଏନେଇ ଘର ଲୋକ ଜାଣିବା ପରେ ସନ୍ଦେହରେ ଦୁର୍ବୃତ୍ତଙ୍କୁ ଖୋଜିଥିଲେ। ଏହାପରେ ସଂପୃକ୍ତ ଅଞ୍ଚଳବାସୀ ଦୁର୍ବୃତ୍ତଙ୍କୁ ଠାବ କରି ନିସ୍ତୁକ ମାଡ ଦେବାପରେ ପୋଲିସରେ ଜିମା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଲୁଟ ଟଙ୍କା ଓ ଅଳଙ୍କାରକୁ ଉଦ୍ଧାର କରି ଅଭିଯୋଗକାରୀଙ୍କୁ ଫେରାଇଛନ୍ତି।

ସୂଚନା ଯୋଗ୍ୟ ଯେ, ଗିରିଧାରୀ ସ୍ବାଇଁଙ୍କ ମା’ ସବୁ ଦିନ ଭଳି ଆଜି ସକାଳ ପ୍ରାୟ ୩ ଟା ସମୟରେ ଉଠି ଫୁଲ ତୋଳିବାକୁ ଯାଇଥିଲେ। ତେଣୁ ସେ ବାରିପଟ କବାଟ ଖୋଲି ଫୁଲ ତୋଳିବାକୁ ଯାଇଥିଲେ। କିନ୍ତୁ ଭିତର ପଟୁ ଘର ଲୋକ ଆଉ କବାଟ ଦେଇନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ଘର ଭିତରେ ପଶି ଏକ ବାକ୍ସ ଭିତରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାର କିଛି ସମୟ ପରେ ଘର ଲୋକ ଉଠି ଦେଖିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଥାନା ଅଧିକାରୀ ଜିବନା ନନ୍ଦ ଜେନା ଅଭିଯୋଗ ପାଇବା ପରେ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଲୁଟ ଜିନିଷ ଉଦ୍ଧାର କରିବାରେ ପୋଲିସ ସକ୍ଷମ ହୋଇଥିଲେ। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି।

 

Dharitri – The Largest & Most Trusted Odia Daily