ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମରାମତି କାର୍ଯ୍ୟ ହୋଇପାରି ନାହିଁ। ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ଭାରିଯାନ ଯିବାଆସିବା କରିବା ଫଳରେ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିବା ସାମାଜିକ କର୍ମୀ ଚୈତନ୍ୟ ସାହୁ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତଠାରୁ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କେହି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗକରି ଆସନ୍ତା ମାସ ୮ ତାରିଖରେ କୁଶୁର୍ଲା ସିଲେଟପଡ଼ା ଛକ ଜାତୀୟ ରାଜପଥରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ସେମାନେ କର୍ଲାମୁଣ୍ଡା ବିଡିଓ ଓ ତହସିଲଦାର, ଆର୍‌ଡି ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ, ମ.ରାମପୁର ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ସୂଚନାଯୋଗ୍ୟ, ତତ୍କାଳୀନ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ କର୍ଲାମୁଣ୍ଡା ଖ ଜୋନ୍‌ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଉକ୍ତ ରାସ୍ତା ନିର୍ମାଣ ପାଇଁ ଲିଖିତ ଦରଖାସ୍ତ କରିଥିଲେ। ପରେ ଆର୍‌ଡି ବିଭାଗ ପକ୍ଷରୁ କୁଶୁର୍ଲା-ସିଲେଟପଡ଼ା ୩.୪୦ କି.ମି. ରାସ୍ତା ଓ ସିଲେଟପଡ଼ା ଶୀଶାଖାଲ ଜୋରଠାରେ ବ୍ରିଜ୍‌ ନିର୍ମାଣ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରି ନାହିଁ। ଏ ନେଇ କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଆର୍‌ଡି) ଦାୟିତ୍ୱରେ ଥିବା ଯନ୍ତ୍ରୀ ସୋସନ କୁଣ୍ଡୁଲୁଙ୍କୁ ପଚାରିବାରୁ ଉକ୍ତ ରାସ୍ତା ଓ ବ୍ରିଜ଼୍‌ ନିର୍ମାଣ ପାଇଁ ଆମ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି, ରାଜ୍ୟ ସ୍ତରରେ ବ୍ରିଜ୍‌଼ ନିର୍ମାଣ ପାଇଁ ଆବଶ୍ୟକ ଡ୍ରଇଂ ସିଟ୍‌ ଆସିବା ପରେ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 

Share