ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି କରିବା ତ ଦୂରର କଥା, ଏପର୍ଯ୍ୟନ୍ତ ସେମାନେ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇପାରିନାହାନ୍ତି କିମ୍ବା ସେମାନଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଏଭଳି ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ଧାନମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଗତ ୯ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଗଦାକରି ଦିନରାତି ଧାରଣାରେ ବସିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ଚାଷୀ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଧାରଣାକୁ ସମର୍ଥନ ବଢ଼ିଚାଲିଛି।
ବୁଧବାର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର କର୍ମୀମାନେ ଧାରଣାସ୍ଥଳରେ ପହଞ୍ଚତ୍ ସମର୍ଥନ ଜଣାଇଥିଲେ। ସଂଗଠନର ଆବାହକ ଅଶୋକ ସାହୁ ଆନ୍ଦୋଳନକୁ ସମର୍ଥନ ଜଣାଇ କହିଥିଲେ, ଗତ ସରକାର ସମୟରେ ପଦ୍ମପୁର ଉପଖଣ୍ଡରେ ମଧ୍ୟ ଏହିପରି ସମସ୍ୟା ଉପୁଜି ଥିଲା। ଧାନ ବିକ୍ରି ନ ହେବାରୁ ଚାଷୀମାନେ ପଦ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ସେତେବେଳେ ଧାନ ପକାଇ ୬୩ ଦିନ ଧାରଣାରେ ବସିଥିଲେ। ତତ୍କାଳୀନ ସରକାର ବାଧ୍ୟ ହୋଇ ସରକାରୀ ମୂଲ୍ୟରେ ସମସ୍ତ ଧାନ କିଣିଥିଲେ। ଏଣୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ଯଦି ଧାନ କିଣା ନ ଯାଏ, ତେବେ ଏହି ଆନ୍ଦୋଳନ ପଦ୍ମପୁରରେ ମଧ୍ୟ ପ୍ରତିଫଳିତ ହେବ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ, ସରକାର ବଦଳିଲା, ହେଲେ ଚାଷୀଙ୍କ ସମସ୍ୟା ଅସମାହିତ ରହିଗଲା। ଚଳିତ ବର୍ଷ ଅନେକ ଚାଷୀ ପଞ୍ଜୀକରଣରୁ ବାଦ୍ ପଡିଛନ୍ତି । ପଞ୍ଜୀକରଣ କରିଥିବା ଚାଷୀଙ୍କ ଜମି ତୁଳନାରେ ଟୋକନ ଆସିଲା ନାହିଁ। ଦୀର୍ଘଦିନ ଧରି ମଣ୍ଡିରେ ଧାନ ପଡ଼ିରହିଛି ଏବଂ କଟ୍ନି ଛଟ୍ନିରେ ରାଜି ନ ହେଲେ ଧାନ ଉଠୁ ନ ଥିବାର ନଜିର ଦେଖିବାକୁ ମିଳିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଏଣୁ ବିକ୍ରି ଅପେକ୍ଷାରେ ରହିଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ସରକାରଙ୍କୁ ସେ ଅନୁରୋଧ କରିଥିଲେ॥
ରାଜବୋଡ଼ାସମ୍ବର କୃଷକ ସଂଗଠନର ଅନ୍ୟ ସଦସ୍ୟ କୈଳାସ ବାରିକ, ଅମୃତଲାଲ୍ ସାହୁ, ପୃଥିବୀ ରାଜ ନାୟକ, ରାମଚନ୍ଦ୍ର ବିଶ୍ୱାଳ, ଶତ୍ରୁଘନ ତ୍ରିପାଠୀ, ପ୍ରଫୁଲ୍ଲ ବେହେରା, ତେଜରାଜ ଗଡ଼ତିଆ, ପରାଶର ସାହୁ, ଗୋପବନ୍ଧୁ ପଧାନ, ଭୋଳାନାଥ ବେହେରା, ରମେଶ ସାହୁ, ନବୀନ ବେହେରା ଏବଂ ବିଜୟ ସାହୁ ପ୍ରମୁଖ ମଧ୍ୟ ସାମିଲ ଥିଲେ। ଜିଲା ସମାଜସେବୀ ସଂଘ ସଭାପତି ବଳିଷ୍ଠ ଦୁର୍ଗା ଏବଂ ବରଗଡ଼ ନାଗରିକ ମଞ୍ଚ ସମ୍ପାଦକ ଭବାନୀ ସାହୁ ଧାରଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଧାରଣାରତ ଚାଷୀମାନଙ୍କ ସହ ସେମାନଙ୍କ ସମସ୍ୟା ଓ ହକ୍ ନେଇ ଆଲୋଚନା କରିଥିଲେ।