ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର ପୁଲ୍’ ବା RAPP ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୧,୩୦୭ ଜଣ ଖେଳାଳିଙ୍କ ନାମ ରହିଛି। ଫ୍ରାଞ୍ଚାଇଜ୍ ଗୁଡ଼ିକ ଆବଶ୍ୟକ ସ୍ଥଳେ ବଦଳ ଖେଳାଳି ଭାବେ ସେମାନଙ୍କୁ ଦଳରେ ସାମିଲ କରିପାରିବେ।
ଡିସେମ୍ବର ୧୬ରେ ଆବୁଧାବିରେ ହୋଇଥିବା ନିଲାମ ପ୍ରକ୍ରିୟାରେ ବିକ୍ରି ନ ହୋଇଥିବା ଖେଳାଳିଙ୍କ ନାମ RAPPରେ ରହିଛି। ଯଦି କୌଣସି ଦଳର ଜଣେ ଖେଳାଳି ଆହତ ହୁଅନ୍ତି ବା ଅନ୍ୟ କୌଣସି କାରଣରୁ ଖେଳିପାରନ୍ତି ନାହିଁ, ତେବେ ସେହି ଫ୍ରାଞ୍ଚାଇଜ୍ କେବଳ ଏହି RAPP ତାଲିକାରୁ ହିଁ ନୂଆ ଖେଳାଳି ବାଛିପାରିବ।
ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍, ନ୍ୟୁଜିଲ୍ୟାଣ୍ଡର ଡାରିଲ୍ ମିଚେଲ୍, ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ, ଜାମି ସ୍ମିଥ୍ ଏବଂ ରିସ୍ ଟପ୍ଲେଙ୍କ ଭଳି ବଡ଼ ନାମ ଏହି ତାଲିକାରେ ଅଛନ୍ତି। ଅଭିଜ୍ଞ ବୋଲର ଉମେଶ ଯାଦବ, ମୟଙ୍କ ଅଗ୍ରୱାଲ, ଦୀପକ ହୁଡା, କେଏସ୍ ଭରତ, ନଭଦୀପ ସୈନି, ଚେତନ ସାକାରିୟା ଏବଂ ସନ୍ଦୀପ ୱାରିୟରଙ୍କ ଭଳି ଖେଳାଳି ମଧ୍ୟ ସାମିଲ ଅଛନ୍ତି।
BCCI ର ନିୟମ ଅନୁଯାୟୀ କୌଣସି ଫ୍ରାଞ୍ଚାଇଜ୍ ଜଣେ ଖେଳାଳିଙ୍କୁ ତାଙ୍କର ନିର୍ଦ୍ଧାରିତ ବେସ୍ ପ୍ରାଇସ୍ ଠାରୁ କମ୍ ମୂଲ୍ୟରେ କିଣିପାରିବେ ନାହିଁ। ଯଦି କୌଣସି ଦଳ ଜଣେ RAPP ଖେଳାଳିଙ୍କୁ ନେଟ୍ ବୋଲର ଭାବେ ରଖିଛନ୍ତି, ତଥାପି ସେହି ଖେଳାଳିଙ୍କ ଉପରେ ସେମାନଙ୍କର କୌଣସି ଅଗ୍ରାଧିକାର ଅଧିକାର ରହିବ ନାହିଁ। ଯଦି ଅନ୍ୟ କୌଣସି ଦଳ ତାଙ୍କୁ ମୁଖ୍ୟ ଦଳରେ ବଦଳ ଖେଳାଳି ଭାବେ ନେବାକୁ ଚାହାନ୍ତି, ତେବେ ତାଙ୍କୁ ତୁରନ୍ତ ରିଲିଜ୍ କରିବାକୁ ପଡ଼ିବ।
ଏହି ତାଲିକା ପ୍ରକାଶ ପାଇବା ପରେ ଏବେ ଫ୍ରାଞ୍ଚାଇଜ୍ ଗୁଡ଼ିକ ସେମାନଙ୍କର ରଣନୀତି ପ୍ରସ୍ତୁତ କରିବା ସହ ଆଗାମୀ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।