ନନ୍ଦିନୀଙ୍କ ଓଡ଼ିଶା

ନାରୀ ଅସ୍ମିତାର ତେଜୋଦୀପ୍ତ ସ୍ବର ନନ୍ଦିନୀ ଶତପଥୀ। ସମାଜର ଅବହେଳିତ ଓ ନିଷ୍ପେଷିତ ମଣିଷର ବ୍ୟଥା ଓ ବେଦନାକୁ ଦୂର କରିବାର ସଙ୍କଳ୍ପ ନେଇ ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ସ୍କୁଲ ଜୀବନରୁ ତାଙ୍କ ଭିତରେ ଚମକୁଥିଲା ଅନ୍ୟାୟ ଅନୀତି ବିରୋଧରେ ଲଢ଼େଇ କରି ଆଗକୁ ବଢ଼ିବାର ଆଗ୍ନେୟ ଆଭା। ୧୯୬୨ ମସିହାରେ ନନ୍ଦିନୀଦେବୀ ରାଜ୍ୟ ସଭାକୁ ନିର୍ବାଚିତ ହେଲେ ଏବଂ ଏଇଠୁ ବିଧିବଦ୍ଧ ଭାବରେ ଆରମ୍ଭ ହେଲା ତାଙ୍କର ରାଜନୈତିକ ଜୀବନ। ୧୯୬୬ରେ ସେ କେନ୍ଦ୍ର ତଥ୍ୟ ଓ ବେତାର ମନ୍ତ୍ରୀ ହେବା ପରେ ନିଜର ରାଜନୈତିକ ପାରଦର୍ଶିତା ବଳରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍‌ ଘନିଷ୍ଠ ହୋଇଗଲେ ଏବଂ ମିନିଷ୍ଟର ଆଟାଚ ଟୁ ପ୍ରାଇମିନିଷ୍ଟର ଭାବରେ ନିର୍ବାହ କଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ୧୯୭୨ ମସିହାର ରାଜନୈତିକ ଘଟଣାଚକ୍ର ତାଙ୍କୁ ବାଧ୍ୟ କରିଥିଲା ଓଡ଼ିଶା ରାଜନୀତିର ମଙ୍ଗ ଧରିବା ପାଇଁ। ବିଶ୍ବନାଥ ଦାସଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ କ୍ଷମତା କନ୍ଦଳ ଏକ ରୋଚକ ମୋଡ଼ ନେଉଥିବା ବେଳେ ଶାସକ କଂଗ୍ରେସ ସହିତ ମିଶିଗଲା ଉତ୍କଳ କଂଗ୍ରେସ। ଏହା ଦ୍ବାରା ବିଶ୍ବନାଥ ଦାସଙ୍କ ସରକାର ଭାଙ୍ଗିଲା ଏବଂ ଶାସକ କଂଗ୍ରେସ ନେତୃତ୍ୱରେ ଗଠନ ହେଲା ସରକାର। ଦଳର ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ (୧୪ା୬ା୧୯୭୨) ନନ୍ଦିନୀଦେବୀ। ଶପଥ ନେବାର ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାର ସାମ୍ବିଧାନିକ ବ୍ୟବସ୍ଥା ଥିବାରୁ ଆରମ୍ଭ ହେଲା ଉପନିର୍ବାଚନ ପ୍ରକ୍ରିୟା। କଟକ ବିଧାନସଭା ଆସନରେ ସେ ପ୍ରାର୍ଥୀ ହେଲେ ଏବଂ ତାଙ୍କ ବିରୋଧରେ ଲଢ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର। ୧୧ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜୟଯୁକ୍ତ ହେଲେ ନନ୍ଦିନୀ ଦେବୀ। ଉପନିର୍ବାଚନ ଜିତିବା ପରେ ତାଙ୍କର ପ୍ରଥମ ପଦକ୍ଷେପ ଥିଲା ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରୁ ଅଟକିଥିବା ଭୂସଂସ୍କାର ଆଇନର ସଂଶୋଧନ ଓ ତା’ର ବ୍ୟାପକ ଓ ସଘନ କାର୍ଯ୍ୟାନ୍ବୟନ। ତତ୍କାଳ ଆରମ୍ଭ ହେଲା ଚିଠା ପ୍ରସ୍ତାବ ପ୍ରସ୍ତୁତି। ପୂର୍ଣ୍ଣ ସହଯୋଗ କଲେ ରାଜସ୍ବ ମନ୍ତ୍ରୀ ବ୍ରଜମୋହନ ମହାନ୍ତି, ଅର୍ଥମନ୍ତ୍ରୀ ବାଙ୍କବିହାରୀ ଦାସ, ଲୋକନାଥ ଚୌଧୁରୀ ଓ ଭାଗବତ ପ୍ରସାଦ ମହାନ୍ତି ପ୍ରମୁଖ ସମାଜବାଦୀ ଚିନ୍ତାଧାରାର ନେତୃମଣ୍ଡଳୀ। ୧୯୭୩ ଫେବୃଆରୀ ଶେଷ ସପ୍ତାହରେ ଚିଠା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଧାର୍ଯ୍ୟ ହେଲା ସମୟ। ଅନ୍ୟପକ୍ଷରେ ଏହାକୁ ଭଣ୍ଡୁର କରିବା ପାଇଁ ଚାଲିଲା ଷଡ଼ଯନ୍ତ୍ର। ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ନୀଳମଣି ରାଉତରାୟଙ୍କ ଉପରେ ପଡ଼ିଲା ଚାପ। ସରକାର ଭାଙ୍ଗିଗଲେ ସେ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ-ଏଭଳି ଏକ ଲୋଭନୀୟ ପ୍ରସ୍ତାବକୁ ଏଡି ନ ପାରି ନିଜ ସମର୍ଥକଙ୍କ ସହ ସରକାରରୁ ଓହରିଗଲେ ନୀଳମଣି ରାଉତରାୟ। ଏତିକିବେଳେ ତାଙ୍କୁ ଧୋକା ଦେଇ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମର୍ଥନ ଯୋଗାଡ଼ କଲେ ବିଜୁ ପଟ୍ଟନାୟକ। ବିରୋଧୀଙ୍କ ଚକ୍ରାନ୍ତର ମୁକାବିଲା କରିବାକୁ ଯାଇ ନନ୍ଦିନୀ ଦେବୀ ତୁରନ୍ତ ମନ୍ତ୍ରିମଣ୍ଡଳ ବୈଠକ ଡାକିଲେ ଏବଂ ମନ୍ତ୍ରିମଣ୍ଡଳର ପ୍ରସ୍ତାବ କ୍ରମେ ରାଜ୍ୟରେ ଜାରି ହେଲା (୩ା୩ା୧୯୭୩) ରାଷ୍ଟ୍ରପତି ଶାସନ।
୧୯୭୪ ଫେବୃଆରୀରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେଲା, ଏଥିରେ ୬୯ଟି ଆସନ ପାଇଥିବା ଶାସକ କଂଗ୍ରେସ ଦଳ କମ୍ୟୁନିଷ୍ଟ ଦଳ ସମର୍ଥନରେ ସରକାର ଗଠନ କଲା ଏବଂ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ (୬ା୩ା୧୯୭୪) ନନ୍ଦିନୀ ଶତପଥୀ। ଦ୍ୱିତୀୟ ପାଳି ଶପଥ ନେବାର ମାସକ ମଧ୍ୟରେ କାର୍ଯ୍ୟକାରୀ କଲେ ଭୂମିହୀନ ଲୋକଙ୍କୁ ସରକାରୀ ଜମି ବଣ୍ଟନ ଯୋଜନା। ସାମାଜିକ ନ୍ୟାୟ ପ୍ରତିଷ୍ଠା ନିମନ୍ତେ ଉଦ୍ଦିଷ୍ଟ ଏହି ଯୋଜନାରେ ୨ ଲକ୍ଷ ୨୩ ହଜାର ଏକର ଜମି ବଣ୍ଟନ ହେଲା ଏବଂ ଏଥିରେ ଉପକୃତ ହେଲେ ୧ଲକ୍ଷ ୩୯ ହଜାର ୨୯୪ ଜଣ ଭୂମିହୀନ ବ୍ୟକ୍ତି। ନନ୍ଦିନୀଦେବୀଙ୍କର ଅଧିକାଂଶ କାର୍ଯ୍ୟକ୍ରମ ଥିଲା ଗ୍ରାମାଭିମୁଖୀ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ। ଲଙ୍ଗଳ ଯାହାର ଜମି ତାହାର- ଏହାକୁ ଦୃଷ୍ଟିରେ ରଖି ସେ ସଂଶୋଧିତ ଭୂସଂସ୍କାର ଆଇନ କାର୍ଯ୍ୟକାରୀ କଲେ, ଯାହା ଫଳରେ ନିର୍ଦ୍ଧାରଣ ହେଲା ପରିବାର ପିଛା ସର୍ବୋଚ୍ଚ ଜମି ରଖିବାର ସୀମା। ଏହି ଆଇନ ବଳରେ ପ୍ରଚୁର ଭୂସମ୍ପତ୍ତି ରଖିଥିବା ଲୋକଙ୍କ ପାଖରୁ ସିଲିଂ ବହିର୍ଭୂତ ଜମି କାଢ଼ିଆଣି ବାଣ୍ଟି ଦିଆଗଲା ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭିତରେ। ତାଙ୍କ ସାହସିକ ପଦକ୍ଷେପ ଯୋଗୁ ରାଜ୍ୟର ୧୩ ହଜାର ମଠ ଓ ମନ୍ଦିରର ଟ୍ରଷ୍ଟ ଇଷ୍ଟେଟକୁ ଉଚ୍ଛେଦ କରାଗଲା ଏବଂ ସମସ୍ତ ଟ୍ରଷ୍ଟବୋର୍ଡ ରହିଲା ସରକାରଙ୍କ ହାତରେ। ବାସହୀନ ଲୋକଙ୍କ ପାଇଁ ସେ ଆରମ୍ଭ କରିଥିଲେ କଳିଙ୍ଗ କୁଟିର ଯୋଜନା। ବିଶେଷକରି ଯେଉଁ ଦୁଇଟି କ୍ଷେତ୍ର ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ତାହା ହେଲା କୃଷି ଓ ଶିକ୍ଷା। ଜମିରେ ଜଳସେଚନ ପାଇଁ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ଅପର କୋଲାବ ଓ ରେଙ୍ଗାଲି ଆଦି ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ଯୋଜନା। ପ୍ରାଥମିକ ଶିକ୍ଷକଙ୍କ ପାଇଁ ସେ ହିଁ ପ୍ରଥମେ ବିଧିବଦ୍ଧ ଭାବରେ ଦରମା ବ୍ୟବସ୍ଥା କଲେ ଏବଂ ବେସରକାରୀ ସ୍କୁଲ ଓ କଲେଜର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ପ୍ରଣୟନ କଲେ ପ୍ରତ୍ୟକ୍ଷ ଅନୁଦାନ ନୀତି। ଦୃଷ୍ଟିହୀନ, ମୂକ ଓ ବଧିର ପିଲାମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଲକ୍ଷ୍ୟରେ ସେମାନଙ୍କ ପାଇଁ ପ୍ରତି ଜିଲାରେ ଖୋଲିଲେ ସ୍ବତନ୍ତ୍ର ବିଦ୍ୟାଳୟ। ବୟସ୍କମାନଙ୍କ ପାଇଁ ରହିଲା ବାର୍ଦ୍ଧକ୍ୟ ବ୍ୟବସ୍ଥା। ନାରୀ ନିର୍ଯାତନା ରୋକିବା ପାଇଁ ଆଣିଲେ ଯୌତୁକ ନିରୋଧ ଆଇନ। ନାରୀଙ୍କ ପ୍ରତି ଅସଦାଚରଣ କ୍ଷେତ୍ରରେ ସେ ଖୁବ୍‌ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି, ଯା’ର ଦୃଷ୍ଟାନ୍ତ ଅନେକ। ଏକଦା କଲିକତାର ଏକ ଖବରକାଗଜରେ ଓଡ଼ିଆଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା କିଛି ଅରୁଚିକର ମନ୍ତବ୍ୟକୁ ନେଇ ସେଠାରେ ଓଡ଼ିଆ ଓ ବଙ୍ଗାଳୀଙ୍କ ଭିତରେ ଆରମ୍ଭ ହେଲା ବିବାଦ। ତା’ର ପ୍ରତିକ୍ରିୟା ସ୍ବରୂପ ଖୋର୍ଦ୍ଧା ଷ୍ଟେଶନରେ କିଛି ଲୋକ ରେଳ ଭିତରେ ପଶି ବଙ୍ଗୀୟ ମହିଳାମାନଙ୍କୁ ଆକ୍ରମଣ କଲେ, ଯାହାକୁ ପ୍ରତିରୋଧ କରିବାକୁ ଯାଇ ନାକେଦମ୍‌ ହେଲା ପୋଲିସ। ଘଟଣା ଏତେ ଉଗ୍ରରୂପ ନେଲା ଯେ ପୋଲିସକୁ ଗୁଳି ଚାଳନା କରିବାକୁ ପଡ଼ିଲା ଏବଂ ପୋଲିସ ଗୁଳିରେ ଚାଲିଗଲା ତିନିଜଣ ଓଡ଼ିଆଙ୍କ ପ୍ରାଣ। ପ୍ରତିବାଦ ସ୍ବରୂପ ଉତ୍ତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ରୁଣ୍ଡ ହେଲେ ଏବଂ ଚାଲିଲା ବିକ୍ଷୋଭ ଓ ନାରାବାଜି। ସେମାନଙ୍କୁ ସାମ୍ନା କରିବା ପାଇଁ ଏକା ଏକା ଘରୁ ବାହାରି ଆସିଲେ ମୁଖ୍ୟମନ୍ତ୍ରୀ। ଲୋକେ ତାଙ୍କୁ ଘେରିଯାଇ ପଚାରିଲେ ଯେଉଁ ତିନିଜଣ ଲୋକ ମଲେ ସେଥିପାଇଁ ଦାୟୀ କିଏ? ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଥିଲା- ସେହି ତିନିଜଣ ଲୋକଙ୍କ ଜୀବନଠାରୁ ଜଣେ ମହିଳାର ଇଜ୍ଜତ୍‌ ରକ୍ଷା ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ବିକ୍ଷୋଭକାରୀଙ୍କ ପରବର୍ତ୍ତୀ ପ୍ରଶ୍ନ ଥିଲା- ତେବେ ପଡ଼ୋଶୀ ରାଜ୍ୟରେ ଓଡ଼ିଆଙ୍କ ଉପରେ ହେଉଥିବା ଆକ୍ରମଣ କ’ଣ ଯଥାର୍ଥ? ତାଙ୍କର ଉତ୍ତର ଥିଲା- ପଡ଼ୋଶୀ ରାଜ୍ୟର ଶାସନ ବ୍ୟବସ୍ଥା ବିଗିଡି ଯିବାର ଅର୍ଥ ନୁହେଁ ଯେ ତା’ର ପ୍ରତିବାଦରେ ନିଜ ରାଜ୍ୟରେ ଅରାଜକତା ସୃଷ୍ଟି କରିବା। ଏଭଳି ଉତ୍ତର ଶୁଣି ଚୁପ ହୋଇଗଲେ ଲୋକେ। ତାଙ୍କ ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଏମିତି ଅନେକ ଘଟଣା ଅଛି। ସପ୍ତମ ଦଶକରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ଓ ଓଡ଼ିଶାର କୋରାପୁଟ ଜିଲାରେ ବଢ଼ି ଚାଲିଥାଏ ମାଓବାଦୀଙ୍କ ପ୍ରାଦୁର୍ଭାବ। ଦୃଢ଼ ହସ୍ତରେ ମାଓବାଦୀ ଦମନ ପାଇଁ ସବୁଆଡୁ ଉଠୁଥାଏ ଦାବି। ମାଓବାଦୀ ସମସ୍ୟାର ସମାଧାନ ନିମନ୍ତେ ଏମିତି ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ସେ ଚାହିଁଥିଲେ ସେମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା। ସେ ଜାଣିଥିଲେ ମାଓବାଦୀ ନେତାମାନଙ୍କୁ ଡାକିଲେ ବି ସେମାନେ ସରକାରଙ୍କ ଉପରେ ଆସ୍ଥା ସ୍ଥାପନ କରି ଆସିବେନି କି ପୋଲିସ ଫୋର୍ସ ନେଇ ତାଙ୍କ ପାଖକୁ ଗଲେ ସେମାନେ କେବେ ରାଜି ହେବେନି ଆଲୋଚନା ପାଇଁ। ସେଥିପାଇଁ ବିନା ପୋଲିସ ଫୋର୍ସରେ ସେ ଏକୁଟିଆ ମାଓବାଦୀଙ୍କ ଆଡ୍ଡାକୁ ଯିବା ପାଇଁ ସ୍ଥିର କଲେ, ଯାହା ଶୁଣି ପୋଲିସ ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ଆଖିରୁ ହଜିଗଲା ନିଦ। ଏଭଳି ବିପଜ୍ଜନକ ନିଷ୍ପତ୍ତିରୁ ଓହରି ଆସିବା ପାଇଁ ସୁରକ୍ଷା ଅଧିକାରୀମାନେ ଯେତେ ଅନୁରୋଧ କଲେ ବି ପାହାଡ଼ ଭଳି ଦୃଢ଼ ଓ ତୁଙ୍ଗ ମନୋବଳକୁ ଟଳାଇବା କ’ଣ ସହଜ। ଶେଷରେ ସେ ସୁରକ୍ଷା ବାହିନୀକୁ ଅନତି ଦୂରରେ ଛାଡ଼ି ଏକା ଏକା ମାଓବାଦୀ ଆଡ୍ଡାରେ ପ୍ରବେଶ କରିଥିଲେ ସେମାନଙ୍କୁ ବସେଇ ସଭା କରିଥିଲେ ସେହି ଘଞ୍ଚ ଜଙ୍ଗଲ ଭିତରେ। ବେଠିପ୍ରଥା ଓ ମହାଜନି କାରବାର ଉଚ୍ଛେଦ ଆଦି ଥିଲା ସେମାନଙ୍କ ଦାବି। ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ବେଠି ପ୍ରଥା ଉଚ୍ଛେଦ ଓ ମହାଜନି କାରବାର ଉପରେ ଅଙ୍କୁଶ ଥିଲା ତାଙ୍କର ଆଉ ଏକ ସାହସିକ ପଦକ୍ଷେପ। ସେତେବେଳେ ଗ୍ରାମାଞ୍ଚଳରେ ସୁଧଖୋର ମହାଜନମାନେ ଗରିବ ଲୋକଙ୍କୁ ଟଙ୍କା ଲଗାଣ କରି ଉଚ୍ଚ ହାରରେ ସୁଧ ଆଦାୟ କରୁଥିଲେ ଏବଂ କେହି ଋଣ ଶୁଝି ନ ପାରିଲେ ନିଲାମ ଆକାରରେ ନେଇଯାଉଥିଲେ ଗୋରୁ, ଜମିବାଡ଼ି ଓ ଘରର ଆସବାବପତ୍ର। ମହାଜନଙ୍କ ଶୋଷଣରୁ ଗରିବ ଲୋକଙ୍କୁ ରକ୍ଷା କରିବା ପାଇଁ ସେ ଦୃଢ଼ ପଦକ୍ଷେପ ନେଲେ, ଯାହା ଫଳରେ ତାଙ୍କ ଉପରେ କ୍ଷୁବ୍ଧ ହେଲେ ସମାଜର ଧନୀ ଶ୍ରେଣୀର ଲୋକେ। କେନ୍ଦୁପତ୍ର ଜାତୀୟକରଣଠାରୁ ‘ଓଡ଼ିଶା ଦିବସ’କୁ ସରକାରୀ ସ୍ତରରେ ପାଳନ କରିବା ନିମନ୍ତେ ପ୍ରଥମେ ପଦକ୍ଷେପ ନେବା ପର୍ଯ୍ୟନ୍ତ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ସେ ଯେଉଁ ଲୋକାଭିମୁଖୀ କାର୍ଯ୍ୟ କରିଯାଇଛନ୍ତି, ତାହା ତାଙ୍କୁ ଜନମାନସରେ ଅମରକରି ରଖିବ କାଳକାଳ ପାଇଁ।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪