ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ ପରିଚାଳନା ଆବର୍ଜନା କୁଣ୍ଡ। ଏହି ପ୍ରକଳ୍ପ ନିର୍ମାଣ କରି ଠିକାଦାର ଓ ବିଭାଗୀୟ ଅଧିକାରୀ କେବଳ ଉପକୃତ ହେଉଥିବା ଅଭିଯୋଗ ହେଉଛି। ଲୋଇସିଂହା ବ୍ଲକର ବୁର୍ଡା, ଯୋଗୀସର୍ଡା, ବାଦିବାହାଲ ଆଦି ଗ୍ରାମରେ ନିର୍ମାଣ ହୋଇଥିବା ଉକ୍ତ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। କାମ କରି ଠିକାଦାର ଓ ବିଭାଗୀୟ ଅଧିକାରୀ କେବଳ ଉପକୃତ ହୋଇଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟ ଓ ପଞ୍ଚାୟତ ଅଧୀନ ଗ୍ରାମରେ ଗୋଟିଏ ଗୋଟିଏ ଆବର୍ଜନା କୁଣ୍ଡ ନିର୍ମାଣ ହୋଇଛି। ପଞ୍ଚାୟତ ମୁଖ୍ୟାଳୟରେ ପ୍ରାୟ ୩ ଲକ୍ଷ ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ଦୂରଦୃଷ୍ଟି ଅଭାବରୁ ଏହି ପ୍ରକଳ୍ପଗୁଡିକ ଗାଁ ଠାରୁ ୨-୩ କିମି ଦୂରରେ ନିର୍ମାଣ ହୋଇଛି। ଗ୍ରାମର ପ୍ରତ୍ୟେକଙ୍କ ଘରୁ ବାହାରୁ ଥିବା ବର୍ଜବସ୍ତୁଗୁଡିକ ସେହି ଆବର୍ଜନା କୁଣ୍ଡକୁ ନେବାକୁ ଗ୍ରାମବାସୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅଧିକାଂଶ ସମୟରେ ମହିଳାମାନେ ପୋଖରୀକୁ ଗାଧୋଇବା ପାଇଁ ଆସିବା ବେଳେ ସେହି ଆବର୍ଜାନକୁ ଆଣି ବାଟଘାଟରେ କିମ୍ବା ପୋଖରୀ ହୁଡାରେ ପିଙ୍ଗି ଦେଉଛନ୍ତି। ଏହାଦ୍ୱାରା ଗ୍ରାମ୍ୟ ପରିବେଶ ପ୍ରଦୂଷିତ ହେବା ସହ ସଂକ୍ରମଣ ଦେଖାଦେଉଛି। ଯୋଗୀସର୍ଡା ଗ୍ରାମର ଆବର୍ଜନା କୁଣ୍ଡ ବାଦିବାହାଲ ରାସ୍ତାର ଶ୍ମଶାନ ଘାଟ ନିକଟରେ ନିର୍ମାଣ ହୋଇଛି ା ଗାଁ ଠାରୁ ପ୍ରାୟ ୨ କିମ ହେବ ା ପ୍ରାୟ ୨ ବର୍ଷ ହେବ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଦ୍ଧା ଲୋକଙ୍କ କାମରେ ଆସୁନାହିଁ ା ଗାଁର ଲୋକେ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ଉପରେ ଘରୁ ବାହାରୁଥିବା ଆବର୍ଜନାକୁ ଫୋପାଡି ଦେଉଛନ୍ତି ା ନିକଟରେ ପ୍ରାଥମିକ ବିଦ୍ୟାଳୟ ଥିବାରୁ ଛାତ୍ରୀଛାତ୍ରଙ୍କୁ ସଂକ୍ରମଣ ଭୟ ଘାରିଛି। ସେହିପରି ବାଞ୍ଜିପାଲି ରାସ୍ତାରେ ବୁର୍ଡା ଗ୍ରାମର ଉକ୍ତ କୁଣ୍ଡ ନିର୍ମାଣ ହୋଇଛି। ଏଠାରେ ମଧ୍ୟ ପ୍ରକଳ୍ପ ନିର୍ମାଣ ହୋଇଛି, ଲୋକେ ବ୍ୟବହାର କରୁନାହାନ୍ତି। ଉକ୍ତ ଆବଜର୍ନା କୁଣ୍ଡ ନିକଟରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ ହୋଇଛି। ଆବର୍ଜନା କୁଣ୍ଡ ନିକଟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ ପାଇଁ କିଭଳି ମଞ୍ଜୁରୀ ମିଳିଲା ତାହା ସବୁଠୁ ବଡ ପ୍ରଶ୍ନ। ଆଗକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ହେଲେ ଆବର୍ଜନା କୁଣ୍ଡ ଅକାମି ହେବ ନଚେତ୍ ଭାଙ୍ଗିବାକୁ ପ୍ରଶାସନ ବାଧ୍ୟ ହେବ। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ସରକାରୀ ଅନୁଦାନ ପାଣିରେ ପଡିବ। ବୁର୍ଡାରେ ସ୍ବଚ୍ଛସାଥୀ ନିୟୋଜିତ ହୋଇଥିଲେ ସୁଦ୍ଧା କାମ କରୁନଥିବା ଅଭିଯୋଗ ହେଉଛି। ସେହିପରି ବାଦିବାହାଲ ଗ୍ରାମର ଆବର୍ଜନା କୁଣ୍ଡ ଗ୍ରାମର ହାଇସ୍କୁଲ ପଡିଆ ରେ ନିର୍ମାଣ ହୋଇଛି। ଏଠାରେ ମଧ୍ୟ ଉକ୍ତ ପ୍ରକଳ୍ପ କାମରେ ଆସୁନାହିଁ ା ପ୍ରକଳ୍ପଗୁଡିକ କେବଳ ଠିକା ସର୍ବସ୍ବ ପାଲଟି ଥିବା ସାଧାରଣରେ ଆଲୋଚନା ହେଉଛି। ଏ ଦିଗରେ ବିହିତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।