ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ ରହି ଯାଉଛନ୍ତି ଅନେକ ପରିବାର। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ସେମାନଙ୍କ ପାଇଁ ନାହିଁ। କଚ୍ଚାଘର ଉପରେ ପଲିଥିନ ପକାଇ ଜୀବନ ବିତାଉଛନ୍ତି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ସତ୍ତ୍ୱେ କେହି ସେମାନଙ୍କ ଦୁଃଖ ଶୁଣୁନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡ ଗଁାର ବନିତା ସାହୁଙ୍କ କ୍ଷେତ୍ରରେ।
ବନିତାଙ୍କ ପରିବାର କହିଲେ, ସ୍ବାମୀ କଳ୍ପତରୁ, ପୁଅ ଅଭିଷେକ, ଝିଅ ଆଦ୍ୟାଶା। ତାଙ୍କର ଘରଡିହ ଛଡ଼ା ଆଉ କିଛି ନାହିଁ। ସରକାରୀ ଯୋଜନା କହିଲେ କେବଳ ରାଶନ ସାମଗ୍ରୀ ପାଉଛନ୍ତି। ତାହା ପୁଣି ପରିବାରର ୪ଜଣ ଥିଲେ ବି ମିଳୁଛି ୩ ଜଣଙ୍କୁ ୧୫ କିଲୋ ଚାଉଳ। ମୁଣ୍ଡ ଗୁଞ୍ଜିବା ପାଇଁ ନୂଆଣିଆ ଭଙ୍ଗା ଦଦରା ଚାଳଘର। ପଇସାପତ୍ର ଅଭାବରୁ ଘର ଛପର ହୋଇ ନ ପାରିବାରୁ ପଲିଥିନ ପଡ଼ିଛି। ତାହା ପୁଣି ମାଟିରେ ମିଶିବାକୁ ବସିଲାଣି। ବର୍ଷାରେ କାନ୍ଥ ଭାଙ୍ଗି ପଡ଼ିଛି। ବିପଦପୂର୍ଣ୍ଣ ଭାବେ ସେହି ଘରେ ବାଧ୍ୟ ହୋଇ ପରିବାର ରହୁଛନ୍ତି। କିଛିଦିନ ପୂର୍ବେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଅଳ୍ପକେ ପରିବାର ଲୋକ ବର୍ତ୍ତି ଯାଇଥିଲେ। ଛପର ନ ହେବା ଯୋଗୁ ବର୍ଷା ହେଲେ ଘର ଭିତରେ ପାଣି ଲହଡ଼ି ମାରୁଛି। ବିଷଧର ସର୍ପ ସରୀସୃପ ଘର ଭିତରକୁ ଅବାଧରେ ବିଚରଣ କରିବା ଭୟ ବି ସୃଷ୍ଟି ହେଉଛି। କେବଳ ବର୍ଷାଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ୍‌ ପକାଇ ପରିବାର ସହ ବନିତାଙ୍କ ପରିବାର ବଞ୍ଚତ୍ଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେମିତି ତାଙ୍କ ପାଇଁ ସାତସପନ ବୋଲି ସେ ଅଭିଯୋଗ କରିଛନ୍ତି। ଅନେକଥର ଘର ଖଣ୍ଡେ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କାକୁତିମିନତି କରି ନିରାଶ ହୋଇଛନ୍ତି। ଥିଲାବାଲା ସବୁ ସରକାରୀ ଯୋଜନା ପାଇବେ, ଆମ ଗରିବ ଗୁରୁବାଙ୍କୁ ପଚାରେ କିଏ ବୋଲି ବନିତା କହି କାନ୍ଦି ପକାଇଥିଲେ। ପୂର୍ବ ସରକାରଙ୍କ ସମୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ମାଧ୍ୟମରେ ଘର ଖଣ୍ଡିଏ ପାଇଁ ବହୁବାର ଫର୍ମ ପକାଇଥିଲି। ହେଲେ କିଛି ଲାଭ ମିଳିଲା ନାହିଁ। ଲଘୁଚାପଜନିତ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯିବାର ଆଶଙ୍କା ରହିଛି। ଏପରି ଆଶା ଆଶଙ୍କା ମଧ୍ୟରେ ଜୀବନ ଜିଉଥିବା ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ପୃଥ୍ବୀରାଜ ପରିଡ଼ାଙ୍କୁ ପଚାରିବାରେ ଆପଣଙ୍କଠାରୁ ଜାଣିବାକୁ ପାଇଲି। କ’ଣ ହେଇଛି ନାହିଁ ତଦନ୍ତ କରାଯିବ। ସେ ଆବାସ ପାଇବାକୁ ଯୋଗ୍ୟ ଥିଲେ ତୁରନ୍ତ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।