ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି। ତେଣୁ ଉକ୍ତ କାର୍ଯ୍ୟାଳୟଗୁଡ଼ିକ ରହିବା ଦାରା ବିପୁଳ ରାଜସ୍ବ କ୍ଷତି ହେଉଛି। ସରକାର ଉକ୍ତ ଦୁଇ ପଦବୀ ଉଚ୍ଛେଦ କରିବା ସହ ଗଞ୍ଜାମ ଜିଲାକୁ ୪ ଭାଗ କରି ୪ଟି ଜିଲା ଘୋଷଣା କରିବା ପାଇଁ ଭାରତୀୟ ବିକାଶ ପରିଷଦ ତରଫରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି। ଏଥିସହ ସେ କହିଥିଲେ ଯେ,
ବ୍ରହ୍ମପୁର ଜିଲା ମୁଖ୍ୟ ଦପ୍ତର-ବ୍ରହ୍ମପୁର, ଘୁମୁସର ଜିଲା ମୁଖ୍ୟ ଦପ୍ତର ଭଞ୍ଜନଗର, ଋଷିକୂଲ୍ୟା ଜିଲା ମୁଖ୍ୟ ଦପ୍ତର-ଆସିକା ଏବଂ ଗଞ୍ଜାମ ଜିଲା ସଦର ମହକୁମା-ଛତ୍ରପୁର ହେଉ।
ଗଞ୍ଜାମ ଜିଲାକୁ ୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସରକାର ଜିଲା ପୁନଃଗଠନ କରି ନୂତନ ଜିଲା ଭାବେ ଗଜପତି ଜିଲା ଗଠନ କରିଥିଲେ। ୧୯୯୨ରୁ ଗଞ୍ଜାମ ଜିଲା ୨୨ଟି ବ୍ଲକ ୧୮ଟି ସହରାଞ୍ଚଳ ମୋଟ୍ ୩୨୫୦ ରାଜସ୍ବ ଗ୍ରାମକୁ ନେଇ ଗଞ୍ଜାମ ଜିଲା ଅବସ୍ଥିତ। ଜନସଂଖ୍ୟା ୩୫୨୯୦୩୧ରୁ ଊର୍ଦ୍ଧ୍ୱ ଅଟେ। ଯାହାକି ରାଜନୈତିକ, ଭୌଗୋଳିକ, ପ୍ରଶାସନିକ ଦୃଷ୍ଟିରୁ ଓଡ଼ିଶାର ସର୍ବ ବୃହତମ ଜିଲା ଗଞ୍ଜାମ ଅଟେ। ତେଣୁ ସରକାର ଉକ୍ତ ଦୁଇ ଦାବିକୁ ଗୁରୁତ୍ୱ ଦେଇ ପଦକ୍ଷେପ ନିଅନ୍ତୁ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପଦକ୍ଷେପ ନିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।