ଧର୍ମଶାଳା, ୨।୬( ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଗଦା ହୋଇଛି ମାଳ ମାଳ ଗାଡ଼ି। ଗାଡ଼ିଗୁଡ଼ିକ ଉପରେ ମାଡି ଗଲାଣି ଗଛ ଲତା। ଦୀର୍ଘ ଦିନ ହେବ ପଡି ରହିଛି ଗାଡ଼ି । ଥାନା ପଛପଟେ ଗଦାହୋଇ ରହିଛି ଅନେକ ବାଇକ । ଅଧିକାଂଶ କଳଙ୍କି ଲାଗି ଯାଇଥିବାବେଳେ ଆଉ କିଛି ମାଟିରେ ମିଶିଗଲାଣି। ଏହାର ମାଲିକ କିଏ ଏବଂ କେଉଁ ମାମଲାରେ ଗାଡ଼ି ଗୁଡ଼ିକ ଜବତ ହୋଇ ରହିଛି ତାହାର ଫାଇଲ ଅଛି କି ନାହିଁ ତାକୁ ନେଇ ମଧ୍ୟ ବଡ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ଭାରତୀୟ ଯାନବାହନ ସାକ୍ଷ୍ୟ ପ୍ରମାଣ ଅଧିନିୟମ ଅନୁସାରେ କୌଣସି ଅଭିଯୁକ୍ତ ଗିରଫ ହେଲେ ତାଙ୍କ ବ୍ୟବହୃତ ଗାଡିକୁ ସାକ୍ଷ୍ୟ ପ୍ରମାଣ ଆଧାରରେ ଜବତ କରାଯିବ। ଯାନବାହନ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲେ ଗାଡି ଜବତ କରିବା, ବେଆଇନ କାରବାରରେ ବ୍ୟବହୃତ ସହ ଅନେକ ନିୟମ ଅଧିନିୟମରେ ପୋଲିସ ଗାଡ଼ିଗୁଡ଼ିକୁ ଜବତ କରିଥାଏ। ଅନ୍ୟ ପକ୍ଷରେ ଜବତ ଗାଡିଗୁଡିକ ଦୀର୍ଘ ସମୟଧରି ଥାନାରେ ରଖାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି। ଯେଉଁ ଗାଡିଗୁଡିକ ନେବାକୁ ମାଲିକ ଦାବି କରନ୍ତି ନାହିଁ, ବା ବୀମା କମ୍ପାନୀଙ୍କ ଦାବି ନ ଥାଏ, ସେହି ଗାଡିଗୁଡିକ କୋର୍ଟଙ୍କ ଦ୍ୱାରା ନିଲାମ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଚୋରି ଗାଡି ହେଉ ଅବା କୌଣସି କାରଣରୁ ଗାଡି ଜବତ ହେଲେ, ତାହାର ଯତ୍ନ ନିଆଯାଏ ନାହିଁ। ଫଳରେ ଖରା, ବର୍ଷା ଓ ବାହ୍ୟ ବିପଦ ସଂସ୍ପର୍ଶରେ ଆସି ଗାଡିଗୁଡ଼ିକ ନଷ୍ଟ ହୋଇଥାଏ।
ଏ ସବୁ ନିୟମ କେବଳ କାଗଜ କଲମରେ ରହିଥିବା ଏ ଚିତ୍ର ପ୍ରମାଣ କରିଛି । ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କିଛି ଦିନ ହେବ ଏହି ଥାନାରେ ଯୋଗ ଦେଇ ଥିବା ବେଳେ ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି।