Categories: ଅନୁଗୋଳ

ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ

ବଇଣ୍ଡା,୨୯।୧୨(ଡି.ଏନ.ଏ.) କିଶୋରନଗର ବ୍ଲକ ହଣ୍ଡପା, ଲୁହାମୁଣ୍ଡା, ତୁରୁଡା ଗ୍ରାମରୁ ରବିବାର ଓ ସୋମବାର ୨ ଦିନରେ ୧୦ଟି ସ୍ଥାନରୁ ଚୋରି ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଛି। ହେଲେ ନା’ ଦୁର୍ବୃତ୍ତଙ୍କ ନିକଟରେ ପୋଲିସ ପହଞ୍ଚିପାରିଛି ନା’ ଚୋରି ସାମଗ୍ରୀର କିଛି ସନ୍ଧାନ ମିଳିଛି। ବରଂ ପୋଲିସ ଉପରେ ଥିବା ଅଞ୍ଚଳବାସୀଙ୍କ ବିଶ୍ୱାସ ହ୍ରାସ ପାଇଛି।
ସୂଚନାଯୋଗ୍ୟ, ନାକିଚି ଛକର ୭ଟି ଦୋକାନ, ଗଦେଇମୁଣ୍ଡା ଗ୍ରାମର ଜଣଙ୍କ ଘରୁ, ତୁରୁଡା ଗ୍ରାମରୁ ଏକ ପିକଅପ୍‌ ଭ୍ୟାନ୍‌ ଓ ଲୁହାମୁଣ୍ଡା ଗ୍ରାମର ଏକ ସୁନା ଦୋକାନରୁ ଚୋରି ପରେ ବଇଣ୍ଡା, ହଣ୍ଡପା, କିଶୋରନଗର ଓ ବାମୁର ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାତ୍ରି ପାଟ୍ରୋଲିଂ ଠିକ୍‌ ଭାବେ କରାଯାଉ ନ ଥିବା ନାକିଚି ଗ୍ରାମବାସୀ ଅନୁଗୋଳ ଏସ୍‌ପିଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ନାକିଚି ଅଞ୍ଚଳର ଏତେ ଦୋକାନରୁ ଏକାବେଳେ ଏପରି ଚୋରି ପୂର୍ବରୁ କେବେ ହୋଇନାହିଁ। ଚୋରା ମଦ କାରବାର ବୃଦ୍ଧି ଯୋଗୁ ଏକ ଗ୍ୟାଙ୍ଗ ଏକତ୍ରିତ ହୋଇ ଚୋରି କରୁଛନ୍ତି। ଏଠାରେ ଫାଣ୍ଡି ନିର୍ମାଣ ପାଇଁ ବହୁବାର ଦାବି କରାଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ। ତୁରନ୍ତ ଫାଣ୍ଡି ସ୍ଥାପନ ସହ ରାତ୍ରି ପାଟ୍ରୋଲିଂ କଡାକଡ଼ି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ହଣ୍ଡପା ଆଇଆଇସି ପ୍ରଦୀପ ପ୍ରଧାନ କହିଛନ୍ତି, ଚୋରି ଅଭିଯୋଗର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଚୋର ଧରାପଡ଼ିବେ।