Categories: ଅନୁଗୋଳ

ପିଣ୍ଟୁଙ୍କ ଘରେ ଲଟ୍‌କା ଜାରି କଲା ପୋଲିସ

ଛେଣ୍ଡିପଦା,୯।୧୨(ସ୍ବ.ପ୍ର.)  ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଚିତ୍ତରଞ୍ଜନ ସାହୁ ଓରଫ ପିଣ୍ଟୁଙ୍କ ଘର କାନ୍ଥରେ ପୋଲିସ ୫ ଜଣଙ୍କ ନାମରେ ଲଟ୍‌କା ଜାରି କରିଛି। ଘଟଣାରୁ ଜଣାପଡ଼ିଛି, ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଗତ ନଭେମ୍ବର ୨୬ରେ ପୋଲିସ ପିଣ୍ଟୁଙ୍କ ସାପୋଇନାଳିସ୍ଥିତ ଘରେ ଚଢାଉ କରିଥିଲା। ଚଢାଉ ବେଳେ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା, ୧୨ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ପାସ୍‌ବୁକ ଓ ୧୫ରୁ ଅଧିକ ଜମିପଟ୍ଟା, ଦାମୀକାର, ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ଲଙ୍ଗଳ, ମିନି ଟ୍ରକ୍‌, ବିପୁଳ ଶାଳ, ଶାଗୁଆନ କାଠ ଜବତ କରି ତଦନ୍ତ ଚଳାଇଥିଲା। ପିଣ୍ଟୁଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ୨ କୋଟି ୩ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ପୋଲିସ କହିଥିଲା। ଏ ନେଇ କୋଲକାତାଠାରେ ଥିବା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର କମ୍ପିଟାଣ୍ଟ ଅଥରିଟ ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କୁ ଛେଣ୍ଡିପଦା ପୋଲିସ ଅବଗତ କରିଥିଲା। ଏହାପରେ କର୍ତ୍ତୃପକ୍ଷଙ୍କ ଚିଠି ଅନୁଯାୟୀ ଛେଣ୍ଡିପଦା ଥାନ ଅଧିକାରୀ ଧୀରେନ କୁମାର ବେହେରାଙ୍କ ସମେତ ପୋଲିସ କର୍ମଚାରୀମାନେ ବୁଧବାର ପିଣ୍ଟୁଙ୍କ ବାସଭବନରେ ପହଞ୍ଚି ଲଟ୍‌କା ଜାରି କରିଥିଲେ। ଆସନ୍ତା ୧୬ ତାରିଖରେ କୋଲକାତା କାର୍ଯ୍ୟାଳୟରେ ଉପସ୍ଥିତ ରହି ପକ୍ଷ ଦେଇପାରିବେ ନଚେତ ୧୭ ତାରିଖ ଶୁକ୍ରବାର ମଧ୍ୟାହ୍ନରେ ୧୨ଟାରେ ଛେଣ୍ଡିପଦା ଥାନାରେ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜର ପକ୍ଷ ରଖିପାରିବେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।