ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ ସାନଖେମୁଣ୍ଡି ବ୍ଲକ କଲରାପଦର ଗ୍ରାମରେ ବୁଧବାର ସକାଳେ ପରଲୋକ ଘଟିଛି। ସେ ରାମାୟଣ ନାଟକ ଜଗତର ବେତାଜ ବାଦସାହା ଭାବେ ପରିଚିତ ଥିଲେ। ସେ ଅବିଭକ୍ତ ଗଞ୍ଜାମ ଜିଲା ସମେତ ସୀମାନ୍ତ ଆନ୍ଧ୍ରପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ରାମାୟଣ ନାଟକ ପରିବେଷଣ କରି ଖୁବ୍‌ ପରିଚିତି ହାସଲ କରିଥିଲେ। ୧୦ ବର୍ଷ ବୟସରୁ ରାମାୟଣ ନାଟକରେ ସେ ଚିତ୍ତାକର୍ଷକ ଅଭିନୟ କରିବା ସହ ପରବର୍ତ୍ତୀ ସମୟରେ ଯୁବାବସ୍ଥାରୁ ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଥିବା ପୌରାଣିକ ରାମାୟଣ ନାଟକଗୁଡ଼ିକର ନିର୍ଦ୍ଦେଶନା ଦେଇ ସୁନାମ ଅର୍ଜନ କରିଥିଲେ। ସେ ଜିଲାର ୫୦ରୁ ଊଦ୍ଧର୍‌ବ ରାମାୟଣ ନାଟକରେ ନାଟ୍ୟ ନିର୍ଦ୍ଦେଶନା ଦେଇ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ନାଟ୍ୟ ନିର୍ଦ୍ଦେଶକଙ୍କୁ ତିଆରି କରିଥିଲେ। ସେ ରାଜ୍ୟ ଓ ଜିଲାର ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହେବା ସହ ପୁରସ୍କୃତ ହୋଇଥିଲେ। ତାଙ୍କ ପରଲୋକ ଖବରପାଇ ଜିଲା ତଥା ଜିଲା ବାହାରେ ରହୁଥିବା ବହୁସଂଖ୍ୟକ ଥିଏଟର ନିର୍ଦ୍ଦେଶକ, କଳାକାର ଶିଷ୍ୟ ବୃନ୍ଦ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ମରଶରୀରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମଧ୍ୟାହ୍ନରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ବାଇଁ, ଜିଲା ପରିଷଦ ସଦସ୍ୟ ଦନାର୍ଦ୍ଦନ ପଲାଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

Dharitri –Odisha’s No.1 Trusted Odia Daily

Share