ରୋଷେଇ ଘରେ ଯୁଦ୍ଧ ଯନ୍ତ୍ରଣା

ନୂଆଦିଲ୍ଲୀ(ପି.ଟି./ଏଜେନ୍ସି)/ ଭୁବନେଶ୍ୱର(ରବିନାରାୟଣ ଜେନା),୧୧ା୩: ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ମିଳିତ ଆକ୍ରମଣ ଯୋଗୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଜଳପଥ ଦେଇ ପ୍ରାକୃତିକ ବାଷ୍ପ ଭାରତକୁ ଆସିପାରୁ ନାହିଁ। ଏହାର ସିଧାସଳଖ ପ୍ରଭାବ ଏଲ୍‌ପିଜି ଉପରେ ପଡ଼ିଥିବାରୁ ଅର୍ଥବୋଝ ସାଧାରଣ ଖାଉଟିଙ୍କୁ ବାଧିଲାଣି। ମାର୍ଚ୍ଚ ୭ରେ ଘରୋଇ ଓ ବ୍ୟବସାୟିକ ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି ସାଙ୍ଗକୁ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଓଡ଼ିଶାରେ ହାଣ୍ଡିଶାଳଠାରୁ ଆରମ୍ଭକରି ହୋଟେଲ ଶିଳ୍ପ ଓ ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ହାହାକାର ଦେଖିବାକୁ ମିଳିଛି। ଏପରି କି ବଜାରରେ କୃତ୍ରିମ ଚାହିଦା ସୃଷ୍ଟି ହୋଇଛି। ଘରୋଇ ଗ୍ୟାସ୍‌ ସିଲିଣ୍ଡର ପିଛା ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଚଢ଼ାଦରରେ ବିକ୍ରି ହେଉଥିବାବେଳେ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଭାବ ପଡ଼ିଛି। ଖାଲି ସେତିକି ନୁହେଁ, ରାଜଧାନୀରେ ଲୋକେ ପ୍ରାୟ ୨୦ଦିନ ଧରି ଗ୍ୟାସ୍‌ ବୁକିଂ କରିଥିଲେ ହେଁ ଏପର୍ଯ୍ୟନ୍ତ ସିଲିଣ୍ଡର ପାଇନାହାନ୍ତି। ବଡ଼ଗଡ଼ ବ୍ରିଟ୍‌ କଲୋନିର ଲକ୍ଷ୍ମୀଧର ସେଠୀ ଫେବୃଆରୀ ୨୧ରେ ଇଣ୍ଡିଆନ୍‌ ଗ୍ୟାସ୍‌ ପାଇଁ ବୁକିଂ କରିଥିଲେ। ତେବେ ଗ୍ୟାସ୍‌ ମହଜୁଦ୍‌ ନ ଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି। ସେହିପରି ଲିଙ୍ଗରାଜ ଗ୍ୟାସ୍‌ ଏଜେନ୍ସିରେ ମଙ୍ଗଳବାର ନାହିଁ ନ ଥିବା ସ୍ଥିତି ଦେଖିବାକୁ ମିଳିଛି। ଲୋକେ ଗ୍ୟାସ୍‌ ଖାତା ଥୋଇ ତୁରନ୍ତ ଗ୍ୟାସ୍‌ ପାଇଁ ଦାବି କରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ସେହିପରି କେତେକ ବ୍ୟବସାୟିକ ଅନୁଷ୍ଠାନ ଏହି ସଙ୍କଟକୁ ନେଇ ଚିନ୍ତାରେ ପଡ଼ିଥିବାବେଳେ ଆଉ କେତେକ ଦୋକାନ ଆଂଶିକ ବନ୍ଦ ହେବା ପର୍ଯ୍ୟନ୍ତ କଥା ଗଲାଣି। ଏହି ପରିପ୍ରେକ୍ଷୀରେ ହୋଟେଲ ଶିଳ୍ପ ପକ୍ଷରୁ ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ନିୟମିତ ଗ୍ୟାସ୍‌ ଯୋଗାଣ କରିବାକୁ ଦାବିପତ୍ରରେ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ୟାସ୍‌ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ସଚିବ ରାଜ୍ୟରେ ପର୍ଯ୍ୟାପ୍ତ ଗ୍ୟାସ୍‌ ସିଲିଣ୍ଡର ମହଜୁଦ୍‌ ରହିଥିବା ଗଣମାଧ୍ୟମକୁ କହିଛନ୍ତି।
ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଆର୍‌ଏଓ) ପକ୍ଷରୁ ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ସଂଘ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ କୁହାଯାଇଛି ଯେ, ବାଣିଜି୍ୟକ ଏଲ୍‌ପିଜି ସିଲିଣ୍ଡର ଯୋଗାଣ ବ୍ୟାହତ ହେବାରୁ ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ ଗୁରୁତର ସମସ୍ୟାରେ ପଡ଼ିଛି। ପ୍ରତ୍ୟେକ ଦିନ ହୋଟେଲରେ ରୋଷେଇ ପାଇଁ ସିଲିଣ୍ଡର ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବାକୁ ପଡ଼ିଥାଏ। ଏହାର ଯୋଗାଣ ଉପରେ ଅଙ୍କୁଶ ଲଗାଯିବାରୁ ଅନେକ ସ୍ଥାନରେ ଖାଦ୍ୟ ପ୍ରସ୍ତୁତି ଓ ସେବା ପ୍ରଭାବିତ ହେଉଛି।
ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ. କେ. ମହାନ୍ତି କହିଛନ୍ତି, ଏଭଳି ସ୍ଥିତି ଲାଗି ରହିଲେ ହୋଟେଲ ପ୍ରାୟତଃ ବନ୍ଦ ହୋଇଯିବ। ବୁକିଂ ବାତିଲ ହେବା ସହିତ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିପାରନ୍ତି।
ସେ କହିଛନ୍ତି ଯେ, ପର୍ଯ୍ୟଟନ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଆତିଥେୟତା, ଯାହାକି ନିଯୁକ୍ତି ସୃଷ୍ଟିଠାରୁ ଆରମ୍ଭକରି ରାଜସ୍ବ ଆୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ବଡ଼ ଭାବେ ସହଯୋଗ କରିଥାଏ। ଏଲ୍‌ପିଜି ଏକ ଜରୁରୀ ଦହନ ପଦାର୍ଥ ହୋଇଥବାରୁ ଏହାକୁ ବହୁ ପରିମାଣରେ ସଞ୍ଚୟ କରିବା ସମ୍ଭବ ନୁହେଁ। ହୋଟେଲ ଓ ରେଷ୍ଟୁରାଣ୍ଟରେ ମାତ୍ର ୨-୩ ଦିନ ପର୍ଯ୍ୟନ୍ତ ମହଜୁଦ୍‌ କରାଯାଇ ପାରିବ। ତେଣୁ ବାଣିଜି୍ୟକ ସିଲିଣ୍ଡର ଯେପରି ନିୟମିତ ଭାବେ ମିଳିପାରିବ ସେଥିପ୍ରତି ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଓଡ଼ିଶାରେ ପ୍ରାୟ ୫୦ ହଜାର ଲୋକ ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପରେ କାମ କରୁଛନ୍ତି। ଯଦି ଏଲ୍‌ପିଜି ଯୋଗାଣ ବନ୍ଦ ହୁଏ, ତେବେ ସେମାନଙ୍କର ଚାକିରି ମଧ୍ୟ ସଙ୍କଟରେ ପଡ଼ିପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିବା ମହାନ୍ତି କହିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଏଲ୍‌ପିଜି ଯୋଗାଣରେ ନିରନ୍ତରତା ବଜାୟ ରଖିବା ପାଇଁ ୩ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି।

Dharitri – Odisha’s No.1 Odia Daily

Share
Tags: National