ପାଇକ ବିଦ୍ରୋହ ଓ ଜୟୀ ରାଜଗୁରୁ

ଡ. ପ୍ରଫୁଲ୍ଲ କୁମାର ସାହୁ

ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସର ପ୍ରଥମ ଶହୀଦ ଜୟୀ ରାଜଗୁରୁ(ଜୟକୃଷ୍ଣ ରାଜଗୁରୁ)। ଓଡ଼ିଆ ଅସ୍ମିତା ଓ ବୀରତ୍ୱର କିମ୍ବଦନ୍ତୀ ପୁରୁଷ। ଜଣେ ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ର ବିଶାରଦ ତଥା ସମର କୁଶଳୀ ଯୋଦ୍ଧା। ୧୮୫୭ ସିପାହି ବିଦ୍ରୋହର ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଖୋର୍ଦ୍ଧାର ବୀର ପାଇକମାନଙ୍କ ଦ୍ବାରା ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହର ଯେଉଁ ବିଗୁଲ ବାଜିଥିଲା,ଏହି ଜୟୀ ରାଜଗୁରୁ ଥିଲେ ତା’ର ପଟ୍ଟ ପୁରୋଧା।
ଶ୍ରୀକ୍ଷେତ୍ର ପୁରୀଠାରୁ ମାତ୍ର ପାଞ୍ଚ ମାଇଲ ଦୂର ଜଗନ୍ନାଥ ସଡ଼କ ଡାହାଣ ପଟରେ ଅବସ୍ଥିତ ହରେକୃଷ୍ଣପୁର ଗଁା। ଶ୍ରୀକ୍ଷେତ୍ର ଷୋଳ ଶାସନ ପରମ୍ପରାର ସମୃଦ୍ଧ ଏକ ବ୍ରାହ୍ମଣ ଶାସନ। ବୀର ପାଇକର ଲୀଳାଭୂମି ଏହି ପ୍ରଖ୍ୟାତ ପଲ୍ଲୀ କୋଳରେ (୨୯ା୧୦ା୧୭୩୯) ଜୟୀ ରାଜଗୁରୁଙ୍କ ଜନ୍ମ। ପିତା ଚାନ୍ଦ ରାଜଗୁରୁ ଥିଲେ ଖୋର୍ଦ୍ଧା ରାଜାଙ୍କ କୁଳ ପୁରୋହିତ ବା ରାଜଗୁରୁ। ପିତାଙ୍କ ମୃତ୍ୟୁ ପରେ ପରମ୍ପରା କ୍ରମେ ରାଜଗୁରୁ ପଦରେ ଅଧିଷ୍ଠିତ ହେଲେ ଜୟୀ ରାଜଗୁରୁ। ପିଲାଟି ଦିନରୁ ସେ ଥିଲେ ଖୁବ୍‌ ନିର୍ଭୀକ ଓ ସ୍ବାଧୀନଚେତା। ବିଶେଷକରି ରାଜଗୁରୁ ପରିବାରରେ ଜନ୍ମ ହୋଇଥିବାରୁ ଘୋଡ଼ାଚଢ଼ାଠାରୁ ଯୁଦ୍ଧବିଦ୍ୟା ଯାଏ, ସବୁଥିରେ ଥିଲା ତାଙ୍କର ବିଶେଷ ପାରଦର୍ଶିତା। ଏହି ଦକ୍ଷତା କାରଣରୁ ରାଜଗୁରୁ ପଦ ମଣ୍ତନ କରିବାର ଅଳ୍ପ ଦିନ ମଧ୍ୟରେ ନିଜର ବିଚକ୍ଷଣ ବୁଦ୍ଧି, ଦେଶପ୍ରେମ, ରାଜାନୁରକ୍ତି, ସାହସ ଓ ଶକ୍ତି ବଳରେ ଜିତିନେଲେ ଖୋର୍ଦ୍ଧା ରାଜାଙ୍କ ହୃଦୟ। ତାଙ୍କର ପ୍ରଜ୍ଞା ଓ ପ୍ରତିଭାକୁ ଆକଳନ କରି ରାଜା ତାଙ୍କ ଉପରେ ନ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା ଓ ସେନାଧ୍ୟକ୍ଷ ଭଳି ଗୁରୁ ଦାୟିତ୍ୱ। ତା’ର ପ୍ରତିଦାନ ସ୍ବରୂପ ଗଜପତିଙ୍କ ପ୍ରତିଷ୍ଠା ବଢ଼ାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ରାଜଗୁରୁ। ପାଇକ ଜାଗରଣ ନିମନ୍ତେ ସେ ପଦ ବ୍ରଜରେ ବୁଲିଲେ ଖୋର୍ଦ୍ଧାର ଗାଁକୁ ଗାଁ। ତାଙ୍କରି ଆହ୍ବାନ କ୍ରମେ ଘରେ ଘରେ ସୃଷ୍ଟି ହେଲେ ସୈନିକ। ଠା’କୁ ଠା ଗଢ଼ି ଉଠିଲା ପାଇକ ଆଖଡ଼ା। ସେ ନିଜେ ବୁଲି ବୁଲି ଆଖଡ଼ା ଶାଳରେ ପାଇକମାନଙ୍କୁ ଶିଖାଇଲେ ସମର କୌଶଳ। ତାଙ୍କରି ନିରନ୍ତର ଉଦ୍ୟମ ଫଳରେ ସୁଦୃଢ଼ ହେଲା ବରୁଣାଇ ଗଡ଼। ଅନ୍ୟପକ୍ଷରେ ଏହି ଜାତୀୟ କର୍ତ୍ତବ୍ୟ ସଂପାଦନ କରୁ କରୁ ସେ ଭୁଲିଗଲେ ଆପଣା ପାରିବାରିକ ସମସ୍ୟା ଓ ବୟସର ଦାବି। ଯୌବନର କାମନା ବାସନାକୁ ଉପେକ୍ଷା କରି ବ୍ରହ୍ମଚାରୀ ପାଲଟିଗଲେ ପିତାମହ ଭୀଷ୍ମଙ୍କ ପରି।
ଗଜପତି ଦିବ୍ୟସିଂହଦେବଙ୍କ ମୃତ୍ୟୁ ପରେ ଇଂରେଜମାନଙ୍କ ଚକ୍ରାନ୍ତ ଯୋଗୁ ଖୋର୍ଦ୍ଧା ରାଜଗାଦିକୁ ନେଇ ସୃଷ୍ଟି ହେଲା ବିବାଦ। ମାତ୍ର ରାଜଗୁରୁଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁ ରାଜଗାଦିରେ ଅଭିଷିକ୍ତ ହେଲେ ଦିବ୍ୟସିଂହ ଦେବଙ୍କ ନାବାଳକ ପୁତ୍ର ଦ୍ବିତୀୟ ମୁକୁନ୍ଦଦେବ। ଏହାଦ୍ବାରା ଦକ୍ଷ, ଅଭିଜ୍ଞ, କୁଶଳୀ, କୂଟନୀତିଜ୍ଞ, ମହାମନ୍ତ୍ରୀ ତଥା ସେନାଧ୍ୟକ୍ଷ ରାଜଗୁରୁଙ୍କ ଉପରେ ଲଦି ହୋଇଗଲା ରାଜ୍ୟର ଶାସନ ଭାର। ନାବାଳକ ରାଜାଙ୍କ ଅଭିଭାବକ ଭାବରେ ସେ ହେଲେ ମୁକୁଟ ବିହୀନ ସମ୍ରାଟ। ଦେଶ ରକ୍ଷା ହେଲା ରାଜ୍ୟ ଅଖଣ୍ଡତା ବଜାୟ ରଖିବା ପାଇଁ ଇଂରେଜମାନଙ୍କ ସହିତ ଲଢ଼ିଲେ ସାଲିସ ବିହୀନ ଲଢ଼େଇ।
ଇତିହାସ କହେ ୧୮୦୩ରେ ଇଂରେଜମାନେ ବାରବାଟୀ ଦୁର୍ଗ ଦଖଲ କରିବାକୁ ଯାଇ ମରାଠାଙ୍କ ସହିତ ଲଢ଼ିଲାବେଳେ ବାଧ୍ୟ ହୋଇ ଲୋଡ଼ିଥିଲେ ଖୋର୍ଦ୍ଧା ରାଜ୍ୟର ସହାୟତା। କାରଣ ସେତେବେଳେ ଖୋର୍ଦ୍ଧାର ସୀମାକୁ ବାଦ୍‌ଦେଇ ଗଞ୍ଜାମ ଓ ବାରବାଟୀ ମଧ୍ୟରେ ସୈନ୍ୟ ସଞ୍ଚାଳନ ଓ ଖବର ସରବରାହ ଥିଲା ଏକ ଦୁରୂହ ବ୍ୟାପାର। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାର ଗଜପତି ଓ ଇଂରେଜ ସେନାଧ୍ୟକ୍ଷ କଲୋନେଲ ହାରକୋର୍ଟଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ଚୁକ୍ତିନାମା। ମାତ୍ର ମରାଠାମାନଙ୍କୁ ପରାସ୍ତ କରି ବାରବାଟୀ ଦୁର୍ଗ ଦଖଲ କରିନେବା ପରେ କଲୋନେଲ ହାରକୋର୍ଟ ଭୁଲିଗଲେ ଚୁକ୍ତିନାମାର ସର୍ତ୍ତ। ପ୍ରତିଶ୍ରୁତି ଅନୁସାରେ ଏକଲକ୍ଷ ଟଙ୍କା ଦେଲେ ନାହିଁ କି ଫେରେଇଲେ ନାହିଁ ଲେମ୍ବଇ, ସିରେଇ, ରାହାଙ୍ଗ ଓ ଚବିଶକୁଦ ଆଦି ଚାରି ପ୍ରଗଣା। ଇଂରେଜମାନଙ୍କର ଏଭଳି ପ୍ରବଞ୍ଚନାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜି ବୁଲିଲେ ଜୟୀ ରାଜଗୁରୁ। ମରହଟ୍ଟାମାନଙ୍କ ସହିତ ମିଳିତ ହୋଇ ଇଂରେଜମାନଙ୍କ ବିରୋଧରେ ଲଢ଼ିବା ଯୋଜନାରେ ନାଗପୁରକୁ ପ୍ରେରଣ କଲେ ଦୂତ । ଦୁର୍ଭାଗ୍ୟବଶତଃ ଇଂରେଜମାନଙ୍କ ହାତରେ ଧରାପଡ଼ିବା କାରଣରୁ ତାଙ୍କର ସବୁ ଯୋଜନା ପଦାରେ ପଡ଼ିଲା ଏବଂ ତାଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଲେ ଇଂରେଜ ସରକାର। ତାଙ୍କୁ ପରାମର୍ଶ ଦାତା ପଦରୁ ହଟେଇବା ପାଇଁ ରାଜାଙ୍କ ଉପରେ ସୃଷ୍ଟି କଲେ ଚାପ। ଏହି ମର୍ମରେ ଗୋବିନ୍ଦ ରାୟ ମେହେର ନାମକ ଜଣେ କାନଗୋଇଙ୍କ ହାତରେ ରାଜାଙ୍କ ପାଖକୁ ଏକ ପତ୍ର ପ୍ରେରଣ କଲେ ୧୮୦୩ ଡିସେମ୍ବର ୧୬ରେ। ଏହି ପତ୍ରରେ ଲେଖାଥିଲା ରାଜଗୁରୁଙ୍କୁ ପଦଚ୍ୟୁତ କରି ଇଂରେଜମାନଙ୍କଠାରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିନେବା ପାଇଁ ପ୍ରସ୍ତାବ। ଏଭଳି ପ୍ରସ୍ତାବ ପ୍ରତ୍ୟାଖ୍ୟାତ ହେବା ପରେ ୧୮୦୪ ଫେବୃୟାରୀ ୨୦ରେ ରାଜାଙ୍କ ପାଖକୁ ଆସିଲା ଆଉ ଏକ ଧମକପୂର୍ଣ୍ଣ ଚିଠି; ଯେଉଁଥିରେ ଜୟୀ ରାଜଗୁରୁଙ୍କ ପ୍ରତି ଥିଲା କଟକରେ ପହଞ୍ଚତ୍ତ୍ କଲୋନେଲ ହାରକୋର୍ଟଙ୍କୁ ସାକ୍ଷାତ କରିବା ପାଇଁ ନିର୍ଦ୍ଦେଶ ।
ଏଭଳି ଧମକପୂର୍ଣ୍ଣ ଚିଠିକୁ ଭ୍ରୂକ୍ଷେପ କରିବା ପରିବର୍ତ୍ତେ ସର୍ତ୍ତ ମୁତାବକ ଇଂରେଜ ମାନଙ୍କଠାରୁ ଏକ ଲକ୍ଷ ଟଙ୍କା ସହିତ ପ୍ରଗଣାଗୁଡ଼ିକ ହାସଲ କରିବା ନିମନ୍ତେ ସାମରିକ ପ୍ରସ୍ତୁତିରେ ଲାଗିପଡ଼ିଲେ ଜୟୀ ରାଜଗୁରୁ। ୧୮୦୪ ମାର୍ଚ୍ଚ ୧୧ରେ ପାଇକ ବାହିନୀ ନେଇ ଅତର୍କିତ ଭାବରେ ସେ ଘେରାଉ କଲେ ବାରବାଟୀ ଦୁର୍ଗ। ପାଇକମାନଙ୍କ ଦ୍ୱାରା ଦୁର୍ଗ ଘେରାଉ ହେବା ଫଳରେ ଭୟଭୀତ ହୋଇପଡ଼ିଲେ କଲୋନେଲ ହାରକୋର୍ଟ। ପୂର୍ବ ଚୁକ୍ତି ଅନୁଯାୟୀ ଦେବାକୁ ଥିବା ଏକ ଲକ୍ଷ ଟଙ୍କାରୁ ତକତ୍ାଳ ପଇଠ କଲେ ନଗଦ ୪୦ହଜାର ଟଙ୍କା।
ଜୟୀ ରାଜଗୁରୁଙ୍କ ଏଭଳି ପରାକ୍ରମକୁ ପ୍ରତିହତ କରିବା ପାଇଁ ଇଂରେଜମାନେ ଖୋର୍ଦ୍ଧା ସୀମାରେ ସ୍ଥାପନ କଲେ ସେନା ଛାଉଣୀ। ୧୮୦୪ ଅକ୍ଟୋବର ୧ ଗୋଲାମ ଅମିନ ନାମକ ଜଣେ ଇଂରେଜ କର୍ମଚାରୀଙ୍କୁ ରାଜାଙ୍କ ଉପଦେଷ୍ଟା ଭାବରେ ନିଯୁକ୍ତି ଦେଲେ ଏକତରଫା ଭାବରେ। ତା’ର ପ୍ରତିବାଦରେ ସେହି ମାସ ଇଂରେଜ ସେନା ଛାଉଣୀ ଉପରେ ଆକ୍ରମଣ କଲେ ପାଇକ ବାହିନୀ। ବିବ୍ରତ ହୋଇପଡ଼ିଲେ ପ୍ରବଳ ପରାକ୍ରମୀ ହାରକୋର୍ଟ ଏବଂ ବାଧ୍ୟହୋଇ ସମଗ୍ର ଖୋର୍ଦ୍ଧା ମୁଲକରୁ ଅପସାରଣ କରିନେଲେ ଫୌଜ। ଖୋର୍ଦ୍ଧା ଦଖଲ ନିମନ୍ତେ ପରବର୍ତ୍ତୀ ରଣକୌଶଳ ସ୍ବରୂପ ସେ ଲୋଡ଼ିଲେ ମାଡ୍ରାସ ସେନା ଦାୟିତ୍ୱରେ ଥିବା ଇଂରେଜ ସେନାପତି ମେଜର ପ୍ଲେଚରଙ୍କ ସାହାଯ୍ୟ। ଏକଥା ଜାଣିପାରି କୌଶଳକ୍ରମେ ସୀମା ସୁରକ୍ଷାକୁ କଡ଼ାକଡ଼ି କଲେ ବିଚକ୍ଷଣ ଯୋଦ୍ଧା ଜୟୀ ରାଜଗୁରୁ। ଫ୍ଲେଚର ବାହିନୀକୁ ଖୋର୍ଦ୍ଧା ସୀମାରେ ପୂରେଇ ନ ଦେବା ପାଇଁ ସଂକଳ୍ପବଦ୍ଧ ଭାବରେ ସମୁଦ୍ରତଟ ଜଗିରହିଲେ ରାଜଗୁରୁଙ୍କ ଦ୍ୱାରା ଅନୁଗୃହୀତ ପ୍ରାଚୀ ଅବବାହିକାର ୧୮ଗଡ଼ର ସାମନ୍ତମାନେ। ଇଂରେଜମାନେ ଉପାୟ ନ ପାଇ ଶେଷରେ ପ୍ରୟୋଗ କଲେ ଛଳନୀତି। ନିଶାର୍ଦ୍ଧରେ ଚିଲିକା ମଧ୍ୟ ଦେଇ ଖୋର୍ଦ୍ଧାକୁ ପ୍ରବେଶ କଲେ ଚରଣ ପଟ୍ଟନାୟକ ନାମକ ଜଣେ ବିଶ୍ୱାସଘାତକ ସହାୟତାରେ। ୧୮୦୪ ନଭେମ୍ବରରେ ଆରମ୍ଭ ହେଲା ଯୁଦ୍ଧ। ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗର ସୁରକ୍ଷା ପାଇଁ ଖୋର୍ଦ୍ଧାର ପାଇକମାନେ ଲୁହଲହୁକୁ ଏକାଠି କରି ଲଢ଼ିଲେ ଦୁର୍ବାର ଲଢ଼େଇ। ତିନି ସପ୍ତାହ ବ୍ୟାପି ଲଢ଼େଇ ପରେ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହେଲେ ଗଜପତି ଓ ମହାନ୍‌ ଯୋଦ୍ଧା ଜୟୀ ରାଜଗୁରୁ। ସେମାନଙ୍କୁ ପ୍ରଥମେ କଟକ ଜେଲରେ ରଖାଯାଇ ପରେ ମେଦିନପୁର ଜେଲକୁ ପଠେଇ ଦିଆଗଲା ଗୋପନରେ।
୧୮୦୬ ଡିସେମ୍ବର ୩ରେ ଆରମ୍ଭ ହେଲା ରାଜଗୁରୁଙ୍କ ଅନ୍ତିମ ବିଚାର। ସେ ଅନୁଭବ କଲେ ଇଂରେଜମାନଙ୍କ ସହିତ ଲଢ଼ିବା ପାଇଁ ଗଜପତି ଜୀବିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ଜଣେ ଦେଶ ହିତୈଷୀ ସଂଗଠକ ଭାବରେ ଗଜପତିଙ୍କ ପ୍ରାଣ ବଞ୍ଚେଇବା ପାଇଁ ସବୁତକ ଦୋଷ ନିଜ ଉପରକୁ ନେଇ ସୃଷ୍ଟି କଲେ ତ୍ୟାଗର ଏକ ଉଚ୍ଚ ଆଦର୍ଶ ଓ ପରମ୍ପରା। ବିଚାରକମାନଙ୍କ ସମ୍ମୁଖରେ ତାଙ୍କର ସ୍ପଷ୍ଟ ବକ୍ତବ୍ୟ ଥିଲା- ଜନ୍ମଭୂମିର ସୁରକ୍ଷା ପାଇଁ ସଂଗ୍ରାମ କରିବା ପ୍ରତ୍ୟେକ ଦେଶ ଭକ୍ତର କର୍ତ୍ତବ୍ୟ। ତେଣୁ ଇଂରେଜମାନଙ୍କ ଗୋଲାମ ହେବା ଅପେକ୍ଷା ଜନ୍ମଭୂମି ପାଇଁ ଲଢ଼େଇ କରି ଜୀବନ ଦେବା ତାଙ୍କ ଲାଗି ଶତଗୁଣ ଶ୍ରେୟସ୍କର।
ଶେଷରେ ରାଜଦ୍ରୋହ ଅପରାଧ ପାଇଁ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ବିଚାରପତି। ତଦନୁଯାୟୀ ଆଦେଶ କାର୍ଯ୍ୟକାରୀ ହେଲା ଡିସେମ୍ବର ୬ (୧୮୦୬ ମସିହା) ତାରିଖ ସକାଳେ। ମେଦିନପୁର ଜେଲ ସଂଲଗ୍ନ ବାଘିତୋଟାର ବରଡାଳରେ ବାନ୍ଧି ତାଙ୍କୁ ଏଭଳି ବର୍ବରୋଚିତ ଭାବରେ ହତ୍ୟା କରାଗଲା ଯେ ଦୁଇଫାଳ ହୋଇ ଚିରି ହୋଇଗଲା ତାଙ୍କ ଶରୀର। ଝର ଝର ତାଜା ରକ୍ତରେ ଲାଲ ହୋଇଗଲା ବାଘିତୋଟାର ମାଟି। ଖବର ବ୍ୟାପିଯିବା ମାତ୍ରେ ସ୍ତବ୍ଧ ହୋଇଗଲା ସମଗ୍ର ରାଜ୍ୟ। ମାନବିକତାର ଇତିହାସରେ ଯୋଡ଼ି ହୋଇଗଲା ଆଉ ଏକ କଳଙ୍କିତ ଅଧ୍ୟାୟ। ଜାତିପ୍ରାଣ ଜୟୀ ରାଜଗୁରୁଙ୍କ ଏହି ଦୁଃଖଦ ମୃତ୍ୟୁ ପାଇକମାନଙ୍କୁ ଶୋକାଭିଭୂତ କରି ରଖିଲା ଦୀର୍ଘଦିନ ପର୍ଯ୍ୟନ୍ତ। ମାତ୍ର ବ୍ୟର୍ଥ ଗଲାନି ଶହୀଦ ରାଜଗୁରୁଙ୍କ ବଳିଦାନ। ତାଙ୍କ ଦେଶପ୍ରେମ ଓ ଆତ୍ମତ୍ୟାଗରୁ ପ୍ରେରଣା ନେଇ ଦାନା ବାନ୍ଧିଲା ଏକ ଭୟଙ୍କର ସଶସ୍ତ୍ର ବିଦ୍ରୋହ।୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ଜାରି ରହିଥିବା ଏହି ବିଦ୍ରୋହ ହିଁ ଥିଲା ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ସ୍ବର।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ:୬୩୭୧୬୪୨୪୬୪