ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ ଅଧିକାରୀ, ଚଢ଼ାଉ ଟିମ୍‌ ଭିତରେ ଆଉ ସବୁ ଯାହା ଦେଖିଲା ଆଖି ଖୋସି ହୋଇଗଲା

ମସ୍କୋ,୨୩ା୭: ଜଣେ ସାଧାରଣ ସରକାରୀ କର୍ମଚାରୀ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ରୁଷିଆର ଜଣେ ଟ୍ରାଫିକ ପୋଲିସ ଅଧିକାରୀ ତାଙ୍କ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ। ତେଣୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ପହଞ୍ଚି ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା।

ଉକ୍ତ ଟିମ୍‌ ଅଭିଯୁକ୍ତଙ୍କ ଘର ରେଡ୍‌ କରିବା ସମୟରେ ତାଙ୍କ ବଙ୍ଗଳା, ସୁନ୍ଦର ସୁନ୍ଦର କୋଠରି, ରାଜାରାଜୁଡ଼ାଙ୍କ ପରି ଅସାଧାରଣ ଚଳଣି ଏବଂ ସୁନାର ଟଏଲେଟ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ପୋଲିସ ଅଧିକାରୀଙ୍କ ସମସ୍ତ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ କରାଯାଇଥିଲା। ଏହି ଘର କୌଣସି ରାଜାଙ୍କ ଘରଠାରୁ କମ୍‌ ନ ଥିଲା। ଯାଞ୍ଚ ସମୟରେ ଅଧିକାରୀଙ୍କ ଘରୁ ନଗଦ ୧,୯୧, ୭୭, ୨୬୬ ଟଙ୍କା, ଦାମୀ କାର୍‌ ଏବଂ କିଛି ଜରୁରୀ କାଗଜପତ୍ର ମିଳିଛି। ତେବେ ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି। ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି।