୨୦୩୦ ସୁଦ୍ଧା ୧୦୦ ଟପିବ ମହାବଳ ବାଘ ସଂଖ୍ୟା

ବାରିପଦା,୨୯ା୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମହାବଳ ବାଘ ପାଇଁ ଶିମିଳିପାଳ ଅଭୟାରଣ୍ୟ ଉପଯୁକ୍ତ ବାସସ୍ଥାନ ଭାବେ ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି(ଏନ୍‌ଟିସିଏ)ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏଠାରେ ମହାବଳ ବାଘ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ା ୨୦୩୦ ସୁଦ୍ଧା ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ୧୦୦ ଟପିବ ବୋଲି ଆଶା କରାଯାଇଛି। ବର୍ତ୍ତମାନ ଶିମିଳିପାଳରେ ମହାବଳ ବାଘ ୪୦ ଥିବାବେଳେ ଦୁଇ ଅତିଥି ଯମୁନା ଓ ଜିନ୍ନତକୁ ମିଶାଇ ଏମାନଙ୍କ ସଂଖ୍ୟା ୪୨ରେ ପହଞ୍ଚତ୍ଛି। ଏଥିମଧ୍ୟରେ ୩୪ଟି ମହାବଳ ଓ ୮ଟି ଶାବକ ରହିଛନ୍ତି। ବାଘ ଗଣନା ପରିସଂଖ୍ୟାନ ଅନୁଯାୟୀ, ପ୍ରତି ୪ବର୍ଷରେ ବାଘ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଉଛି। ଏହାକୁ ଲକ୍ଷ୍ୟରେ ରଖି ୨୦୨୬ ଗଣନାରେ ଏହା ୬୦ ପାର୍‌ ହେବା ଆଶା ରହିିଛି। ଶିକାରୀଙ୍କ କବଳରୁ ରକ୍ଷା କରିବା ଏବଂ ମହାବଳର ଗତିବିଧି ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ଟ୍ରାପ୍‌ ଓ ଏଆଇ କ୍ୟାମେରା ଖଞ୍ଜାଯାଇଛି ା ବନ କର୍ମଚାରୀଙ୍କ ସହ ଡାକ୍ତରୀଟିମ୍‌ ପାଟ୍ରୋଲିଂରେ ଯାଇ ଜୀବଜନ୍ତୁଙ୍କ ସ୍ବାସ୍ଥ୍ୟ ଚିକିତ୍ସା କରୁଛନ୍ତି। ଏପରି ସ୍ଥଳେ ମହାରାଷ୍ଟ୍ର ତଡବା ଅନ୍ଧାରୀ ଜଙ୍ଗଲରୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ ସେପ୍ଟେମ୍ବର ଶେଷ ସୁଦ୍ଧା ମା’ ହେବାକୁ ଯାଉଛି। କଳାବାଘ ଜେନେଟିକ୍‌ରେ ପରିବର୍ତ୍ତନ ଆଣିବା ଯୋଜନା ସଫଳ ହେଲେ ଆଗାମୀ ଦିନରେ ଶିମିଳିପାଳକୁ ମହାବଳ ବାଘୁଣୀ ଆଣିବାର ଯୋଜନା ଜାରି ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ଏନେଇ ପୂର୍ବତନ ବନ୍ୟପାଣୀ ତତ୍ତ୍ୱାବଧାରକ ତଥା ଓଡ଼ିଶା ରାଜ୍ୟ ବନ ଉନ୍ନୟନ ୨ନଂ. ନିଗମର ସ୍ବାଧୀନ ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ବାଘ ପାଇଁ ନିର୍ଭୟ ନିଶ୍ଚଳ ବାସସ୍ଥଳୀ, ସହଜ ଖାଦ୍ୟ ସଂଗ୍ରହ, ଶିକାରୀମୁକ୍ତ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଲେ ବାଘ ସଂଖ୍ୟା ବୃଦ୍ଧିରେ ଦ୍ରୁତ ଅଗ୍ରଗତି ସମ୍ଭବ ହୋଇପାରିବ ବୋଲି ମତ ରଖିଛନ୍ତି।