କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୧୮%ରେ ପହଞ୍ଚିଛି।
ଶ୍ରୀଲଙ୍କାର ଜନଗଣନା ଏବଂ ପରିସଂଖ୍ୟାନ ବିଭାଗ ଦ୍ୱାରା ଜାରି କରାଯାଇଥିବା ୨୦୨୪ ରିପୋର୍ଟ ଅନୁସାରେ, ଦେଶର ମୋଟ ଜନସଂଖ୍ୟା ବର୍ତ୍ତମାନ ୨ କୋଟି ୧୭ ଲକ୍ଷ ୮୧ ହଜାର ୮୦୦ ରହିଛି। ଏଥିରେ ପ୍ରତି ବର୍ଗ କିଲୋମିଟର ପିଛା ଜନସଂଖ୍ୟା ଘନତ୍ୱ ୩୫୦ ରହିଛି। ୧୯୮୧ ମସିହାରେ ବୟସ୍କ ଜନସଂଖ୍ୟା ମାତ୍ର ୬.୬ ପ୍ରତିଶତ ଥିଲା, ଯାହା ୨୦୨୪ ସୁଦ୍ଧା ୧୮%କୁ ବୃଦ୍ଧି ପାଇଛି। ସେହିପରି ୧୯୮୧ରେ ବୟସ୍କଙ୍କ ସଂଖ୍ୟା ୧୦ ଲକ୍ଷରୁ କମ୍ ଥିବାବେଳେ ବର୍ତ୍ତମାନ ତାହା ୩୯ ଲକ୍ଷ ୨୧ ହଜାର ୧୨୪ରେ ପହଞ୍ଚିଛି। ଅପରପକ୍ଷେ ଶିଶୁ (୦-୧୪ ବର୍ଷ) ଜନସଂଖ୍ୟା ହ୍ରାସ ପାଇ ୨୦.୭% ହୋଇଛି। ଶ୍ରୀଲଙ୍କାରେ ବର୍ତ୍ତମାନ ‘ଏଜିଂ ଇଣ୍ଡେକ୍ସ’ ୮୭ ରହିଛି, ଯାହାର ଅର୍ଥ ହେଉଛି, ପ୍ରତି ୧୦୦ ଜଣ ଶିଶୁଙ୍କ ତୁଳନାରେ ଦେଶରେ ୮୭ ଜଣ ବୟସ୍କ ବ୍ୟକ୍ତି ଅଛନ୍ତି। ଦେଶର ମୋଟ ପ୍ରଜନନ ହାର (ଟିଏଫ୍ଆର୍) ମଧ୍ୟ ୧୯୮୧ ମସିହାର ୩.୩%ରୁ ହ୍ରାସ ପାଇ ୨୦୨୪ରେ ୧.୮% ହୋଇଛି। ଏହା ସମାଜରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାର ଏକ ସ୍ପଷ୍ଟ ସଙ୍କେତ। ଜନଗଣନା ଅନୁସାରେ ଦେଶର ମଧ୍ୟମ ବୟସ ମଧ୍ୟ ବୃଦ୍ଧି ପାଇ ୩୫ ବର୍ଷ ହୋଇଛି, ଯାହା ୨୦୧୨ ତୁଳନାରେ ୫ ବର୍ଷ ଅଧିକ।
ଶ୍ରୀଲଙ୍କାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ। ପ୍ରତି ୧୦୦ ଜଣ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ୯୩.୩। ଜାତି ଓ ଧର୍ମ କଥା ଦେଖିଲେ, ଏହି ଦେଶରେ ସିଂହଳୀ ସମ୍ପ୍ରଦାୟ ୭୪.୧%, ତାମିଲ ୧୨.୩% ଏବଂ ମୁସଲିମ ୧୦.୫% ରହିଛନ୍ତି। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ବୌଦ୍ଧ (୬୯.୮%), ହିନ୍ଦୁ (୧୨.୬%), ଇସଲାମ (୧୦.୫%) ଏବଂ ରୋମାନ କ୍ୟାଥୋଲିକ (୫.୬%) ଅଛନ୍ତି। ରିପୋର୍ଟ ମୁତାବକ, ପଶ୍ଚିମାଞ୍ଚଳ ଏବେ ମଧ୍ୟ ଦେଶର ପ୍ରମୁଖ ଜନବହୁଳ ଅଞ୍ଚଳ ହୋଇରହିଛି, ଯେଉଁଠାରେ ମୋଟ ଜନସଂଖ୍ୟାର ୨୮.୧ ପ୍ରତିଶତ ଲୋକ ବାସ କରନ୍ତି।