ମୁମ୍ବାଇ: ଜମ୍ମୁ କଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ନିର୍ଦ୍ଦୋଶ ନାଗରିକ। ଏହାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ବର ଗୁଞ୍ଜରିତ ହେଉଛି। ସାଧାରଣଲୋକଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଏହି ଘଟଣା ପରେ ଆତଙ୍କବାଦୀଙ୍କ ବିରୋଧରେ ଆକ୍ରୋଶ ଜାହିର କରୁଛନ୍ତି। ଏସବୁ ମଧ୍ୟରେ ବଲିଉଡ ଭେଟେରାନ ସୁନୀଲ ସେଟ୍ଟୀ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, ଆମକୁ ଜଣେ ନାଗରିକ ଭାବେ କେବଳ ଗୋଟିଏ କାମ କରିବାର ଅଛି। ଆମେ କଶ୍ମୀରକୁ ଆଗାମୀ ଛୁଟିରେ ବୁଲିବାକୁ ଯିବୁ। ଆତଙ୍କବାଦୀଙ୍କୁ ଦେଖାଇବାର ଅଛି ଯେ ଆମେ ଡରୁ ନାହୁଁ। କାରଣ ଏହି ଘଟଣା ପରେ କଶ୍ମୀରର ଲୋକଙ୍କୁ ପର୍ଯ୍ୟଟନ କମ୍ ହେବାର ଭୟ ଘାରିଛି ବୋଲି ସୁନୀଲ ଲତା ଦୀନାନାଥ ମଙ୍ଗେଶକର ଆଓ୍ବାର୍ଡ କାର୍ଯ୍ୟକ୍ରମ ସମୟରେ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି।
ସୁନୀଲ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମକୁ ଏକାଠି ହେବାକୁ ହେବ। ଯେଉଁ ଲୋକେ ଡର ଏବଂ ଘୃଣା ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ଜାଲରେ ନ ଫଶି ଦେଖାଇବାକୁ ହେବ ଯେ, କଶ୍ମୀର ଆମର ଥିଲା, ଆମର ଅଛି ଏବଂ ସର୍ବଦା ଆମର ରହିବ। ନେତା ଏବଂ ସାଧାରଣଟ ଲୋକେ ମିଶି ଏହି ଅସୁବିଧାର ସାମ୍ନା କରିବାକୁ ହେବ।