ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି ହେଉଛି। ଏହାର ବୃଦ୍ଧିର ହାର ପ୍ରତି ବର୍ଷ ୩.୯୯ ମିଲିମିଟର। ତେବେ ସବୁ ସ୍ଥାନରେ ବଙ୍ଗୋପସାଗରର କାୟା ବୃଦ୍ଧି ସମାନ ଭାବରେ ହୋଇ ନ ଥାଏ। ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବୋରଠାରେ (ଗଙ୍ଗାନଦୀ ମୁହାଣ) ଏହା ବାର୍ଷିକ ୫.୧୬ ମିଲିମିଟର ହାରରେ ବୃଦ୍ଧି ଘଟୁଥିବା ବେଳେ ପାରାଦୀପ ନିକଟରେ (ମହାନଦୀ ମୁହାଣ) ଏହା ବାର୍ଷିକ ୪.୪୩ ମିଲିମିଟର। ହୁଏତ କାହାକୁ ଏକ ମିଲିମିଟର କହିଲେ ବହୁତ କମ୍ ଲାଗୁଥାଇପାରେ। ସମୁଦ୍ର ଜଳରାଶି ଏକ ମିଲିମିଟର ବୃଦ୍ଧି ହେଲେ ଏହା ୩୬୦ ବର୍ଗ କିଲୋମିଟର ସ୍ଥଳ ଭାଗର ଜମିକୁ ବୁଡାଇଦିଏ। ଭୁବନେଶ୍ବର ସହରର ସୀମା ୧୮୬ ବର୍ଗକିଲୋମିଟର। ତେଣୁ ମାତ୍ର ଏକ ମିଲିମିଟର ସମୁଦ୍ର ଜଳରାଶି ବୃଦ୍ଧି ଦୁଇଟି ଭୁବନେଶ୍ୱର ସହରକୁ ବୁଡାଇଦେବା ଲାଗି ସମର୍ଥ। ସମୁଦ୍ରର ଆକାର ବର୍ଷ ବର୍ଷ ଧରି ବଢୁଥିବା ହେତୁ ଏହା ଯେ କ୍ରମଶଃ କେତେ ବିଶାଳ ହୋଇଚାଲିଛି ତାହା ଅନୁମାନ କରାଯାଇପାରେ। ଯଦି ସମୁଦ୍ର ଜଳରାଶି ଏକ ଇଞ୍ଚ (୨୫.୨ ମିଲିମିଟର) ବୃଦ୍ଧି ହୁଏ ତେବେ ଏହା ୯୨୦୦ ବର୍ଗକିଲୋମିଟର ସ୍ଥଳଭାଗକୁ ବୁଡାଇଦେବ।
ସମୁଦ୍ର କିନ୍ତୁ ନଦୀରେ ବନ୍ୟା ଆସିବା ଭଳି ହଠାତ୍ କୌଣସି ଅଞ୍ଚଳକୁ ବୁଡାଇ ଦେଇ ନ ଥାଏ । ଆଜିର ଏକ ମିଲିମିଟର ପୁଣି କିଛିଦିନ ପରେ ଇଞ୍ଚ ଓ ପରେ ଏକ ମିଟର, ଏହି ଗତିରେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇ ସ୍ଥଳଭାଗ ଜମିକୁ ଅକ୍ତିଆର କରିଚାଲିଛି। ହୁଏତ ଆଜି ମୋର ଘର ବୁଡି ନ ଥାଇ ପାରେ। ଏହା ନୁହେଁ ଯେ ଆଉ କାହାର ଘର ଏହା ବୁଡାଇ ନାହିଁ। ସମୁଦ୍ର ଜଳରାଶି ପ୍ରତିବର୍ଷ ବଢିବା ହେତୁ ଆଜିର ଦିନରେ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳର ଅନେକ ଗାଁ ସମୁଦ୍ର ମଧ୍ୟରେ ଲୀନ ହୋଇସାରିଛି। ସେହିଭଳି ଓଡ଼ିଶାର କେନ୍ଦ୍ରାପଡ଼ା ଅଞ୍ଚଳର ସାତଭାୟା ଗ୍ରାମବାସୀ ବିସ୍ଥାପିତ ହୋଇସାରିଲେଣି। ପୁରୀ ଜିଲା କୋଣାର୍କ ନିକଟସ୍ଥ ଛେନୁ ଗାଁ ଥରେ ବିସ୍ଥାପିତ ହୋଇ ପୁଣି ଦ୍ୱିତୀୟ ଥର ବିସ୍ଥାପିତ ହୋଇଛନ୍ତି। ସେହି ନିକଟରେ ଅବସ୍ଥିତ ଉଦୟକଣି ଗ୍ରାମବାସୀ ଥରେ ବିସ୍ଥାପିତ ହୋଇ ଏବେ ନୂଆ ସ୍ଥାନର ସନ୍ଧାନରେ ଅଛନ୍ତି। ଗଞ୍ଜାମ ଜିଲାର ପୋଡମପେଟା ଗାଁର ୫୦୦ ମତ୍ସ୍ୟଜୀବୀ ପରିବାର ସମୁଦ୍ରକୁ ନିଜର ଚାଷ ବୋଲି ଭାବି ଜୀବିକା ନିର୍ବାହ କରିଆସୁଥିଲେ। ଏହିଠାକୁ ବେଶ୍ କିଛି ବର୍ଷ ଅଲିଭ ରିଡ୍ଲେ କଇଁଛ ଆସୁଥିଲେ। ଗଲା ବର୍ଷ ଏହାର ଶେଷ ଗ୍ରାମବାସୀ ଗାଁ ଛାଡିବାକୁ ବାଧ୍ୟ ହେଲେ ଓ ଏହି ବର୍ଷ କଇଁଛ ମଧ୍ୟ ଆସିଲେ ନାହିଁ । ବଡ଼ କଥା ହେଉଛି, ଗ୍ରାମବାସୀ ଯେଉଁ ଦୁଇଟି ଗ୍ରାମରେ ବିଭାଜିତ ହୋଇଗଲେ ସେଠାକୁ ମଧ୍ୟ କେବେ ବି ସମୁଦ୍ରର ପାଣି ଆସି ପହଞ୍ଚିଯାଇପାରେ।
ଗୋପାଳପୁର ବନ୍ଦର ନିକଟରେ ଥିବା ଆର୍ଯ୍ୟପଲ୍ଲୀ ଗାଁ ପୋଡମପେଟାଠାରୁ କୋଡିଏ କିଲୋମିଟର ଦୂର। ଏହାର ୧୦,୦୦୦ ଲୋକ ଦିନେ ଯେଉଁମାନେ ସମୁଦ୍ରକୁ ପାଞ୍ଚ କିଲୋମିଟର ଦୂରରେ ଦେଖୁଥିଲେ, ନିଜର ଡଙ୍ଗା ଓ ଜାଲକୁ ସେହିଠାରେ ରଖିଦେଇ ଗାଁକୁ ଆସୁଥିଲେ, ଆଜି ସମୁଦ୍ର ସେମାନଙ୍କ ଗାଁ ପାଖରେ ଗର୍ଜନ କରୁଛି। ସମୁଦ୍ର ଏତେ ନିକଟରେ ଯେ ଡଙ୍ଗାକୁ କୂଳରେ ରଖିବା ପାଇଁ ବି ଜାଗା ନାହିଁ। ସେମାନଙ୍କ ଘର, ଜମି, ଇତିହାସ ସବୁକିଛି ବହୁ ଶୀଘ୍ର ସମୁଦ୍ର ମଧ୍ୟରେ ଲୀନ ହୋଇଯିବ, ସମୁଦ୍ର ଏଠାରେ ମଧ୍ୟ ନୂଆ ଭୂଗୋଳ ସୃଷ୍ଟି କରିବ।
ଉଦୟକଣି ଗାଁର ଗୋବିନ୍ଦ ପ୍ରଧାନଙ୍କୁ ଭେଟିଥିଲି ଗତବର୍ଷ ଶୀତ ମାସରେ। ତାଙ୍କର କ୍ଷୋଭ ଥିଲା, ସମୁଦ୍ର ହେଲେ ଫେରିଯାନ୍ତା? ଅନ୍ତତଃ ସମୁଦ୍ର ଭିତରେ ରହିଥିବା ଆମ ଜମିକୁ ପୁଣି ଆମେ କୌଣସି ପ୍ରକାରେ ଚଷି ପାରନ୍ତୁ। ହେଲେ ଖାଇଥିବା ସମୁଦ୍ର କେବେ ବାନ୍ତି କରେନାହିଁ। ଆମ ଚାଷ କଲା ଜମି ଫେରିବାର ନାହିଁ। ସତକଥା। ଯେଉଁ ଜମି ଥରେ ସମୁଦ୍ରରେ ମିଶିଗଲା ସେ ଆଉ କେବେ ଫେରେନାହିଁ। ଲୋକଙ୍କ ପଟ୍ଟା ଜମି, ପୂର୍ବ ପୁରୁଷରୁ ଚାଷ କରିଆସୁଥିବା ଜମି, ଘରବାରି ଜମି, ଗାଁର ସ୍କୁଲ ଓ ମନ୍ଦିର ସବୁକିଛିକୁ ସମୁଦ୍ର ତାହାର ଗର୍ଭକୁ ନେଇଯାଉଛି। କୂଳରେ ପହଞ୍ଚୁଥିବା ପ୍ରତି ଲହଡିରେ ସେହି ଗାଁମାନଙ୍କର ବେଦନାର ସ୍ବର ରହିଛି। ଏହା ସହିତ ରହିଛି କଟିଯାଇଥିବା ଜଙ୍ଗଲ ଓ ହିମାଳୟରୁ ତରଳିଥିବା ବରଫର ସ୍ତର। କିନ୍ତୁ ‘ବିକାଶ’ ଆଜି ଏଭଳି କିମିଆ କରିଛି ଯେ ପ୍ରତ୍ୟେକ ରାଜନୀତିଜ୍ଞ, ପ୍ରଶାସକ, ମିଡିଆ ଓ ସେଲିବ୍ରିଟି ଧରିନେଇଛନ୍ତି ଯେ ପୃଥିବୀ ଏକ ସରକାରୀ ବ୍ୟାଙ୍କ ଓ ଲୋକେ ହେଉଛନ୍ତି ବ୍ରଏଲର ଫାର୍ମର କୁକୁଡା।
ମେରୁରେ ବରଫ ତରଳିବା ଯୋଗୁ ସମୁଦ୍ର ଫୁଲିବାରେ ଲାଗିଛି। ଏହା ବିଶ୍ୱ ହାରାହାରି ତାପମାତ୍ରା ବୃଦ୍ଧିର ପରିଣାମ। ହିମାଳୟରେ ବରଫ ତରଳିବା ହେତୁ ବଙ୍ଗୋପସାଗର ଜଳସ୍ତର ବୃଦ୍ଧିପାଇଚାଲିଛି। ୧୯୯୦ରୁ ୨୦୨୦ ମଧ୍ୟରେ ହିମାଳୟର ୧୨ ପ୍ରତିଶତ ଅଞ୍ଚଳ ବରଫଶୂନ୍ୟ ହୋଇଗଲାଣି। ଏହି ସମସ୍ତ ବରଫରୁ କିଛି ଆରବସାଗର ଓ ଏକ ବିରାଟ ଅଞ୍ଚଳର ବରଫ ବଙ୍ଗୋପସାଗରକୁ ଆସିଛି। ଆଜି ସ୍କୁଲର ପିଲାଟିଏ ବି ଜାଣେ ଯେ ବିଶ୍ୱ ତାପମାତ୍ରାରେ କ୍ରମାଗତ ବୃଦ୍ଧି ହେତୁ ହିମାଳୟରେ ବରଫ ତରଳୁଛି। ସେଥିଲାଗି ସେ ସ୍କୁଲ ଓ ଘର ଚାରିପାଖରେ ଗଛଟିଏ ଲଗାଇବାରେ ଲାଗିଛି। ସେ ଜାଣିନି ସେହି ଗଛ ପୁଣି ବ୍ୟବସ୍ଥାର ଚକ୍ରାନ୍ତରେ ଯେ ଶେଷ ପର୍ଯ୍ୟନ୍ତ ବଞ୍ଚିବ ତାହା ନୁହେଁ। ଯଦି ବି ବଞ୍ଚିଗଲା ତେବେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ କମାଇବା ଲାଗି ତାହା ଯଥେଷ୍ଟ ହେବ କି ନାହିଁ। କାରଣ ସେହି ଗଛ ଅନୂ୍ୟନ କୋଡିଏ ବର୍ଷ ପରେ ବଡ ହେବା ବେଳକୁ ବାୟୁମଣ୍ଡଳ ଆହୁରି ଅଧିକ ଦୂଷିତ ହୋଇସାରିଥିବ। ସେ ଅବଶ୍ୟ କେବେ ପଚାରି ନାହିଁ ଯେ ନୂଆ ଗଛ ଲଗାଇବା ଅପେକ୍ଷା ପୁରୁଣା ଗଛକୁ ବଞ୍ଚିବା ଲାଗି ସୁଯୋଗ କାହିଁକି ଦିଆଯାଉନାହିଁ। ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ତଥ୍ୟ ଅନୁସାରେ ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ଓଡ଼ିଶାରେ ୨୬ ଲକ୍ଷ ୭୫ ହଜାର ଗଛ କଟାଯାଇଛି। ସାରା ଭାରତରେ ସେହି ସମାନ ସମୟରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଜମି ମୁଖ୍ୟତଃ ବ୍ୟବସାୟିକ, କୃଷି, ଖଣି, ଶିଳ୍ପ କାରଖାନା, ନଦୀ, ଜଳଭଣ୍ଡାର ଓ ଜଙ୍ଗଲ ନିଆଁ ଦ୍ୱାରା ନଷ୍ଟ ହୋଇଯାଇଛି। ଏହି ପ୍ରକ୍ରିୟା ସମଗ୍ର ବିଶ୍ବରେ ଚାଲୁରହିଛି।
ଏବେ ପୁଣି ବିଶ୍ୱ ପରିବେଶ ଲାଗି ଯୁଦ୍ଧ ଅନ୍ୟ ଏକ ବିପଦ ହୋଇ ଠିଆ ହୋଇଛି। ଗଲା କିଛି ବର୍ଷ ମଧ୍ୟରେ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ, ଇସ୍ରାଏଲର ପାଲେଷ୍ଟାଇନ ଉପରେ ଆକ୍ରମଣ, ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପୁଣି ଯୁଦ୍ଧରେ ପ୍ରତିଆକ୍ରମଣରେ କୁଏଟ୍, ଲେବାନନ ଇତ୍ୟାଦି ରାଷ୍ଟ୍ର ଉପରେ ବୋମା ବର୍ଷଣ ଆଜି ପୃଥିବୀର ଆୟୁଷକୁ କମାଇଦେବାରେ ଲାଗିଛି। ଆମର ରାଷ୍ଟ୍ରମୁଖ୍ୟମାନେ ୧୯୭୨ ମସିହାରୁ ଆର୍ଥ ସମିଟ୍ରେ ଯୋଗ ଦେଉଛନ୍ତି, ଅଙ୍ଗାରକାମ୍ଳ ନିର୍ଗମନ କମ୍ କରିବାର ପ୍ରତିଶ୍ରୁତି ଦେଉଛନ୍ତି, ଆର୍ଥ ସମିଟ୍ର ପଚାଶ ବର୍ଷ ପାଳୁଛନ୍ତି। କିନ୍ତୁ ଅସଲ ସମୟରେ ସେମାନେ ନିଜର ସ୍ବରୂପ ଦେଖାଉଛନ୍ତି।
ପ୍ରକୃତି ଏ ସମସ୍ତ ଅତ୍ୟାଚାରକୁ ସମ୍ଭାଳି ନେଇ ସତରେ କ’ଣ ବିଶ୍ୱବାସୀଙ୍କୁ କ୍ଷମା ଦେଇଦେବ? ନା ସେ ନିଜର ଅତି ଭୟାନକ ରୂପ କେବେ ଦେଖାଇବ? ଯୁଦ୍ଧରେ ବ୍ୟବହୃତ ମିଶାଇଲ, ବୋମା, ରକେଟ ହେତୁ ଯାଉଥିବା ଜୀବନ କେବେ ଫେରିବ ନାହିଁ। ଦୂଷିତ ବାୟୁମଣ୍ଡଳ ପୁଣି କେବେ ସାଧାରଣ ହୋଇପାରିବ ନାହିଁ। ଏହାର ଭୟାନକ ରୂପକୁ ସାଧାରଣ ମଣିଷକୁ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଭୋଗିବାକୁ ହେବ, ସେ ଯୁଦ୍ଧର ନିକଟରେ ରହିଥାଉ ଅଥବା ହଜାର ମାଇଲ ଦୂରରେ।
ଦେବ ରଞ୍ଜନ
ମୋ: ୯୪୩୭୭୬୨୨୭୨