ବେଜିଂ: ଚାଇନାର ହୁଆଲାଇ ନଦୀକୁ ବିଶ୍ୱର ସବୁଠାରୁ ସଂକୀର୍ଣ୍ଣ ନଦୀ ଭାବରେ ବିବେଚନା କରାଯାଇଥାଏ। ହାଓଲାଇ ନାମରେ ମଧ୍ୟ ପରିଚିତ ଏହି ନଦୀ ଉତ୍ତର ଚାଇନାର ଆଭ୍ୟନ୍ତରୀଣ ମଙ୍ଗୋଲିଆ ଅଞ୍ଚଳରେ ରହିଛି। ଏହି ସଂକୀର୍ଣ୍ଣ ନଦୀର ଲମ୍ବ ପ୍ରାୟ ୧୭ କି. ମି. ରହିଛି। ବିଶେଷଜ୍ଞଙ୍କ ମତରେ ପ୍ରାୟ ୧୦ ହଜାର ବର୍ଷ ଧରି ଏହି ନଦୀ ପ୍ରବାହିତ ହୋଇଆସୁଛି। ଏହି ନଦୀର ହାରାହାରି ଚଉଡ଼ା ୧୫ ସେ.ମି. ହୋଇଥିବା ବେଳେ ନଦୀର ଏକ ସ୍ଥାନରେ ଚଉଡ଼ା ମାତ୍ର ୪ ସେ.ମି. ରହିଛି। ଏତେ ମାତ୍ରାରେ ସଂକୀର୍ଣ୍ଣ ହୋଇଥିବାରୁ ହୁଆଲାଇ ନଦୀରେ ଡଙ୍ଗା କିମ୍ବା ବୋଟ୍ ଚାଲିବା ଅସମ୍ଭବ। କେବଳ ଥରୁଟିଏ ଡେଇଁ ଏହି ନଦୀକୁ ସହଜରେ ଅତିକ୍ରମ କରି ହୋଇଥାଏ। ଏତେ କମ୍ ଚଉଡ଼ା ଥିବା ସତ୍ତ୍ବେ ମଧ୍ୟ ନଦୀ ପାଇଁ ଆବଶ୍ୟକ ଥିବା ବୈଜ୍ଞାନିକ ମାନଦଣ୍ଡକୁ ହୁଆଲାଇ ନଦୀ ପୂରଣ କରୁଛି। ଏହି ନଦୀରେ ପ୍ରବାହିତ ଜଳର ସ୍ଥାୟୀ ଏବଂ ସ୍ଥିର ପ୍ରବାହ ରହିଛି। ସେହିପରି ଏହି ନଦୀରେ ଜଳ ନିଷ୍କାସନ ଅବବାହିକା ଥିବା ସହ ଏହା ଏକ ଭୂତଳ ଝରଣାରୁ ସ୍ଥାୟୀ ଭାବେ ପ୍ରବାହିତ ହେଉଛି। ଏକ ରିପୋର୍ଟ ଅନୁଯାୟୀ ଏହି ନଦୀର ଗଭୀରତା ୫୦ ସେ.ମି. ରହିଛି।
Dharitri – The Largest & Most Trusted Odia Daily