Categories: ମେଟ୍ରୋ

ଅଗ୍ନିଶମ ବାହିନୀର ନାଁ ‘ଅଗ୍ନିଶମ ଏମର୍ଜେନ୍ସି ବିଭାଗ’ ହେବ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଅଗ୍ନିଶମ ବାହିନୀର ନାଁ ବଦଳି ହେବ ‘ଅଗ୍ନିଶମ ଏମର୍ଜେନ୍ସି ବିଭାଗ’। ଏଥିସହ ଏନ୍‌ଡିଆର୍‌ଏଫ୍‌ ଭଳି ଅଗ୍ନିଶମ ବାହିନୀ ମଧ୍ୟ ତ୍ୱରିତ ସେବା ପ୍ରଦାନ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଅନ୍ତର୍ଜାତୀୟମାନର ପ୍ରଶିକ୍ଷଣ ଦିଆଯିବ ବୋଲି ବୁଧବାର ଓଡ଼ିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ୱାରା ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି। ସେ କହିଥିଲେ, ରାଜ୍ୟ ସରକାର ଏହି ବିଭାଗ ପାଇଁ ୪୦୦ କୋଟିର ଖର୍ଚ୍ଚ ପାଇଁ ଆକଳନ କରିଛନ୍ତି। କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତୀକରଣ ପାଇଁ ୨୪୬ କୋଟି ପ୍ରଦାନ ପାଇଁ ଏକ ଚିଠା ପ୍ରସ୍ତୁତ କରାଯାଇଛି। ନିଆଁଲିଭା ବ୍ୟତୀତ ଏନ୍‌ଡିଆର୍‌ଏଫ୍‌ କାର୍ଯ୍ୟ ଠାରୁ ଅଧିକ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କଟକ ଓ ଭୁବନେଶ୍ୱରରେ ଲୋକଙ୍କୁ ଆପାତ୍‌କାଳୀନ ସେବା ଯୋଗାଇଦେବାକୁ ୨୦୦ ସ୍ବତନ୍ତ୍ର ଅଗ୍ନିଶମ ବାହିନୀ ପ୍ରସ୍ତୁତ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଅଗ୍ନିଶମ ସେବାର ଅତ୍ୟାଧୁନିକୀକରଣ ଲାଗି ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଥିଲେ। ଏହି ଅବସରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହିଥିଲେ, ଅନ୍ୟ ଶିଳ୍ପାଞ୍ଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପତ୍ତି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି କହିଥିଲେ। ଏହି ଅବସରରେ ଅତିଥିମାନେ ଫାୟାର ସର୍ଭିସ ନ୍ୟୁଜ ବୁଲେଟିନ୍‌ ଓ ଟେଲିଫୋନ ଡିରେକ୍ଟୋରୀ ଉନ୍ମୋଚନ କରିଥିଲେ।