ମା’ର ବର୍ଣ୍ଣନା କୌଣସି ଶବ୍ଦରେ କରିବା ସମ୍ଭବ ନୁହେଁ। ସାରା ଦୁନିଆରେ ସମସ୍ତେ ଜାଣନ୍ତି ମା’ର ଅର୍ଥ କ’ଣ। ସେଥିପାଇଁ ତ କଥାରେ ଅଛି “ମା ନାହିଁ ଯାହାର ସାହା ନାହିଁ ତାହାର”। ଆପଣ ବି କେବେ ନିଶ୍ଚୟ ଅନୁଭବ କରିଥିବେ ଯେ ଜୀବନରେ ଯେତେ ବଡ଼ ବିପଦ ଆସୁନା କାହିଁକି ଯଦି ସେହି ସମୟରେ ମା’ ଆମ ପାଖରେ ଅଛି ତାହେଲେ ବିପଦ ପାଣିଫୋଟକା ଭଳି ମିଳାଇଯାଏ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଜଣେ ମା’ ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଛି।
ଭିଡିଓରେ ଦେଖାଯାଇଛି, ଏକ ମା’ ଭାଲୁ ତାର ପିଲାକୁ ପିଠିରେ ବସାଇ ହ୍ରଦ ପାର କରୁଛି। ଗଭୀର ପାଣିରେ ତାର ପିଲାକୁ ସୁରକ୍ଷିତ ଭାବେ ନେଉଥିବା ଦେଖାଯାଉଛି। ମା’ ଭାଲୁଟି ଧୀରେ ଧୀରେ ପାଣିରେ ପହଁରୁଥିବାବେଳେ ପିଲାଟି ତାର ପିଠି ଉପରେ ବସିଛି। ଏହି ଭିଡିଓଟିକୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।