Categories: ମେଟ୍ରୋ

ସେପ୍ଟେମ୍ବର ୨ରୁ ବିଧାୟକ ଷ୍ଟଡି ଟୁର୍‌ରେ ଯିବେ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ବିଧାନସଭା ସଚିବାଳୟ ପରିସରରେ ବୁଧବାର ସଦାଚାର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ ଶତପଥୀ କହିଛନ୍ତି, ଏହି ବୈଠକରେ ସମ୍ପ୍ରତି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସଚିବ, ଜିଲାପାଳ ଓ ଜିଲା ଏସ୍‌ପିମାନଙ୍କୁ ବୁକ୍‌ ସର୍କୁଲାଟ-୪୭ର ଦୃଢ଼ ଅନୁପାଳନ ପାଇଁ ଯେଉଁ ଚିଠି ଲେଖାଯାଇଛି ସେଥିପାଇଁ ସାଧୁବାଦ ପ୍ରଦାନ କରାଯାଇଥିଲା। ସେହିପରି ବିଧାନସଭା ନିବେଦନ କମିଟି ବୈଠକ ବିଧାୟକ ଡ. ପ୍ରମୋଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଦିଗ ଉପରେ ପୁଙ୍ଖନାପୁଙ୍ଖ ଆଲୋଚନା ହୋଇଛି ବୋଲି କମିଟି ଅଧ୍ୟକ୍ଷ ଡ. ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବୈଠକରେ ଆଗାମୀ ସେପ୍ଟେମ୍ବେର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ବାହାରକୁ ଏକ ଷ୍ଟଡି ଟୁର୍‌ରେ ବିଧାୟକମାନେ ଯିବେ। ଏ ନେଇ କମିଟିର ସଦସ୍ୟମାନଙ୍କୁ ଅବଗତ କରାଯାଇଛି। ଯେଉଁମାନେ ଷ୍ଟଡି ଟୁରରେ ଯିବା ପାଇଁ ଆଗ୍ରହୀ ସେମାନେ କମିଟିକୁ ଅବଗତ କରାଇବେ।