ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଅଧ୍ୟକ୍ଷତା କରି ସମର୍ପିତ ଭାବରେ ଜନସାଧାରଣଙ୍କୁ ସେବା ଯୋଗାଇଦେବା ପାଇଁ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଜିଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ବିଧାୟକ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା ଓ କୋଠାବାଡ଼ି ବିଭାଗ, ଗ୍ରାମ୍ୟ ବିକାଶ, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଉଠା ଜଳସେଚନ, ଜଳସେଚନ, କ୍ଷୁଦ୍ର ଜଳସେଚନ, ପ୍ରାଣୀ ସମ୍ପଦ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଜିଲାପାଳ ବିଧାୟକ ଓ ସମସ୍ତ ଅଧିକାରୀଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧିକାରୀମାନେ ନିଜ ବିଭାଗର ସଫଳତା ଓ ଭବିଷ୍ୟତ କାର୍ଯ୍ୟଖସଡ଼ା ସମ୍ବନ୍ଧରେ ଅବଗତ କରିଥିଲେ। ମୁଖ୍ୟତଃ ସମସ୍ତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ବିଧାୟକ ସିଧାସଳଖ ଆଲୋଚନା କରିଥିଲେ। ଏହି ଅବସରରେ ବିଧାୟକ ପତୋରା ଡ୍ୟାମ୍‌ରୁ ସ୍ଥାନୀୟ ସିଲଦା ରିଜର୍ଭ କଲୋନୀକୁ ପାନୀୟ ଜଳ ଯୋଗାଣ, ବିଭିନ୍ନ ଗ୍ରାମରେ ଅଧିକ ସଂଖ୍ୟାରେ ନଳକୂପ ଖନନ, ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଗ୍ରାମରେ ମୋବାଇଲ ସିଗ୍‌ନାଲ ନାହିଁ, ସେଠାରେ ନୂତନ ମୋବାଇଲ ଟାୱାର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଦ୍ବାରିକାନାଥ ଶତପଥୀ, ନୂଆପଡା ଓ କୋମନା ବିଡିଓ, ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ଶେଷରେ ଏପିଡି କ୍ଷମାନିଧି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily