ପାରଳାଖେମୁଣ୍ଡି, ୪।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଅଚାନକ କାଶୀନଗର ବସ ଷ୍ଟାଣ୍ଡଠାରେ ପହଞ୍ଚି ସେଠାରେ ହେଉଥିବା ଦୈନିକ ପରିବା, ମାଛ ଓ ମାଂସ ବଜାର ପରିଦର୍ଶନ କରି ସେଠାକାର ପରିବେଶ ପରିଚ୍ଛନ୍ନ ସ୍ବଚ୍ଛତା ଦେଖି ଖୋଭ ପ୍ରକାଶ କରିଥିଲେ। ସେଠାରେ ଥିବା ଭେଣ୍ଡିଂ ଜୋନ ଗୃହ ସବୁ ପରିତ୍ୟକ୍ତ ଅବସ୍ଥାରେ ବ୍ୟବହୃତ ନ ହୋଇ ମଦୁଆ ମାନଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇ ମଦ ବୋତଲ ସବୁ ଏଣେ ତେଣେ ପଡ଼ିଥିବା ଦେଖି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି।
ମୁଖ୍ୟତଃ ସେଠାରେ ଅସ୍ଥାୟୀ ବ୍ୟବସାୟୀ ମାନେ ବସ ଷ୍ଟାଣ୍ଡ କବ୍ଜା କରି ରାସ୍ତା ଉପରେ ଠେଲା ଗାଡି, ପରିବା ବିଛେଇ ବସ ଷ୍ଟାଣ୍ଡକୁ ଅବରୋଧ କରିଥାନ୍ତି। ମାଛ ଓ ମାଂସ ବ୍ୟବସାୟୀ ମାନଙ୍କୁ ସେଠାରେ ସ୍ବତନ୍ତ୍ର ଗୃହ ଯୋଗାଇ ଦିଆଥିଲେ ସୁଦ୍ଧା ସେମାନେ ସେଠାରେ ମାଛ ମାଂସ ବିକ୍ରି ନ କରିବା ହେତୁ ରାତ୍ରି ସମୟରେ କିଛି ଅସାଧୁ ବ୍ୟକ୍ତି ମଦ୍ୟ ପାନ କରି ଆଡ୍ଡା ଜମେଇ ଥାନ୍ତି। ସେହି ମାଛ ବଜାର ନିକଟରେ ଏକ ଫିଲଟର ପାଣି ଯୋଗେଇବା ପାଇଁ ଟ୍ୟାଙ୍କ ରହିଛି ତାହା କେକେ ବ୍ୟବହାରରେ ଆସିବ କେହି ଜାଣି ନାହାନ୍ତି। କାଶୀନଗର ବାସୀ ଏହି ପରିବା ବଜାର ସହ ମାଛ ଓ ମାଂସ ବ୍ୟବସାୟୀମାନେ ବସ ଷ୍ଟାଣ୍ଡ ଅବରୋଧ ନ କରି ସେମାନଙ୍କ ପାଇଁ ଉଦିଷ୍ଟ ଭେଣ୍ଡିଂ ଜୋନରେ ବିକ୍ରି କରିବା ପାଇଁ ଏବଂ କାଶୀନଗର ସହର ବିକାଶରେ ଉପୁଜୁ ଥିବା ସମସ୍ୟାର ଶୀଘ୍ର ସମାଧାନ ସହ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ମାରକ ପତ୍ର ବିଧାୟକଙ୍କୁ ଦେଇଥିଲେ। ଏହି ପରି କିଛି ମାସ ପୂର୍ବରୁ ଗଜପତି ଜିଲାପାଳ ପ୍ରତ୍ୟକ୍ଷ ଭାବେ ସମସ୍ୟା ସବୁ ଅନୁଧ୍ୟାନ କରି ଫେରିଥିଲେ ସୁଦ୍ଧା କୌଣସି ପରିବର୍ତ୍ତନ ହୋଇପାରିନାହିଁ।