ରନ୍ଧା ମଟନ ଆଉ ମିଠା ଖାଇ ସବୁ ଲୁଟିନେଲେ ଦୁର୍ବୃତ୍ତ, କୋର୍ଟ କର୍ମଚାରୀ ଘରେ ନଥିବାର ସୁଯୋଗ ନେଇ…

ବଣାଇ,୨୯।୧୦(ପ୍ରଦୀପ ତ୍ରିପାଠୀ): ବଣାଇ ସହରରେ ବନ୍ଧୁକ ମୁନରେ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା, ସୁନା ଗହଣା ଲୁଟ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୁଣି ଦୁର୍ବୃତ୍ତମାନେ ଛତିଆଢିପାଠାରେ ଥିବା କୋର୍ଟ କର୍ମଚାରୀ ନିକୁଞ୍ଜ ବେହେରାଙ୍କ ଘରେ କଳାକନା ବୁଲାଇଛନ୍ତି।
ଗତକାଲି କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ କଳାକନା ବୁଲାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ନିକୁଞ୍ଜ ନିଜ ପୁଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ ଓ ଗତକାଲି ପରିବାର ଲୋକେ କୌଣସି କାରଣରୁ ଅନୁଗୋଳ ଯାଇଥିଲେ । ଫେରିବା ପରେ ରାତି ପ୍ରାୟ ୧୦ଟା ବେଳେ ଘର କବାଟ ଭାଙ୍ଗି ଥିବା ଦେଖି ଭିତରେ ସବୁ ଜିନିଷ ପଡିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରେ ଥିବା ଆଲମାରୀ ଲକର ଭାଙ୍ଗି ସେଥିରେ ଥିବା ନଗଦ ୨ ଲକ୍ଷ, ପ୍ରାୟ ୫୨ ଗ୍ରାମ ସୁନା ଓ ୨୦ ଗ୍ରାମ ରୂପା ଅଳଙ୍କାର, ନୂଆ କପଡା ଇତ୍ୟାଦି ପ୍ରାୟ ଆଠ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଲୁଟି ଦୁର୍ବୃତ୍ତ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି । କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ଲୁଟ୍‌ ବେଳେ ଫ୍ରିଜ ଖୋଲି ସେଥିରେ ଥିବା ରନ୍ଧା ମଟନ ଓ ମିଠା ଖାଇ ଆରାମରେ ଲୁଟି ଘରେ କଳାକନା ବୁଲେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ନିକୁଞ୍ଜ ବଣାଇ ଥାନାରେ ଅଭିଯୋଗ କରିଛନ୍ତି ଓ ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୪ ଘଣ୍ଟା ମଧ୍ୟରେ ବଣାଇ ଅଞ୍ଚଳରେ ଦୁଇ ଦୁଇଟି ଲୁଟ୍‌ ଘଟଣା ପରେ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି। ବନ୍ଧୁକ ମୁନରେ ନଗଦ ୨୫ ଲକ୍ଷ ଟଙ୍କା ଓ ୪୦ ଭରି ସୁନା ଅଳଙ୍କାର ଲୁଟ ଘଟଣାକୁ ୨୪ ଘଣ୍ଟା ନ ପୂରୂଣୂ ପୁଣି ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ଲୁଟିବାକୁ ସାହସ କରିବା ପୋଲିସ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଅଙ୍ଗୁଳି ଉଠାଇଛି।

 

Dharitri – The Largest & Most Trusted Odia Daily

\