ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଧାୟକ

ବଇଣ୍ଡା, ୬ା୨(ଡି.ଏନ୍‌.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ୧୩ନଂ. ଜୋନ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବିଷ୍ଣୁପ୍ରିୟା ପ୍ରଧାନ ଶନିବାରଠାରୁ ପ୍ରଚାର ଜୋର୍‌ଦାର କରିଛନ୍ତି। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ନୁନୁକାପଶି ପଞ୍ଚାୟତର ଶରଧାମୁଣ୍ଡା ଗ୍ରାମରୁ ଏହି ପ୍ରଚାର ଆରମ୍ଭ ହୋଇଛି।୨୦୧୭ ନିର୍ବାଚନରେ କିଶୋରନଗର ବ୍ଲକର ସମସ୍ତ ୩ ଜିଲା ପରିଷଦ ଆସନ ଭାଜପା ପୋଛି ନେଇଥିଲା। ଚଳିତ ନିର୍ବାଚନରେ ଏହି ସମସ୍ତ ଜୋନ୍‌ ହାତେଇବା ଶାସକ ଦଳ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ସେଥିଲାଗି ବିଜେଡି ନେତୃବୃନ୍ଦ ଦିନରାତି ଏକ୍‌ କରି ଦେଇଛନ୍ତି। ନବୀନ ସରକାରଙ୍କ ଲୋକପ୍ରିୟତା, କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଗରିବ କଲ୍ୟାଣ ଯୋଜନା, ଗ୍ରାମାଞ୍ଚଳର ବିକାଶକୁ ନେଇ ବିଜେଡି ଭୋଟରଙ୍କ ପାଖକୁ ଯାଉଛି। କିଶୋରନଗର ବ୍ଲକ ବିଜେଡି ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସୁନୀଲ ପ୍ରଧାନ, ସୁନୀଲ ବିଶ୍ୱାଳ, ବ୍ଲକ ଯୁବ ବିଜେଡି ସଭାପତି ଅରୁଣ ସାହୁ, ସନ୍ତୋଷ ପ୍ରଧାନ, ପବନା ବେହେରା, ଅର୍ଜୁନ ସାହୁ ପ୍ରମୁଖ ବହୁ କର୍ମୀ ପ୍ରଚାରରେ ସାମିଲ ହୋଇଛନ୍ତି।