ଦୁନିଆରେ କିଛି ମଣିଷ ଅଳସୁଆ ଥାନ୍ତି ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି। ମାତ୍ର ଏମିତି କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ସେମାନଙ୍କର ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଶୋଇ, ବିଶ୍ରାମ ନେଇ ଏବଂ ଆରାମରେ ବିତାଇ ଦେଇଥାନ୍ତି। କିଛି ପ୍ରାଣୀ ଦିନକୁ ପ୍ରାୟ ୨୦ ଘଣ୍ଟା କେବଳ ଶୋଇ ରହିଥାନ୍ତି। ଆଉ କିଛି ପାଣି ଭିତରେ ଶୋଇବାକୁ ଭଲ ପାଆନ୍ତି। ପ୍ରାଣୀଙ୍କ ଆଳସ୍ୟ ଏକ ଦୁର୍ବଳତା ନୁହେଁ, ବରଂ ସେମାନଙ୍କର ଶରୀର ଏବଂ ଖାଦ୍ୟ ଅଭ୍ୟାସ ସହିତ ଜଡ଼ିତ ଏକ ଅନନ୍ୟ ରଣନୀତି। ତେବେ ଜାଣନ୍ତୁ ଏପରି ପ୍ରାଣୀ ବିଷୟରେ…
ସ୍ଲଥ୍କୁ ବିଶ୍ୱର ସବୁଠାରୁ ଆଳସ୍ୟ ପ୍ରାଣୀ ବୋଲି ବିବେଚନା କରାଯାଏ। ଏହା ଉଷ୍ଣକଟିବନ୍ଧୀୟ ଜଙ୍ଗଲରେ ରହେ ଏବଂ ଦିନକୁ ପ୍ରାୟ ୨୦ ଘଣ୍ଟା ଶୋଇଥାଏ। ବାକି ସମୟ ଏହା ଧିରେ ଧିରେ ପତ୍ର ଖାଇଥାଏ। ଏହାର ଧିର ମେଟାବୋଲିଜିମ ଏବଂ କମ୍ ଶକ୍ତିଯୁକ୍ତ ଖାଦ୍ୟ ଏହାର ଆଳସ୍ୟର ମୁଖ୍ୟ କାରଣ।
ସେହିପରି କୋଆଲା ଏହାର ନିଦ୍ରା ଏବଂ ଆଳସ୍ୟ ପାଇଁ ପ୍ରସିଦ୍ଧ। ଏହା ଦିନକୁ କେବଳ ୨ରୁ ୬ ଘଣ୍ଟା ଜାଗ୍ରତ ରହିଥାଏ। ଏହାର ଆଳସ୍ୟର କାରଣ ହେଉଛି ଏହାର ୟୁକାଲିପଟାସ୍ ଗଛର ପତ୍ର ହେଉଛି ଖାଦ୍ୟ। ଏହି ପତ୍ରଗୁଡ଼ିକ ବିଷାକ୍ତ ଏବଂ ଫାଇବରରେ ଭରପୂର, ଯାହାକୁ ହଜମ କରିବା ପାଇଁ ବହୁତ ଶକ୍ତି ଆବଶ୍ୟକ ହୁଏ।
ଓପୋସମ ନାମକ ଏକ ପ୍ରାଣୀ ଦିନକୁ ୧୮ରୁ ୨୦ ଘଣ୍ଟା ଶୋଇପାରେ। ରାତିରେ ସାମାନ୍ୟ ସକ୍ରିୟ ଥିବା ବେଳେ, ଓପୋସମ ଦିନର ଅଧିକାଂଶ ସମୟ ଏକ ସୁରକ୍ଷିତ ସ୍ଥାନରେ ବିଶ୍ରାମ ନେଇ ବିତାଇଥାଏ।
ସେହିପରି ଜଳହସ୍ତୀ ଦିନକୁ ୧୬ରୁ ୨୦ ଘଣ୍ଟା ଶୋଇଥାଏ। ବିଶେଷ କଥା ହେଉଛି ଏହା ସ୍ଥଳଭାଗରେ ଏବଂ ପାଣିରେ ମଧ୍ୟ ଶୋଇପାରେ। ଶୋଇବା ସମୟରେ ମଧ୍ୟ ଏହା ସ୍ବୟଂଚାଳିତ ଭାବରେ ନିଃଶ୍ୱାସ ନେବା ପାଇଁ ପୃଷ୍ଠକୁ ଆସିଥାଏ, ଯାହା ଏହାକୁ ବହୁତ ସ୍ବତନ୍ତ୍ର କରିଥାଏ।