ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ଜଣାଇଛନ୍ତି। ଏବେ ଦେଶ ଛାଡିବା ପୂର୍ବରୁ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କର ଅଭିଜ୍ଞତା ଏବଂ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ବାଣ୍ଟିଛନ୍ତି। ଏହି ଭିଡିଓରେ ସେ ଭାରତରୁ ପାଇଥିବା ପ୍ରେମ ଏବଂ ସମ୍ମାନ ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓର ଶେଷରେ ସେ କହଛନ୍ତି, ‘ପିକ୍ଚର ଅଭି ବାକି ହେ ମେରେ ଦୋସ୍ତ’, ଯାହାକି ବେଶ ଭାଇରାଲ ହେଉଛି।
ଭାରତକୁ ଏକ ସୁନ୍ଦର ଦେଶ ଭାବରେ ବର୍ଣ୍ଣନା କରି ଏରିକ ଗାରସେଟି କହିଛନ୍ତି, ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ପରେ, ଏହି ଦେଶକୁ ବିଦାୟ ଦେବା ଯନ୍ତ୍ରଣାଦାୟକ। ତୁମେ ମୋତେ ଏକ ଦ୍ୱିତୀୟ ଘର, ବନ୍ଧୁ ଏବଂ ଏଭଳି ସ୍ମୃତି ଦେଇଛନ୍ତି ଯାହା ଜୀବନସାରା ରହିବ। ମୁଁ ଏଠାରୁ କେବଳ ଜଣେ ରାଷ୍ଟ୍ରଦୂତରୁ ଅଧିକା ଭାବରେ ବିଦାୟ ନେଉଛି। ମୁଁ #USIndiaFWDfortheFuture ର ଜଣେ ଚିରକାଳୀନ ବନ୍ଧୁ ଏବଂ ସମର୍ଥକ ଭାବରେ ବିଦାୟ ନେଉଛି। ମୋର ପ୍ରିୟ ଭାରତ, ତୁମେ କେବଳ ଅବିଶ୍ୱସନୀୟ ନୁହଁ, ତୁମେ ଅବିସ୍ମରଣୀୟ ମଧ୍ୟ।
ଏରିକ ଗାର୍ସେଟି କହଛନ୍ତି, ପ୍ରିୟ ଭାରତ, ଯେତେବେଳେ ମୁଁ ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ଏଠାରେ ପାଦ ଦେଲି, ଏହି ଦେଶ ମୋର ଘର ଭଳି ଅନୁଭବ ହୋଇଥିଲା। ଏକ ପୁରୁଣା ଫଟୋ ଦେଖାଇ ସେ କହଛନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଭାରତ ଆସିଥିଲି, ମୁଁ ପିଲା ଥିଲି। ଭାରତ ଏବଂ ଭାରତୀୟମାନେ ହୃଦୟ ଜିତିନେଇଛନ୍ତି। ମୁଁ କିପରି ବିଶ୍ୱର ସବୁଠାରୁ ଅତିଥିପ୍ରିୟ ଲୋକଙ୍କୁ ଧନ୍ୟବାଦ ଦେବି? ତୁମର ବନ୍ଧୁତା ଏବଂ ଖୁସି ମୋ ହୃଦୟକୁ ଛୁଇଁଛି।
ତୁମେ ମୋତେ ସବୁଠି ସ୍ବାଗତ କରିଛ। ତୁମେ ତୁମର ଘର, ପୂଜାସ୍ଥଳ ଏବଂ ବିଦ୍ୟାଳୟକୁ ଆସିବାର ସୁଯୋଗ ଦେଇଛ। ପ୍ରତିଦିନ ମୁଁ ଅନେକ ଲୋକଙ୍କୁ ଭେଟିଥିଲି ଯେଉଁମାନେ ମୋତେ ପ୍ରଭାବିତ କରିଥିଲେ। ଭାରତର ଛାତ୍ରମାନେ ମୋତେ ଭବିଷ୍ୟତ ପାଇଁ ଆଶା ଦେଇଛନ୍ତି। ଏଠାକାର ବ୍ୟବସାୟୀମାନେ ଆଗକୁ କ’ଣ ହେବାକୁ ଯାଉଛି ସେ ବିଷୟରେ ଉତ୍ସାହିତ। ଭାରତୀୟ ପର୍ବପର୍ବାଣୀର ରଙ୍ଗରେ ବୁଡ଼ି ରହିଥିବା ଏରିକ ଆହୁରି କୁହନ୍ତି, ତୁମର ପର୍ବ, ସଙ୍ଗୀତ, କଳା ଏବଂ ତୁମର ଖାଦ୍ୟ ମୋ ହୃଦୟରେ ଏକ ଅଲିଭା ଛାପ ଛାଡ଼ିଛି ବୋଲି ଏରିକ ଆହୁରି କହିଛନ୍ତି।