ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି- ଅମୁକ ଲୋକ ଏବଂ ସମୁକ ଲୋକଙ୍କ ବିକଳ୍ପ କାହାନ୍ତି। ତେଣୁ ସେହିମାନେ ହିଁ ନେତୃତ୍ୱ ନେବା ପାଇଁ ସବୁଠାରୁ ଯୋଗ୍ୟ ବୋଲି ଭାରତର ଭୋଟରମାନେ ସେମାନଙ୍କ ସପକ୍ଷରେ ବାରମ୍ୱାର ମତଦାନ କରିଆସୁଛନ୍ତି। ଏ କଥା ଶୁଣି ମୋ ମନକୁ ଅନେକ ପ୍ରଶ୍ନ ଆନ୍ଦୋଳିତ କରୁଥିଲା। ସେଥିମଧ୍ୟରୁ ଗୋଟିଏ ବଡ଼ ପ୍ରଶ୍ନ ହେଲା, ପ୍ରତ୍ୟେକ ରାଜନୈତିକ ଦଳରେ ପ୍ରଥମେ ଗଣତନ୍ତ୍ର ଅଛି ତ ? ଯଦି ଗଣତନ୍ତ୍ର ଅଛି, ତେବେ ଜଣେ ବ୍ୟକ୍ତି କୌଣସି ପ୍ରାଦେଶିକ ସ୍ତରରେ କିମ୍ୱା କେନ୍ଦ୍ରସ୍ତରରେ ବାରମ୍ୱାର ନେତୃତ୍ୱ ନେବା କେତେଦୂର ଗଣତାନ୍ତ୍ରିକ ଯୁକ୍ତିଯୁକ୍ତ, ତାହା ନିରପେକ୍ଷତାର ସହ ବିଚାର କରାଯିବାର ସମୟ ଆସିଯାଇଛି, ବରଂ ଏହାଦ୍ୱାରା ମେଧା ମାରଣ ନୀତିକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କହିଲେ ଆଦୌ ଭୁଲ୍ ହେବ ନାହିଁ। ଭାରତରେ କାହିଁ କେତେ ଯୁଗରୁ ଅନେକ ଜ୍ଞାନୀ, ଗୁଣୀ ତଥା ବହୁମୁଖୀ ପ୍ରତିଭାମାନଙ୍କ ଆବିର୍ଭାବ ହୋଇ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବାବେଳେ ସମ୍ପ୍ରତି ରାଜନୈତିକ ନେତୃତ୍ୱ ଏକ ସଙ୍କଟଜନକ ସ୍ଥିତିରେ ଅଛି ବୋଲି ବିଭିନ୍ନ ଗଣମାଧ୍ୟମ ଚର୍ଚ୍ଚାରେ ସୀମିତ ହୋଇ ରହିଆସୁଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଯଦି ତଥାକଥିତ ନେତାମାନେ ପରବର୍ତ୍ତୀ ରାଜନୈତିକ ଉତ୍ତରାଧିକାରୀଙ୍କ ସୃଷ୍ଟି କିମ୍ୱା ପରବର୍ତ୍ତୀ ପ୍ରତିଭାଙ୍କୁ ସୁଯୋଗ ନ ଦିଅନ୍ତି, ତେବେ ନେତୃତ୍ୱ ସଙ୍କଟ ଆସିବା ସ୍ୱାଭାବିକ। ଏହି ପ୍ରସଙ୍ଗରେ ଶିବସେନା ଦଳ ପ୍ରତିଷ୍ଠାତା ବାଲାସାହେବ ଥାକ୍ରେଙ୍କ ଉକ୍ତି ଗୁରୁତ୍ୱ ରଖେ- ”ମୁଁ କୌଣସି ପଦପଦବୀ ପରିସୀମାରେ ରହିବାକୁ ଚାହେଁ ନାହିଁ ବରଂ ମୁଁ ଅନେକ ପ୍ରତିଭାଦୀପ୍ତ ନେତୃତ୍ୱ ସୃଷ୍ଟି କରି ନିଜକୁ ଧନ୍ୟ ମନେକରିବି।“ କିନ୍ତୁ ଆଜିକାଲିର ନେତାମାନେ ଭୋଟ ମାଧ୍ୟମରେ ରାଜନୈତିକ ଅମର ବରଦାନ ପ୍ରାପ୍ତ ପାଇଥିବାରୁ ନିଜକୁ ଧନ୍ୟ ମନେକରି ଅନ୍ୟମାନଙ୍କ ପାଇଁ ସମସ୍ତ ଦ୍ୱାର ବନ୍ଦ କରିଆସୁଛନ୍ତି ଏବଂ ବହୁ ସମୟ ରାଜୁତି କରିବା ଦ୍ୱାରା ଅନେକ ରାଜନୈତିକ ଚାଟୁକାର ସୃଷ୍ଟି କରି ଗୋଟିଏ ଅହଂ ପରିବେଶ ସୃଷ୍ଟି କରିଥା’ନ୍ତି। ତାହାଦ୍ୱାରା ଜନସାଧାରଣଙ୍କୁ ଅନେକ ବୋଝରେ ଭାରାକ୍ରାନ୍ତ ହେବାକୁ ପଡ଼ିଥାଏ। କିନ୍ତୁ ଆମେ ଉପଯୁକ୍ତ ସମୟରେ ଉପନୀତ ଯେ ଏକ ସାମ୍ୱିଧାନିକ ବିଧି ବ୍ୟବସ୍ଥା ଦ୍ୱାରା ଯଦି ଜଣେ ନିର୍ୱାଚିତ ଲୋକ ପ୍ରତିନିଧି ପାଇଁ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ପଦକୁ ସର୍ୱାଧିକ ଦୁଇଟି କାର୍ଯ୍ୟକାଳ ମଧ୍ୟରେ ସୀମିତ ରଖାଯାଏ, ତେବେ ଅନେକ ପ୍ରତିଭାଙ୍କ ମେଧାକୁ ସଦୁପଯୋଗ କରାଯାଇପାରିବ।
ବିଶ୍ୱର ଅନେକ ବିକାଶଶୀଳ ରାଷ୍ଟ୍ର ବ୍ୟକ୍ତି ବିଶେଷରେ ତାଙ୍କର ରାଷ୍ଟ୍ର ମୁଖ୍ୟଙ୍କର କାର୍ଯ୍ୟକାଳକୁ ସୀମିତ କରିଥିବା ବେଳେ ଭାରତ ଭଳି ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ କାହିଁକି ଏହି ବ୍ୟବସ୍ଥାକୁ ଆପଣା ଯାଇପାରିବ ନାହିଁ ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାର ମୁଖ୍ୟ କାରଣ ହେଲା ଆଜିକାଲିର ନେତାମାନେ ପଲିଟିକାଲ ବସ୍ ବା ରାଜନୈତିକ ମାଲିକ ହେବାକୁ ଚାହାନ୍ତି, କିନ୍ତୁ ଜଣେ ଉଚ୍ଚ ଧରଣର ନେତା ହେବାକୁ ଚାହାନ୍ତି ନାହିଁ; ଯାହା ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ। ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ଫିଲିପାଇନ୍ସ, ଦକ୍ଷିଣ ଆଫ୍ରିକା ଭଳି ଅନେକ ରାଷ୍ଟ୍ରରେ ରାଷ୍ଟ୍ରମୁଖ୍ୟ ଭାବେ ଅବସ୍ଥାପିତ ବ୍ୟକ୍ତିଙ୍କ କାର୍ଯ୍ୟକାଳକୁ ଲଗାତାର ଦୁଇଟି କାର୍ଯ୍ୟକାଳ ମଧ୍ୟରେ ସୀମିତ କରି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ ପ୍ରଥମ ବ୍ୟକ୍ତି, ଯିଏକି ନିଜକୁ ଦୁଇଟି କାର୍ଯ୍ୟକାଳ ମଧ୍ୟରେ ସୀମିତ ରଖି ଅନେକ ରାଜନୈତିକ ଉତ୍ତରାଧିକାରୀ ସୃଷ୍ଟି କରି ଏକ ଆଦର୍ଶ ପ୍ରତିପାଦନ କରିଥିଲେ, ଯାହା ୧୯୪୦ ମସିହା ପର୍ଯ୍ୟନ୍ତ ପରବର୍ତ୍ତୀ ରାଷ୍ଟ୍ରପତିମାନେ ଯଦିଓ ଏହା ଏକ ଅଲିଖିତ ବ୍ୟବସ୍ଥା, ତେବେବି ଏହାକୁ ସମସ୍ତେ ମାନିନେଇଥିଲେ। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ୩୨ତମ ରାଷ୍ଟ୍ରପତି ଏଫ୍ ଦି ରୁଜଭେଲ୍ଟ ପ୍ରଥମ ବ୍ୟକ୍ତି ଭାବରେ ୧୯୪୦ ଏବଂ ୧୯୪୪ରେ ତୃତୀୟ ତଥା ଚତୁର୍ଥ ଥର ରାଷ୍ଟ୍ରପତି ଭାବରେ ନିର୍ୱାଚିତ ହୋଇଥିଲେ, ଯଦିଓ ତାଙ୍କ କାର୍ଯ୍ୟକାଳ ସମୟରେ ଅତ୍ୟନ୍ତ ଆର୍ଥିକ ମାନ୍ଦାବସ୍ଥା ତଥା ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସ୍ଥିତି ମଧ୍ୟ ଭୟାନକ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ୧୯୫୧ ଫେବୃଆରୀ ୨୭ରେ ୨୨ତମ ସଂଶୋଧନ ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ସମ୍ୱିଧାନ ବ୍ୟକ୍ତି ବିଶେଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସୀମାକୁ ଦୁଇଟି କାର୍ଯ୍ୟକାଳ ମଧ୍ୟରେ ସୀମିତ ରଖିବା ପାଇଁ ସାମ୍ୱିଧାନିକ ସ୍ୱୀକୃତି ପାଇଲା, ଯାହା ଅଦ୍ୟାବଧି ଚାଲିଆସୁଛି। ଯଦି ବିଶ୍ୱର ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏହି ବ୍ୟବସ୍ଥାକୁ ଆପଣାଇପାରୁଛନ୍ତି, ତେବେ ଭାରତରେ କାହିଁକି ଆପଣା ଯାଇପାରିବ ନାହିଁ, କିନ୍ତୁ କ୍ଷମତା ମୋହରେ ଅନ୍ଧ ହୋଇଥିବା କାରଣରୁ ଏଥିପ୍ରତି ରାଜନେତାମାନେ ଆଦୌ ଆନ୍ତରିକତା ପ୍ରଦର୍ଶନ କରି ନ ଥା’ନ୍ତି।
ଭାରତରେ ଅଦ୍ୟାବଧି ବ୍ୟକ୍ତିକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅନେକ ପ୍ରାଧାନ୍ୟ ଦିଆହୋଇଆସୁଛି, ଯାହା ବାସ୍ତବରେ ଏକ ଅଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି କରିବା ସହିତ ଅନେକ ସାମାଜିକ ବିଶୃଙ୍ଖଳାର ନିଚ୍ଛକ ପ୍ରତିଫଳନ ହୋଇସାରିଲାଣି। ଏବେ କୌଣସି ରାଜନୈତିକ ଦଳରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ଥିବା ଭଳି ମନେହୁଏ ନାହିଁ I ତେଣୁ ଏହି ଅଭାବୀ ବିକଳ୍ପ ନେତୃତ୍ୱ ନିଶ୍ଚିତ ଭାବରେ ମନୁଷ୍ୟକୃତ ଏବଂ ଏହାକୁ ଦୂର କରିବାକୁ ହେଲେ ପ୍ରତ୍ୟେକ ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ପ୍ରଚଳିତ ନେତୃତ୍ୱର ବିକେନ୍ଦ୍ରୀକରଣ ହେବା ଜରୁରୀ ମନେହୁଏ, ଅର୍ଥାତ୍ ପରବର୍ତ୍ତୀ ଯୋଗ୍ୟ ପିଢ଼ିଙ୍କ ପାଇଁ ପଥ ପରିଷ୍କାର କରାଯିବା ଉଚିତ। ଯେତେବେଳେ ରାଜନେତାମାନେ ଭାବନ୍ତି ଯେ, ଆମେ ହିଁ ଦଳ ତଥା ରାଷ୍ଟ୍ର ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ, ସେତେବେଳେ ‘ଆମେ’ ବଦଳରେ ‘ମୁଁ’ର ଆଧିପତ୍ୟ ଦେଖିବାକୁ ମିଳିଥାଏ I ଆଉ ଏକ ବିଶେଷତ୍ୱ ହେଲା, ଯଦି ଜଣେ ବ୍ୟକ୍ତି ବହୁଦିନ ଧରି ଶାସନରେ ରୁହେ, ତେବେ ପ୍ରଶାସନ ଗତିଶୀଳ ପରିବର୍ତ୍ତେ ସ୍ଥାଣୁ ପାଲଟିଯାଏ। କାରଣ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ସେମାନଙ୍କ ପାଇଁ ସହଜ ତଥା ଆରାମ ପରିବେଶ ସୃଷ୍ଟି କରିଦେଇଥାଏ। କିନ୍ତୁ ମୂଳ ଉଦ୍ଦେଶ୍ୟ ହେଲା ଜଣେ ବ୍ୟକ୍ତିବିଶେଷ ବହୁଦିନ ଧରି ଶାସନ କରିବା ଦ୍ୱାରା ଅନ୍ୟମାନଙ୍କ ପ୍ରତିଭା ତଥା ମେଧାର ସଙ୍କୁଚିତ ହେବା ସହ ଦେଶ ପ୍ରଗତିରେ ସେହି ଅବହେଳିତ ରାଜନୈତିକ ପ୍ରତିଭାମାନଙ୍କୁ ସେମାନଙ୍କର ସୁକଳ୍ପିତ ଲୋକାଭିମୁଖୀ ଚିନ୍ତାଧାରାରୁ ବଂଚିତ ହେବାକୁ ପଡ଼ିଥାଏ। ତେଣୁ ଏହି ପରିପ୍ରେକ୍ଷୀରେ ଶାସନ ଗାଦିରେ ଅଧିଷ୍ଠିତ ବ୍ୟକ୍ତିମାନଙ୍କ କାର୍ଯ୍ୟକାଳକୁ ସାମ୍ୱିଧାନିକ ବିଧି ବ୍ୟବସ୍ଥା ଦ୍ୱାରା ଦୁଇଟି କାର୍ଯ୍ୟକାଳ ମଧ୍ୟରେ ସୀମିତ କରାଗଲେ ଭାରତୀୟ ଲୋକତନ୍ତ୍ରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ଏବଂ ଭାରତ ଅନେକ ଲୁକ୍କାୟିତ ତଥା ଅବହେଳିତ ରାଜନୈତିକ ପ୍ରତିଭାଙ୍କୁ ଉପଯୁକ୍ତ ନ୍ୟାୟ ଦେଇପାରିବ।
ଆଡ୍ଭୋକେଟ, ଅରୁଣୋଦୟ ନଗର, କଟକ, ମୋ : ୭୦୦୮୬୯୧୪୩୪