ଅତାବିରା,୩୦ା୭(ଯୁଧିଷ୍ଠିର ମହାପାତ୍ର):ସରକାର ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଡ଼କ ପଥ ନିର୍ମାଣ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ସମ୍ପୃକ୍ତ ରାସ୍ତାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇଯାଉଛି। ଫଳରେ ଜନ ଅସନ୍ତୋଷ ବଢୁଛି l ବରଗଡ଼ ଜିଲା ଅତାବିରା ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ସହର ଓ ଗ୍ରାମାଞ୍ଚଳରେ ୯୦% ରାସ୍ତା ପକ୍କା ହୋଇଗଲାଣି। ଯେଉଁଠି କଚ୍ଚା ରାସ୍ତା ଥିଲା ତାହା ମଧ୍ୟ ପିଚୁ ହୋଇଛି। ଏପରି କି ଗୁରୁତ୍ୱକୁ ଦେଖି ଅଧିକାଂଶ ରାସ୍ତା ୨ଲେନ ବିଶିଷ୍ଟ ହୋଇଛି। ଫଳରେ ଯାନବାହନ ଚଳାଚଳ ସୁଗମ ହୋଇପାରୁଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥାନୀୟ ଲରାସରା ଗ୍ରାମ ପଞ୍ଚାୟତର ଖଇରପାଲିରୁ ଆମ୍ବଝୁପୁଡି ଦେଇ ନୂଆଁ ଖଇରପାଲି କୋଶଳ ସ୍କୁଲ ଆଡ଼କୁ ଯାଇଥିବା ରାସ୍ତା ଅବସ୍ଥା ବେହାଲ ହୋଇ ପଡ଼ିଛି l ରାସ୍ତାର ଆମ୍ବଝୁପୁଡିରୁ କୋଶଳ ସ୍କୁଲ ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ କଂକ୍ରିଟ୍ ଉଠିଯାଇଛି। ଫଳରେ ରାସ୍ତାରେ ଶହ ଶହ ଖାଲଖମା ସୃଷ୍ଟି ହେବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି।
ଏହି ରାସ୍ତା ଉପରେ ପ୍ରତ୍ୟହ ଶହ ଶହ ଛାତ୍ରୀଛାତ୍ର କୋଶଳ ସ୍କୁଲ ସହ ଗୋଡ଼ଭଗା, ଲରମ୍ଭା, ସମ୍ବଲପୁର ସ୍କୁଲ କଲେଜକୁ ଯିବାଆସିବା କରିଥାନ୍ତି l ଏହି ରାସ୍ତାଦେଇ ଯାତାୟାତ କଲେ ଚକୁଳିଫାର୍ମ ଜାତୀୟ ରାଜପଥକୁ ୨ କିଲୋମିଟର ରାସ୍ତା କମ ପଡିଥାଏ l ଚକୁଳିଫାର୍ମ ଦେଇ ଗୋଡ଼ଭଗା- ସୋନପୁର, ଚକୁଳିଫାର୍ମ – ଲରମ୍ଭା, ଗୋଡ଼ଭଗା – ଲହଣ୍ଡା, ସମ୍ବଲପୁର ଆଦି ଅଞ୍ଚଳକୁ ଯାତାୟାତ ପାଇଁ ଲରାସରା, ଜାଂଗେଡ଼, ପାହାଡ଼ଶ୍ରୀଗୀଡା ଗ୍ରାମ ପଞ୍ଚାୟତର ବହୁ ଜନସାଧାରଣ ଯାତାୟାତ ପାଇଁ ବ୍ୟବହାର କରିଥାନ୍ତି l ଅନ୍ୟପଟେ ଚାଷକାର୍ଯ୍ୟ ପାଇଁ ମଧ୍ୟ ଲରାସରା ଗ୍ରାମପଞ୍ଚାୟତର ଅନେକ ଚାଷୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏଣୁ ରାସ୍ତା ଅବସ୍ଥା ବେହାଲ ହେବା ଫଳରେ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ଲରାସରା ସରପଞ୍ଚ କୀର୍ତ୍ତନ ସେଠଙ୍କୁ ପଚାରିବାରୁ ଗତବର୍ଷ ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏହି ଆରଡ଼ି ରାସ୍ତା ଅବସ୍ଥା ସମ୍ପର୍କରେ ସ୍ଥାନୀୟ ଜିଲାପରିଷଦ ସଭ୍ୟଙ୍କ ସହ ଯାଇ ଅଭିଯୋଗ କରିଥିଲୁ l ହେଲେ ବିଭାଗୀୟ ଯନ୍ତ୍ରୀ ଆସି ଦେଖି ଯାଇଥିଲେ ମଧ୍ୟ ରାସ୍ତା ମରାମତି ହୋଇ ପାରୁନାହିଁ। ପଞ୍ଚାୟତ ଫଣ୍ଡରେ ମଧ୍ୟ ସେପରି ପାଣ୍ଠି ନାହିଁ, ଯେଉଁଥିରେ ଏହି କାର୍ଯ୍ୟ କରି ହେବ l ଏହି ରାସ୍ତା ଦୁରବସ୍ଥା ନେଇ ସେ ଅବଗତ ଥିବା ସେଠ ପ୍ରକାଶ କରିଥିଲେ l ତେବେ ଏ ନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହାଙ୍କୁ ପଚାରିବାରୁ ରାସ୍ତା ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ବୋଲି କହିଥିଲେ।