ନୂଆଦିଲ୍ଲୀ,୧୬ା୧୧: ବିହାର ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଶୋଚନୀୟ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଲାଲୁ ଯାଦବଙ୍କ ପରିବାରରେ ବଡ଼ ଧରଣର କଳହ ଦେଖାଦେଇଛି। ଘଟଣା ଏପରି ଚରମ ସୀମାରେ ପହଞ୍ଚିଛି ଯେ ଲାଲୁଙ୍କ ଝିଅ ତଥା ତାଙ୍କୁ କିଡ୍ନୀ ଦାନ କରିଥିବା ରୋହିଣୀ ଆଚାର୍ଯ୍ୟ ରାଜନୀତି ଛାଡ଼ିବା ସହ ପରିବାର ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି।
ସୂତ୍ର ଅନୁଯାୟୀ, ନିର୍ବାଚନ ଫଳାଫଳର ପରଦିନ ଆରଜେଡିର ସମୀକ୍ଷା ବୈଠକ ସମୟରେ ତେଜସ୍ୱୀ ଯାଦବ ଓ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ରୋହିଣୀ ଆଚାର୍ଯ୍ୟ ଆରଜେଡି ଏମପି ସଞ୍ଜୟ ଯାଦବଙ୍କ ବିରୋଧରେ କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ କିଛି କରିବାକୁ ତେଜସ୍ୱୀଙ୍କୁ ପରାମର୍ଶ ଦେଇଥିଲେ।
ଏଥିରେ ତେଜସ୍ୱୀ ଯାଦବ ଉତ୍ତେଜିତ ହୋଇ ରୋହିଣୀଙ୍କୁ କହିଥିଲେ, “ଆମେ ତୁମରି ଯୋଗୁଁ ନିର୍ବାଚନ ହାରିଲୁ। ତୁମେ ଆମ ପାଇଁ ଅଭିଶାପ ବୋଲି କହିଥିଲେ।” ଏହି ଯୁକ୍ତିତର୍କ ଚରମ ସୀମାରେ ପହଞ୍ଚିବାରୁ ତେଜସ୍ୱୀ ତାଙ୍କ ବଡ଼ ଭଉଣୀଙ୍କୁ ଚପଲ ଫିଙ୍ଗି ଅଶାଳୀନ ଭାଷାରେ ଗାଳି ଦେଇଥିଲେ ବୋଲି ସୂଚନା ମିଳିଛି।
ଏହି ଘଟଣାର ପରଦିନ ଶନିବାର ରୋହିଣୀ ଆଚାର୍ଯ୍ୟ ରାଜନୀତି ଓ ପରିବାର ଉଭୟ ଛାଡ଼ିବାକୁ ଘୋଷଣା କରିଥିଲେ। ସେ ଆରଜେଡି ଏମପି ସଞ୍ଜୟ ଯାଦବ ଏବଂ ତେଜସ୍ୱୀଙ୍କ ବନ୍ଧୁ ରମିଜ ନେମତ ଖାନ୍ଙ୍କୁ ତାଙ୍କୁ ଦଳରୁ ବାହାର କରିବାରେ ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି।
୨୦୨୪ ଲୋକସଭା ନିର୍ବାଚନରେ ତେଜସ୍ୱୀଙ୍କ ଅନୁରୋଧରେ ସିଙ୍ଗାପୁରରୁ ଫେରି ରୋହିଣୀ ସାରଣ ଆସନରୁ ଲଢ଼ି ପରାଜିତ ହୋଇଥିଲେ। ତେବେ ରାଘୋପୁରରେ ପ୍ରଚାର କରିବାକୁ ଇଚ୍ଛା ଥିଲେ ମଧ୍ୟ ତେଜସ୍ୱୀ ତାଙ୍କୁ ସୀମିତ ଅଞ୍ଚଳରେ ପ୍ରଚାର କରିବାକୁ ଦେଇଥିଲେ।
ସୂତ୍ରରୁ ଜଣାପଡ଼ିଛି ଯେ ସଞ୍ଜୟ ଯାଦବ ରୋହିଣୀଙ୍କୁ ବାରମ୍ବାର ରାଜନୀତି ଛାଡ଼ି ସିଙ୍ଗାପୁର ଫେରିଯିବାକୁ କହିବା ସହ ଅପମାନିତ କରୁଥିଲେ। ଏହି ଆଭ୍ୟନ୍ତରୀଣ କଳହ ଲାଲୁଙ୍କ ପରିବାରରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଣାପଡ଼ିଛି ଏବଂ ବିହାର ନିର୍ବାଚନ ପରାଜୟ ଏହି ବିବାଦକୁ ଚରମ ସୀମାରେ ପହଞ୍ଚାଇଛି।