ନୂଆଦିଲ୍ଲୀ,୨୫।୭: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (MIB) ଏକ ବଡ଼ ନିଷ୍ପତ୍ତି ନେଇ ୨୫ଟି ମୋବାଇଲ ଆପ ଉପରେ କଟକଣା(ବ୍ୟାନ୍) ଲଗାଇଛି। ଏହି ଆପ୍ଗୁଡ଼ିକ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରଚାର କରୁଥିବା ଅଭିଯୋଗ ସହ ଆଇଟି ଆଇନ (IT Act) ଏବଂ ଅନ୍ୟାନ୍ୟ ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି।
କାହିଁକି ଲଗାଯାଇଛି କଟକଣା?
ସରକାରଙ୍କ ମତରେ, ଏହି ଆପ୍ଗୁଡ଼ିକ ଡିଜିଟାଲ ପ୍ଲାଟଫର୍ମରେ ଅଶ୍ଳୀଳ ଓ ଅନୁଚିତ ବିଷୟବସ୍ତୁ ପରିବେଷଣ କରୁଥିଲା, ଯାହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଥିଲା। ଏହି ଆପ୍ଗୁଡ଼ିକ ବିନା ସେନ୍ସର କିମ୍ବା ନିୟନ୍ତ୍ରଣରେ ଚାଲୁଥିଲା, ଯାହା ଆଇଟି ଆଇନ ୨୦୦୦ ଏବଂ ଅନ୍ୟାନ୍ୟ ସାଇବର ଆଇନର ଉଲ୍ଲଂଘନ କରୁଥିଲା।
କଟକଣା ଲାଗିଥିବା ୨୫ଟି ଆପ୍ର ନାମ:
ବ୍ୟାନ ହୋଇଥିବା ଆପ୍ଗୁଡ଼ିକ ହେଉଛି: ALTT, ULLU, Big Shots App, Desiflix, Boomex, Navarasa Lite, Gulab App, Kangan App, Bull App, Jalva App, Wow Entertainment, Look Entertainment, Hit Prime, Feneo, ShowX, Sol Talkies, Adda TV, HotX VIP, Hulchal App, MoodX, NeonX VIP, ShowHit, Fugi, Mojflix ଏବଂ Triflicks
ଆପ୍ଗୁଡ଼ିକ ଉପରେ କ’ଣ ଅଭିଯୋଗ?
ଏହି ଆପ୍ଗୁଡ଼ିକ ଉପରେ ଅଶ୍ଳୀଳ ଭିଡିଓ ଏବଂ ଓବେ ସିରିଜ ପ୍ରଦର୍ଶନ, କମ ବୟସ୍କ ବ୍ୟବହାରକାରୀଙ୍କୁ ଟାର୍ଗେଟ କରିବା, ବୟସ ଯାଞ୍ଚ ବିନା ବିଷୟବସ୍ତୁ ପ୍ରଦାନ, ଡାଟା ସୁରକ୍ଷା ଓ ଗୋପନୀୟତା ନିୟମର ଉଲ୍ଲଂଘନ ଏବଂ ଆଇଟି ଆଇନ ଓ ସୂଚନା ପ୍ରସାରଣ ନିୟମର ଅବମାନନା ଭଳି ଅଭିଯୋଗ ରହିଛି।
ଏହି ପଦକ୍ଷେପ କାହିଁକି ଜରୁରୀ?
ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଷୟବସ୍ତୁ ଅଧିକାଂଶ ଏହିପରି ଅଶ୍ଳୀଳ ସିରିଜରୁ ପ୍ରେରଣା ପାଉଥିବା ଜଣାପଡ଼ିଛି। ଏହା ସହଜରେ ଶିଶୁ ଓ କମ ବୟସ୍କଙ୍କ ପାଖରେ ପହଞ୍ଚୁଥିଲା। ଡିଜିଟାଲ ପ୍ଲାଟଫର୍ମରେ ବିନା ସେନ୍ସରସିପ୍ରେ ଅଶ୍ଳୀଳ ଓବେ ସିରିଜ ରିଲିଜ ହେଉଥିଲା। ସମାଜରେ ମାନସିକ ଓ ନୈତିକ ଅବକ୍ଷୟକୁ ରୋକିବା ପାଇଁ ଏହି ପଦକ୍ଷେପ ଜରୁରୀ ହୋଇପଡ଼ିଥିଲା।
ଏବେ କ’ଣ ହେବ?
ଏହି ଆପ୍ଗୁଡ଼ିକୁ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ହଟାଯିବ। ଯେଉଁ ପ୍ଲାଟଫର୍ମଗୁଡ଼ିକ ଆଇନର ପାଳନ କରୁନାହାନ୍ତି, ସେମାନଙ୍କ ବିରୁଦ୍ଧରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ କହିବା ଅନୁସାରେ, ଡିଜିଟାଲ ଜଗତରେ ସ୍ବଚ୍ଛ ଓ ସୁସ୍ଥ ବିଷୟବସ୍ତୁକୁ ଅଗ୍ରାଧିକାର ଦିଆଯିବ।