କେସିଙ୍ଗା,୧୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ଶାଶୁଘର ଆଗରେ ମୃତଦେହ ରଖି ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ଆନ୍ଦୋଳନ କରିଥିଲେ। ସୂଚନାଅନୁସାରେ, ଏମ. ରାମପୁର ଥାନା ବାଞ୍ଜିପଦର ( ସାପଲହରା) ଗ୍ରାମର କୌତୁକ ସାହୁଙ୍କ ଝିଅ କ୍ଷୀରବତୀ ଗତ ୨୦୨୩ ମାର୍ଚ୍ଚ ୧୩ ତାରିଖରେ କେସିଙ୍ଗା ଥାନା ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ (୨୮)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ୧ବର୍ଷର ଏକ ପୁତ୍ର ସନ୍ତାନ ରହିଛି। ଏପରିସ୍ଥଳେ ଗତ ବୁଧବାର କ୍ଷୀରବତୀ ଦେହରେ ବିଷଥିବାରୁ ଅତି ସଙ୍କଟାପନ୍ନ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅତି ଗୁରୁତର ହେବାରୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଝିଅକୁ ଶାଶୁଘର ଲୋକେ ବିଷ ଦେଇ ମାରିଥିବା ନେଇ ଗୁରୁବାର କୌତୁକ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୪୪୮/୨୫) ରୁଜୁ କରିଛି। ମୃତଦେହ ଭ୍ରମରମାଲ ଗ୍ରାମରେ ପହଞ୍ଚିବା ପରେ କୌତୁକଙ୍କ ସହ ପରିବାରବର୍ଗ ମୃତଦେହ ନେବାକୁ ଜିଦ କରିଥିଲେ। ଉତ୍ତେଜନା ଦେଖି ପୋଲିସ ମୃତଦେହ ଥାନାକୁ ନେଇଥିଲା। ବୁଝାଶୁଝା ପରେ ରାତିରେ କେସିଙ୍ଗା ଥାନାରୁ ପୁଣି ଭମରମାଲ ଗ୍ରାମକୁ ମୃତଦେହ ଅଣାଯାଇଥିଲା। ସେଠାରେ କୌତୁକଙ୍କ ପରିବାର ଲୋକେ ଘଟଣାରେ ସମ୍ପୃକ୍ତ ସ୍ବାମୀ, ଶାଶୁ, ଶ୍ବଶୁରଙ୍କୁ ଗିରଫ ସହ ଯୌତୁକ ସାମଗ୍ରୀ ଫେରାଇବା ଦାବିକରି ଶାଶୁଘର ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ଏହା ଦେଖି ଶାଶୁଘର ଲୋକେ ତାଲାଦେଇ କୁଆଡ଼େ ଫେରାର ହୋଇଯାଇଥିଲେ। ଶୁକ୍ରବାର କେସିଙ୍ଗା ଏସଡିପିଓ ସନ୍ଦିପ ମାଝୀ, ଆଇଆଇସି ଜିତେନ୍ଦ୍ର ବିଶ୍ୱାଳଙ୍କ ସମେତ ପୋଲିସ ଫୋର୍ସ ଆସି ଘରର ତାଲା ଭାଙ୍ଗି ଯୌତୁକ ସାମଗ୍ରୀ ବାହାରକରି କୌତୁକଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାସହ ଜଗନ୍ନାଥଙ୍କୁ ପୋଲିସ ଗିରଫ କରିଛି। ପରେ ଅପରାହ୍ନରେ ମୃତଦେହ ଦାହ ସମ୍ପୁର୍ଣ୍ଣ ହେଲା ପରେ ଜଗନ୍ନାଥଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ଦଫା ନଂ ୮୦/୧୨୩/୨୩/ ୩(୫)ଆର/ ଡବ୍ଲୁ ସେକ୍ସନ ୪ ଡିପି ଆକ୍ଟରେ କୋର୍ଟ ଚାଲାଣ କରିଥିବା ଆଇଆଇସି ବିଶ୍ବାଳ ସୂଚନା ଦେଇଛନ୍ତି।