ଓ୍ବାଶିଂଟନ,୧୪।୧: ଜାନୁଆରୀ ୨ ଏବଂ ୩ ରାତିରେ ଆମେରିକା ଭେନେଜୁଏଲାରେ ଏକ ବିସ୍ଫୋରକ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣରେ, ଆମେରିକୀୟ ସେନା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରି ଆମେରିକା ନେଇଯାଇଥିଲା।
ଆମେରିକା ଆକ୍ରମଣର ମାତ୍ର ୧୨ ଦିନ ପରେ, ଭେନେଜୁଏଲାରେ ବନ୍ଦୀ ଥିବା ଆମେରିକୀୟ ନାଗରିକଙ୍କୁ ମୁକ୍ତ କରାଯାଇଥିଲା। ଏହାପରେ ଟ୍ରମ୍ପ ପ୍ରଶାସନ ଭେନେଜୁଏଲାର ନିଷ୍ପତ୍ତିକୁ ସ୍ବାଗତ କରିଥିଲା।
ଆମେରିକା ସରକାର ଜାନୁଆରୀ ୧୩ ମଙ୍ଗଳବାର ଦିନ ଘୋଷଣା କରିଥିଲା ଯେ ଭେନେଜୁଏଲାରେ ବନ୍ଦୀ ଥିବା ଅନେକ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରାଯାଇଛି। ଷ୍ଟେଟ ଡିପାର୍ଟମେଣ୍ଟ କହିଛି, ‘ଆମେ ଭେନେଜୁଏଲାରେ ବନ୍ଦୀ ଥିବା ଆମେରିକୀୟ ନାଗରିକଙ୍କ ମୁକ୍ତିକୁ ସ୍ବାଗତ କରୁଛୁ। ଏହା ମଧ୍ୟବର୍ତ୍ତୀକାଳୀନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଠିକ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।’
ଭେନେଜୁଏଲାର ଜାତୀୟ ପରିଷଦର ମୁଖ୍ୟ ଜର୍ଜ ରୋଡ୍ରିଗେଜ ଆମେରିକା ଆକ୍ରମଣ ପରେ ଏକ ବଡ଼ ଘୋଷଣା କରିଥିଲେ। ରୋଡ୍ରିଗେଜ କହିଛନ୍ତି, ‘ମାଦୁରୋଙ୍କୁ କ୍ଷମତାରୁ ବିତାଡ଼ିତ କରିଥିବା ସାମରିକ ଅଭିଯାନ ପରେ ଶାନ୍ତି ପ୍ରତିଷ୍ଠା ପ୍ରୟାସରେ, ଦେଶରେ ବନ୍ଦୀ ଥିବା ବହୁ ସଂଖ୍ୟକ ଭେନେଜୁଏଲାର ଏବଂ ଅନ୍ୟାନ୍ୟ ବିଦେଶୀ ନାଗରିକଙ୍କୁ ମୁକ୍ତ କରାଯିବ।’
ଭେନେଜୁଏଲାର ମାନବାଧିକାର ଗୋଷ୍ଠୀ ଫୋରମ ପେନାଲ ରିପୋର୍ଟ କରିଛି ଯେ ମଙ୍ଗଳବାର ସା ସୁଦ୍ଧା ରାଜନୈତିକ କାରଣରୁ ବନ୍ଦୀ ଥିବା ୫୬ ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହେବା ସମ୍ପର୍କରେ ସରକାରଙ୍କ ସ୍ବଚ୍ଛତାର ଅଭାବକୁ ଏହି ଗୋଷ୍ଠୀ ସମାଲୋଚନା କରିଥିଲା। ଭେନେଜୁଏଲା ସରକାର ମଙ୍ଗଳବାର ଅପରାହ୍ନରେ ସଂଗଠନର ସଂଖ୍ୟାକୁ ପ୍ରତ୍ୟାଖ୍ୟାନ କରି ଏହି ସଂଖ୍ୟା ୪୦୦ ବୋଲି କହିଥିଲେ।
Dharitri – The Largest & Most Trusted Odia Daily