ଘର, ପାଚେରି ଭାଙ୍ଗିଲା: ଲୋକେ ଭୟଭୀତ

ନିରାକାରପୁର,୨୧।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଲୋକଙ୍କ ବାରି ଓ କ୍ଷେତରେ ପଶି ଫସଲ ଖାଇବା ସହ ଦଳଚକଟି ନଷ୍ଟ କରୁଛନ୍ତି। ଅନେକ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା ନଜିର ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ବନାଞ୍ଚଳ ଅନ୍ତର୍ଗତ ଛଣଗିରି ପଞ୍ଚାୟତ ଦେଉଳିପାଟଣା ଗ୍ରାମରେ ବିଳମ୍ବିତ ରାତିରେ ଏକ ହାତୀ ପଶି ଭୋଇ ପ୍ରଧାନଙ୍କ ବାସଗୃହ ଭାଙ୍ଗି ଦେଇଛି। ସେହିପରି କେଶବ ସ୍ବାଇଁ, ଜୟରାମ ସ୍ବାଇଁଙ୍କ ପାଚେରି ଭାଙ୍ଗିବା ସହିତ ଧାଡୁ ସ୍ବାଇଁ, ଦୁଃଶାସନ ସ୍ବାଇଁ, ନାଲୁ ବେହେରା, ବେଣୁଧର ରଣସିଂହଙ୍କ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଦେଇଛି। ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଏନେଇ ଭୋଇଙ୍କ ପୁଅ ଦୀପକ ପ୍ରଧାନ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପଣ୍ଡାଙ୍କୁ ଜଣାଇଥିଲେ। ଖବରପାଇ ରାତିରେ ବନ କର୍ମଚାରୀମାନେ ପହଞ୍ଚି ହାତୀକୁ ଘଉଡ଼ାଇଥିଲେ। ପରେ ହାତୀଟି ସ୍ଥାନୀୟ ଜଙ୍ଗଲ ଭିତରକୁ ପଳାଇଥିଲା ବୋଲି ଦୀପକ କହିଛନ୍ତି।