ହୋଆଟ୍‌ଜିନ୍‌ ପକ୍ଷୀ ସବୁଠୁ ଦୁର୍ଗନ୍ଧଯୁକ୍ତ

ୱାଶିଂଟନ: ହୋଆଟ୍‌ଜିନ୍‌ ପକ୍ଷୀ ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ପକ୍ଷୀ ଭାବେ ଜଣାଶୁଣା। ଅନ୍ୟ ପକ୍ଷୀମାନଙ୍କଠାରୁ ଏହାର ଅନେକ ଭିନ୍ନତା ରହିଛି। ପୃଥିବୀର ଏକମାତ୍ର ପକ୍ଷୀ ଭାବେ ହୋଆଟ୍‌ଜିନ୍‌ଠାରେ ଗାଈ ଏବଂ ଅନ୍ୟାନ୍ୟ ସ୍ଥନ୍ୟପାୟୀ ପ୍ରାଣୀଙ୍କ ପରି ସ୍ବତନ୍ତ୍ର ପାଚନ ତନ୍ତ୍ର ରହିଛି। ଏହି ଅସାଧାରଣ ପାଚନ ପ୍ରଣାଳୀ ଯୋଗୁ ହୋଆଟ୍‌ଜିନ୍‌ ପକ୍ଷୀକୁ ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ପକ୍ଷୀ ଭାବେ ବିବେଚନା କରାଯାଇଥାଏ। ହୋଆଟ୍‌ଜିନ୍‌ ପକ୍ଷୀଙ୍କ ଗଳା ପାଖରେ ଏକ ଖାଦ୍ୟ ସଂରକ୍ଷଣ ପାଉଚ୍‌ ରହିଥାଏ, ଯାହାକୁ କ୍ରପ୍‌ କୁହାଯାଏ। ଏହି କ୍ରପ୍‌ ଖୁବ୍‌ କମ୍‌ ପରିମାଣର ଖାଦ୍ୟ ସଂରକ୍ଷଣ ପାଇଁ ବ୍ୟବହୃତ ହୋଇଥାଏ। ନିଜର ଅସାଧାରଣ ତଥା ଲମ୍ବା ପାଚନ ପ୍ରକ୍ରିୟା ସମୟରେ ଏହି ପକ୍ଷୀଙ୍କଠାରୁ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହୋଇଥାଏ, ଯାହାଦ୍ୱାରା ସେମାନଙ୍କ ଶରୀରରୁ ଗୋବର ପରି ଗନ୍ଧ ସୃଷ୍ଟି ହୋଇଥାଏ। ତେଣୁ ଏହି ପକ୍ଷୀମାନଙ୍କୁ ‘ଷ୍ଟିଙ୍କ୍‌ବାର୍ଡ’ର ନାମ ମଧ୍ୟ ଦିଆଯାଇଛି।
ପକ୍ଷୀଗୁଡ଼ିକୁ ଆମାଜନ ଜଙ୍ଗଲର ବିଭିନ୍ନ କାଦୁଆ ଅଞ୍ଚଳ ଏବଂ ନଦୀଗୁଡ଼ିକରେ ଦେଖିବାକୁ ମିଳିଥାଏ। ହୋଆଟ୍‌ଜିନ୍‌ ପକ୍ଷୀମାନେ କେବଳ ଗଛପତ୍ର ଖାଇ ବଞ୍ଚିରୁହନ୍ତି। ସେହିପରି ଏହି ପକ୍ଷୀଙ୍କ ଛୁଆମାନେ ନଖଯୁକ୍ତ ଡେଣା ସହିତ ଜନ୍ମ ହୋଇଥାନ୍ତି।
ପକ୍ଷୀଙ୍କ ଗଳାର କ୍ରପ୍‌ ଏତେ ବଡ଼ ହୋଇଥାଏ ଯେ, ଏହି ପକ୍ଷୀଙ୍କ ଉଡ଼ାଣ ମାଂସପେଶୀ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହି ନ ଥାଏ। ଫଳରେ ଏହି ପ୍ରଜାତିର ବୟସ୍କ ପକ୍ଷୀମାନେ କେବଳ ଅଳ୍ପ ସମୟ ପାଇଁ ଉଡ଼ିପାରିଥାନ୍ତି। ସାଧାରଣତଃ ଏହି ପକ୍ଷୀ ଗୋଟିଏ ଗଛରୁ ଅନ୍ୟ ଗଛକୁ ଉଡ଼ି ପାରିଥାନ୍ତି। ସେହିପରି ଏହି ପକ୍ଷୀ ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଇଁ ପାରିଥାନ୍ତି। ସେମାନେ ନିଜ ଡେଣାରେ ଥିବା ନଖ ସାହାଯ୍ୟରେ ଡାଳକୁ ଜାବୁଡ଼ି ଧରି ଅନେକ ସମୟ ଧରି ରହିପାରିଥାନ୍ତି। ଏହି ପକ୍ଷୀଙ୍କ ଶରୀରରୁ ଆସୁଥିବା ଗୋବର ପରି ଗନ୍ଧ ସେମାନଙ୍କୁ ଶିକାରୀମାନଙ୍କଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।