ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ ଐତିହାସିକ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ଏପ୍ରିଲ ୨୦ରୁ ଆରମ୍ଭ ହୋଇ ମେ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୨୧ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ପବିତ୍ର ଶ୍ରୀରାମ ନବମୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଶୁଭଖୁଣ୍ଟ ସ୍ଥାପନବେଳେ ସୁରେନ୍ଦ୍ର କୁମାର ବାରିକି, ମୟ ବାରିକି, ବିଭୁ ପଲାଇ, ସନ୍ତୋଷ ଆଚାର୍ଯ୍ୟ, ଜଗା ଆଚାର୍ଯ୍ୟ, ବିରେନ ମହାପାତ୍ର, ଉପେନ୍ଦ୍ର ଆଚାର୍ଯ୍ୟ, ସୋହନ ପଟ୍ଟନାୟକ,ଶୋନୁ ଗୌଡ଼,ବାପି ଛଟେଇ ପ୍ରମୁଖ ଉପସ୍ଥିତ ଥିଲେ l ପାଞ୍ଚ ବର୍ଷକୁ ଥରେ ଅନୁଷ୍ଠିତ ଗଞ୍ଜାମ ପ୍ରସିଦ୍ଧ ଏହି ଚନ୍ଦନ ଯାତ୍ରାକୁ ତିନି ସାହି ତଥା ପଣ୍ଡା ସାହି, ସାମନ୍ତରା ସାହି ଏବଂ କରଣ ସାହି ପରିଚାଳନା କରୁଛନ୍ତି । ଏହି ଉପଲକ୍ଷେ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବାବା ମଦନ ମୋହନ ଚାପ ବନ୍ଧରେ ନୌକା ବିହାର କରିବେ। ଏଥିପାଇଁ ଉକ୍ତ ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଏଥିସହ ମଦନ ମୋହନଙ୍କ ମନ୍ଦିର ଚର୍ତୁପାର୍ଶ୍ୱ ସଫେଇ କରାଯିବ। ଚନ୍ଦନ ଯାତ୍ରା ସମୟରେ ରାମଦୋଳି, ମିନା ବଜାର ଖୋଲା ଯିବା ଲାଗି ନିଷ୍ପତ୍ତି ନିଆଯାଇଥିବା ଯାତ୍ରା ପରିଚାଳନାକମିଟି ପକ୍ଷରୁ କୁହାଯାଇଛି ।

Dharitri – Odisha’s No.1 Odia Daily

Share
Tags: odisha