Categories: ଅନୁଗୋଳ

ଶୀତୁଳା ପର୍ବ ସହ ହିଙ୍ଗୁଳା ଯାତ୍ରା ସମ୍ପନ୍ନ

ତାଳଚେର,୨୪।୪(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଶନିବାର ଶୀତୁଳା ପର୍ବ ସହ ସମ୍ପନ୍ନ ହୋଇଛି। ଏଥିସହ ୧୮ତମ ଲୋକ ମହୋତ୍ସବ ମଧ୍ୟ ଉଦ୍‌ଯାପିତ ହୋଇଛି। ଯାତ୍ରାର ଶେଷ ଦିନ ହୋଇଥିବାରୁ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ମନ୍ଦିର ପରିସର ଓ ଉଭାସ୍ଥଳରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନେ ମନ୍ଦିର ଓ ଉଭାସ୍ଥଳରେ ପହଞ୍ଚି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଅପରାହ୍ନରେ ମା’ ହିଙ୍ଗୁଳା ଓ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମକୁ ଦିଅଁଘରୁ ବଡ଼ମଣ୍ଡପ ଅଣାଯାଇଥିଲା। ସେଠାରେ ଦେହୁରୀ ଷୋଡ଼ଶ ଉପଚାର ପୂଜା କରି ମା’ଙ୍କ ଆରାଧନା କରିଥିଲେ। ଏହାପରେ ପୀଠରେ ଥିବା ପାଞ୍ଚ ପିଢ଼ ଯଥା- ମା’ ହିଙ୍ଗୁଳା, ମା’ କରଡେଇ, କୁଟେଇଶୁଣୀ, ଖୁମ୍ବେଶ୍ୱରୀ ଓ କଳାପାଟଙ୍କ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ କରାଯାଇଥିଲା। ସାରେ ମା’ଙ୍କ ଆଲମକୁ ଉଭାସ୍ଥଳୀକୁ ନିଆଯାଇଥିଲା। ଚଳିତବର୍ଷ ମନ୍ଦିରର ପଶ୍ଚିମ ଦିଗରେ ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟ ପାଚେରି ନିକଟରେ ମା’ ହିଙ୍ଗୁଳା ଅଗ୍ନିରୂପରେ ଉଭା ହୋଇଥିଲେ। ସେଠାରେ ଦେହୁରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ପଞ୍ଚୋପଚାର ପୂଜା କରିବା ସହ ମା’ ଅଗ୍ନିରୂପାଙ୍କୁ ଉଖୁଡା, ଗୁଡ, ଘିଅ, ମହୁ, ନୈବେଦ୍ୟ ଆଦି ଅର୍ପଣ କରି ଶୀତଳ କରିଥିଲେ। ପରେ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏହାପରେ ଉଭାସ୍ଥଳୀରେ ଥିବା ଚାନ୍ଦୁଆ ଲାଗି ହୋଇଥିଲା। ଶେଷରେ ବଡ଼ମଣ୍ଡପକୁ ମା’ ହିଙ୍ଗୁଳାଙ୍କ ଆଲାମକୁ ବିଜେ କରାଯାଇ ସେଠାରେ ଅଧରପଣା ନୀତି ସମ୍ପନ୍ନ କରାଯାଇଥିଲା। ସଂଧ୍ୟାରେ ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଥିଲା।