ଏହି ରଙ୍ଗୀନ କାର୍‌ ପାଇଁ ଯିବାକୁ ପଡ଼ିଲା ହାଇକୋର୍ଟ, ଜାଣନ୍ତୁ କାହିଁକି

୨୦୧୯ ଜୁଲାଇରେ ଆଡ୍‌ଭୋକେଟ୍‌ ରଞ୍ଜିତ ମାଲହୋତ୍ରା ଏକ କାର୍‌ କିଣିଥିଲେ। ଏହି କାର୍‌ଟି ଦେଖିବାକୁ ରଙ୍ଗବେରଙ୍ଗ ତଥା ଖୁବ୍‌ ଆକର୍ଷଣୀୟ। ମେକ୍ସିକୋର ଜଣେ କଳାକାର ଏହି କାର୍‌କୁ ସୁନ୍ଦର ରଙ୍ଗ ଦେଇଥିଲେ। ଏହା ଏକ ଆମ୍ବାସଡାର କାର୍‌। ଯାହାକୁ ରଞ୍ଜିତ୍‌ ଦିଲ୍ଲୀସ୍ଥିତ ୟୁରୋପୀୟ ୟୁନିଅନ୍‌ ଅଫିସରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ କିଣିଥିଲେ। ଦିଲ୍ଲୀରେ କାର୍‌କୁ ଏନ୍‌ଓସି ମିଳିଯାଇଥିଲା। ମାତ୍ର ପଞ୍ଜାବ ପରିବହନ ବିଭାଗ କାର୍‌ ରଙ୍ଗକୁ ନେଇ ଅଭିଯୋଗ ଉଠାଇଥିଲା। ରଞ୍ଜିତ୍‌ ଏହା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଚଣ୍ଡୀଗଡ଼ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି କାର୍‌ର ରେଜିଷ୍ଟ୍ରେଶନ କରାଯିବ। କୋର୍ଟ ଏହି କାର୍‌ର ମୂଳ ରଙ୍ଗ ଧଳା କରିବାକୁ କହିଛନ୍ତି।


ରଞ୍ଜିତ କୁହନ୍ତି, ସେ ଏହି କାର୍‌କୁ ୨୦୧୯ରେ ଦିଲ୍ଲୀର ୟୁରୋପୀୟ ୟୁନିଅନ୍‌ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ କିଣିଛନ୍ତି। ଏହି କାର୍‌ଟି ଦିଲ୍ଲୀ ପ୍ରଶାସନ ଏବଂ ପରିବହନ ବିଭାଗରୁ ମଧ୍ୟ ଏନ୍‌ଓସି ପାଇଛି। ମାତ୍ର ଚଣ୍ଡୀଗଡ଼ ପରିବହନ ବିଭାଗ କାର୍‌ର ରଙ୍ଗକୁ ନେଇ ପଞ୍ଜୀକରଣ କରିବାକୁ ମନା କରିଦେଇଛି। ଏହି କାରଣରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


ସେ କୁହନ୍ତି, ଏହି କାର୍‌ କିଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହାର ପ୍ରତ୍ୟେକ ଅଂଶ ନିର୍ଦ୍ଦିଷ୍ଟ ରଙ୍ଗ ଏବଂ ଥିମ୍‌ ଅନୁଯାୟୀ କରାଯାଇଛି। ଏହାକୁ ଆକର୍ଷଣୀୟ ରୂପ ଦିଆଯାଇଛି। ମେକ୍ସିକୋର ସେନ୍‌କୋ ନାମକ ଜଣେ କଳାକାର ଏହି କାର୍‌ରେ ଫୁଲପତ୍ରଠାରୁ ଆରମ୍ଭ କରି ବିଭିନ୍ନ ଜ୍ୟାମିତିକ ଚିତ୍ର ଆଙ୍କିଛନ୍ତି। ସେ ପୂର୍ବରୁ ଅନେକ ଟ୍ରେନ୍‌କୁ ମଧ୍ୟ ଏପରି ଚିତ୍ରିତ କରିଛନ୍ତି।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି, ୫୦୦ ବର୍ଷ ପୂର୍ବେ ଜିଟି ରୋଡ୍‌ରେ ଶେର୍‌ ଶାହାଙ୍କ ଦ୍ୱାରା ନିର୍ମିତ ରାସ୍ତାରେ ଚାଲୁଥିବା ଟ୍ରକ୍‌ ଆଗ ଏବଂ ପଛରେ ଚିତ୍ରିତ କରାଯାଇଥିଲା। ଏଥିରେ ଅନେକ ଜିନିଷ ଏବଂ କବିତା ମଧ୍ୟ ଲେଖାଯାଇଥିଲା। ଜଷ୍ଟିସ୍‌ ଜୟଶ୍ରୀ ଠାକୁର ରଞ୍ଜିତ୍‌ ମାଲହୋତ୍ରାଙ୍କୁ ଏହି ରାୟ ଦେବା ସହ ପରିବହନ ବିଭାଗକୁ କାର୍‌ର ପଞ୍ଜୀକରଣ କରିବାକୁ କହିଛନ୍ତି।