Categories: ଅନୁଗୋଳ

ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା: ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଅନୁଗୋଳ ଅଫିସ, ୩ା୮: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର ରାତିରେ ଆସିଥିବା ସମଲ ଅଞ୍ଚଳର ବାଦଲ ଦଳାଇ(୪୬)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ହୋଇଥିଲା। ଘଟଣାର ରିପୋର୍ଟ ୪୮ ଘଣ୍ଟା ମଧ୍ୟରେ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ସମ୍ପର୍କରେ ରବିବାର ‘ଧରିତ୍ରୀ’ରେ ପ୍ରକାଶିତ ରିପୋର୍ଟକୁ ଅନୁଗୋଳର ବୁଦ୍ଧିଜୀବୀମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରିବା ପରେ ଏହି ନିର୍ଦ୍ଦେଶ ଆସିଛି। ଅପରପକ୍ଷରେ ଖବର ପ୍ରକାଶ ପରେ ଅନୁଗୋଳ ସିଡିଏମ୍‌ଓ ଅଭୟ କୁମାର ଦାଶ ଘଟଣାର ଖୋଳତାଡ କରିଛନ୍ତି। ସେ କହିଛନ୍ତି, ରୋଗୀଙ୍କ ପୂର୍ବ ଚିଠାରୁ ହାର୍ଟରେ ସମସ୍ୟା ଥିବା ଜଣାପଡ଼ିଥିଲା। ଫଳରେ ଇସିଜି କରାଯାଇଥିଲା। ତାଙ୍କୁ ମେଡିଶିନ୍‌ ୱାର୍ଡକୁ ସ୍ଥାନ୍ତାନ୍ତର କରାଯିବା କଥା। କିନ୍ତୁ ଶ୍ୱାସକ୍ରିୟାରେ ରୋଗୀ ଅଧିକ କଷ୍ଟ ଅନୁଭବ କରୁଥିବାରୁ କାଜୁଆଲଟିରେ ଥିବା ଡାକ୍ତର ସନ୍ଦେହରେ କରୋନା ଆଇସୋଲେସନ୍‌ ୱାର୍ଡକୁ ପଠାଇ ଦେଇଥିଲେ। ସେଠାରେ ରୋଗୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଥିଲା। ପୁରୁଣା ଚିଠା ଦେଖିଥିବା ଡାକ୍ତର ଏପରି କରିବାର ନ ଥିଲା ବୋଲି ସିଡିଏମ୍‌ଓ ପ୍ରକାଶ କରିଛନ୍ତି।